ଛିନ୍ଦୱାଡା : କରୋନା ସଂକ୍ରମଣକୁ ରୋକିବାକୁ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିବା ସହ ମନ୍ଦିର, ମସଜିଦ, ଗୀର୍ଜା ତଥା ଅନ୍ୟାନ୍ୟ ଧାର୍ମିକସ୍ଥଳରେ ଏକାଠି ହେବାକୁ ବାରଣ କରିଛନ୍ତି। କିନ୍ତୁ ଏହାକୁ ଅମାନ୍ୟ କରି ମସଜିଦରେ ନମାଜ ପଢ଼ିବାକୁ ଯାଇଥିବା କିଛି ଲୋକଙ୍କୁ ମହଙ୍ଗା ପଡିଛି। ନମାଜ ପଢ଼ିବାକୁ ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଥିବା ବେଳେ ୪୦ ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ ଦେଖିବାକୁ ମିଳିଛି।
ଜିଲାର ଚୌରାଇ ତହସିଲ ଅନ୍ତର୍ଗତ ଖେରିଖୁର୍ଦ୍ଦ ଗାଁର ଏକ ମସଜିଦରେ ସାମୂହିକ ନମାଜ ପାଇଁ ଲୋକ ଏକତ୍ରିତ ହୋଇଥିଲେ। ଏହି ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବାହାର କରିଥିଲେ। ପୁଲିସକୁ ଦେଖି ଅଧିକାଂଶ ଦୌଡି ପଳାଇଥିବା ବେଳେ ୬ ଜଣଙ୍କୁ ଗରିଫ କରାଯାଇଥିଲା। ଗାଁର ସରପଞ୍ଚଙ୍କ ସମେତ ୪୦ ଲୋକ ମସଜିଦରେ ଥିବା ଜଣାପଡିଥିବା ବେଳେ ସେମାନଙ୍କ ବିରୋଧରେ ପୁଲିସ ଆଇପିସିର ଧାରା ୧୪୪, ୧୮୮, ୨୬୯ ଆଦିରେ ମାମଲା ରୁଜୁ କରିଥିବା ଜଣାପଡିଛି।



