ନୂଆଦିଲ୍ଲୀ: ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ, ଅଟଳ ବିହାରୀ ବାଜପାୟୀ ଏବଂ ଆମ ଦେଶ ପାଇଁ ପ୍ରାଣବଳି ଦେଇଥିବା ସେନାନୀଙ୍କ ଆଦର୍ଶ ଗରିବ, ଅବହେଳିତ ଓ ଅସୁବିଧାରେ ଥିବା ଲୋକଙ୍କ ପାଇଁ ଉତ୍ତମ ଶାସନ ବ୍ୟବସ୍ତା କରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେଇଛି। ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ମୋଦୀ କହିଛନ୍ତି। ଗୁରୁବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ମୋଦୀ ଏହା କହିଛନ୍ତି।
ମୋଦୀ ଟ୍ୱିଟ କରି କହିଛନ୍ତି, ସେ ରାଜଘାଟରେ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଚଳିତ ବର୍ଷ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଥିବାରୁ, ତାଙ୍କ ବିଚାରଧାରା, ଓ ଆଦର୍ଶକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଗରିବ ଓ ଅବହେଳିତଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ସେ କହିଛନ୍ତି ଯେ କର୍ତ୍ତବ୍ୟ କରି ଯେଉଁ ବୀର ପୁରୁଷ ଓ ମହିଳା ନିଜ ଜୀବନ ଉତ୍ସର୍ଗ କରିଛନ୍ତି ସେମାନଙ୍କ ପାଇଁ ଭାରତ ଗର୍ବିତ। ଭାରତର ଅଖଣ୍ଡତା ଓ ଏକତା ରକ୍ଷାକୁ ସରକାରଙ୍କ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି।



