ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ଝିଅର ବିବାହ ପାଇଁ ପାରୋଲରେ ଜେଲରୁ ବାହାରିଛନ୍ତି। ନଳିନୀ ୬ମାସ ପାଇଁ ପାରୋଲରେ ଯିବାକୁ ଆବେଦନ କରିଥିଲେ। ମାଡ୍ରାସ ହାଇକୋର୍ଟ ତାଙ୍କୁ ୩୦ ଦିନ ପାଇଁ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି।
କୋର୍ଟଙ୍କ ଅନୁମତି ପରେ ଗୁରୁବାର ସକାଳେ ନଳିନୀ ଜେଲରୁ ବାହାରିଛନ୍ତି। ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି। ମାତ୍ର ସେ ୧୯୯୧ରୁ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ନଳିନୀଙ୍କ ଝିଅ ଲଣ୍ଡନରେ ରହୁଛନ୍ତି। ପାରୋଲ ଲାଗି ନଳିନୀ ନିଜ ପାଇଁ ନିଜେ ଲଢ଼ିଥିଲେ। ସେ ଦଲିଲରେ କହିଥିଲେ ଯେ, ସବୁ ବନ୍ଦୀ ଜେଲରେ ୨ବର୍ଷ ସଜ୍ଜା କାଟିବା ପରେ ଗୋଟିଏ ମାସ ସାଧାରଣ ଛୁଟି ପାଇବାର ହକ୍ଦାର। କିନ୍ତୁ ସେ ବିଗତ ୨୭ବର୍ଷରେ ଗୋଟିଏ ଦିନ ବି ଛୁଟି ନେଇନାହାନ୍ତି।
ସୂଚନାଯୋଗ୍ୟ, ଚେନ୍ନାଇ ନିକଟରେ ଏକ ନିର୍ବାଚନ ରାଲିରେ ରାଜୀବ ଗାନ୍ଧୀଙ୍କୁ ଭେଟିବା ସମୟରେ ଜଣେ ଆତ୍ମଘାତୀ ମହିଳା ଆକ୍ରମଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ସମସ୍ତ ୭ ଦୋଷୀ ୧୯୯୧ରୁ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ସେମାନେ ହେଲେ ପେରାରୀବଲନ, ମୁରୁଗନ, ନଳିନୀ, ଶାନ୍ତନ, ରବିଚନ୍ଦ୍ରନ, ଜୟକୁମାର ଏବଂ ରବର୍ଟ ପାୟସ।



