www.samajalive.in
Sunday, December 7, 2025
14.1 C
Bhubaneswar

ନବୀନଙ୍କ ପଞ୍ଚମ ପାଳିର ଆଜି ୨ ବର୍ଷ ପୂର୍ତ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ପଞ୍ଚମ ପାଳିର ଦୁଇ ବର୍ଷ ପୂରଣ କରିଛି। ଲଗାତର ପଞ୍ଚମଥର ପାଇଁ ରାଜ୍ୟ ଶାସନ ମଙ୍ଗ ଧରି ରେକର୍ଡ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଆଉ ଏକ ରେକର୍ଡ ସୃଷ୍ଟି ପାଇଁ ଚଳାଇଛନ୍ତି ଅଭିଯାନ। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେ ବି ସେମାନଙ୍କୁ ମୁକାବିଲା କରିବାରେ ନବୀନ ଗୋଟି ଚାଳନାରେ ଆଜି ବି ଆଗରେ।

ଏହି ସମୟରେ ସରକାରଙ୍କ ବହୁ ପ୍ରସଙ୍ଗ ମୁଣ୍ଡ ଟେକିଥିଲା। ବିଧାନସଭାଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ବିରୋଧୀ ପ୍ରସଙ୍ଗ ଉଠାଇଛନ୍ତି, ମାତ୍ର ଏହା ସେତେଟା ପ୍ରଭାବୀ ହୋଇପାରୁ ନଥିବାରୁ ଶାସକ ଦଳ ଏବେ ବି ନିଜକୁ ନିରାପଦ ମଣୁଛି। ନବୀନଙ୍କ ଲୋକପ୍ରିୟତା ତଥାପି ଅତୁଟ ରହିଛି। ଆଜି ନବୀନଙ୍କ ପଞ୍ଚମ ପାଳି ସରକାରକୁ ୨ବର୍ଷ ପୂରିବ। ଗତ ଦୁଇ ବର୍ଷ ଧରି ସରକାର କରୋନା ମହାମାରୀ ସମେତ ଦୁଇ ଦୁଇଟି ବାତ୍ୟାକୁ ସାମ୍ନା କଲେଣି। ଓଡ଼ିଶା ଅର୍ଥନୀତି ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି। ମାତ୍ର ନବୀନଙ୍କ ରାଜନୀତି ଏଵଂ ପ୍ରଶାସନିକ ଦକ୍ଷତା ଯୋଗୁଁ ରାଜ୍ୟର ମାନ୍ଦାବସ୍ଥାର ପ୍ରଭାବ ରାଜନୀତି ଉପରେ ପଡ଼ିନାହିଁ। ମହାମାରୀ ବିପତ୍ତି ସତ୍ତ୍ବେ ରାଜ୍ୟ ସରକାର ନିଜର ଶାସନର ଡ଼ଙ୍ଗା ଆଗକୁ ବାହି ନେଉଛନ୍ତି। ମହାମାରୀ ମୁକାବିଲା ପାଇଁ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛି; କିନ୍ତୁ ଦ୍ୱିତୀୟ ଲହର ସରକାରଙ୍କ ଆଖିରୁ ନିଦ ହଜାଇ ଦେଲାଣି। ମାନ୍ଦାବସ୍ଥା ଭିତରେ ବି ଚାଷୀକୁଳକୁ ସନ୍ତୁଷ୍ଟ କରିବାକୁ କାଳିଆ କିସ୍ତି ଦେବାରେ ହେଳା କରିନାହାନ୍ତି।

- Advertisement -

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ୧୭ ହଜାର କୋଟି ଟଙ୍କାର ପ୍ୟାକେଜ୍‍ ବ୍ୟବସ୍ଥା, ନୂଆ ପର୍ଯ୍ୟଟନ ନୀତି, ଜଗନ୍ନାଥ ଏବଂ ଲିଙ୍ଗରାଜ ମନ୍ଦିର ଐତିହ୍ୟ ବିକାଶ ପାଇଁ ଐତିହ୍ୟ କରିଡର ଯୋଜନା, କୋଣାର୍କ ସମେତ ମା’ ସମଲେଶ୍ୱରୀଙ୍କ ମନ୍ଦିର ଐତିହ୍ୟ ବିକାଶକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଦୁର୍ନୀତିଗସ୍ତ ନେତା, ମନ୍ତ୍ରୀ ଓ ପ୍ରଶାସନିକ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭିଯାନ ନବୀନଙ୍କ ଭାବମୂର୍ତ୍ତିକୁ ବେଶ ସୁହାଇଛି। ଦୁର୍ନୀତିରେ ଲିପ୍ତ ଦଳୀୟ ନେତା ଦଳରୁ ବହିଷ୍କୃତ ହୋଇଛନ୍ତି। ସମସ୍ତଙ୍କ ପାଇଁ ପ୍ରତିବର୍ଷ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ କରାଯାଇଛି। ବର୍ଷକ ଭିତରେ ଶତାଧିକ ଦୁର୍ନୀତି ଖୋର ସରକାରୀ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି।

ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଯୁବ ଓ ଛାତ୍ରଙ୍କୁ ଆକୃଷ୍ଟ କରିବାକୁ ସରକାର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଏବଂ ଇଞ୍ଜିନିୟରିଂ କଲେଜରେ ନାମଲେଖା ନିମନ୍ତେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି।

କରୋନା କାଳରେ ବି ମୁଖ୍ୟମନ୍ତ୍ରୀ ଜିଲାଗ୍ରସ୍ତ କରି କଳାହାଣ୍ଡି ପାଇଁ ୨୦୮୫କୋଟି, ସୁନ୍ଦରଗଡ ପାଇଁ ୫ ହଜାର କୋଟି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବ୍ୟବସ୍ଥା କରିଛନ୍ତି। ନୂଆପଡା ଜିଲାଗସ୍ତ କରି ୨୩୩୭ କୋଟି ୧୫ ଲକ୍ଷ ଟଙ୍କା ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ ୫୦କୋଟି ୨୯ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଅଧ୍ୟାଦେଶ, ମିଶନ ଶକ୍ତି ନୂଆ ବିଭାଗ, ଏସ୍‍ସିବି ଭେଷଜ ମହାବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା, କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମାଗଣା ଟିକା ଆଦି ଜନହିତକର ପଦକ୍ଷେପ ଗ୍ରହଣ କରିଛନ୍ତି। ବାତ୍ୟା ୟସକୁ ମଧ୍ୟ କୌଶଳତାର ସହ ସରକାର ମୁକାବିଲା କରିବାରେ ସଫଳ ହୋଇଛନ୍ତି।

କିନ୍ତୁ ବର୍ଷକ ଭିତରେ ସରକାର ଅନେକ କିଛି ଅପବାଦର ସାମନା କରିଛନ୍ତି। ନୟାଗଡର ପରି ହତ୍ୟାକାଣ୍ଡ ଯୋଗୁଁ ବିଧାନସଭା ଅଚଳ ଏବଂ ସାରା ରାଜ୍ୟରେ ବିକ୍ଷୋଭ ସ୍ୱର ଗୁଞ୍ଜରିତ ହୋଇଥିଲା। ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ସରକାରଙ୍କୁ ଅପବାଦ ଶୁଣିବାକୁ ପଡିଥିଲା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକ ଓ ତାଙ୍କ ପୁଅ ଗିରଫ ହୋଇ ଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ସହ ଦଳରୁ ବିଦା କରିବାକୁ ପଡ଼ିଥିଲା।

ଦଳକୁ ୨୪ ବର୍ଷ ପୂରିଛି। ପ୍ରଥମେ ଦଳ ଗଠନ କାଳରେ ରାଜନୀତିରେ ଧାରଣା ନଥିବା ନବାଗତ ନବୀନ ଆଜି କେବଳ ଓଡ଼ିଶା ନୁହେଁ ଜାତୀୟ ରାଜନୀତିରେ ଜଣେ ପରିପକ୍ୱ ରାଜନେତା। ନିଜର ବିଚକ୍ଷଣ ବୁଦ୍ଧି ଯୋଗୁଁ ସେ କ୍ଷମତାକୁ ଆସିବା ପରେ ଆଉ ପଛକୁ ଫେରି ନାହାନ୍ତି କିମ୍ବା ବିରୋଧୀଙ୍କୁ ଉଧେଇବାକୁ ଦେଇନାହାନ୍ତି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories