ମିସ ଓଡିଶା ଟାଇଟଲ ରନର୍ସଅପ ହେଲେ ଉମରକୋଟର ଝିଅ ପୂଜା

ନବରଙ୍ଗପୁର: ନବରଙ୍ଗପୁର ପରି ଉପାନ୍ତ ଜିଲ୍ଲା ଉମରକୋଟର ଝିଅ ମିସ ଓଡିଶା ଟାଇଟଲ ରନର୍ସଅପ ହେବା ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅଧିକାରୀଗୁଡା ଗ୍ରାମରୁ ବାହାରି ଆଜି ମିସ୍ ଓଡିଶା ବିୟୁଟି କଣ୍ଟେଷ୍ଟରେ ଭାଗ ନେଇ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ପୂଜା ମିସ୍ତ୍ରୀ।

ବାପା ସପନ ମିସ୍ତ୍ରୀ ଏବଂ ମା ଅପର୍ଣ୍ଣା ମିସ୍ତ୍ରୀଙ୍କ ଅଲିଅଳି ଝିଅ ପୂଜା। ଦୁଇ ଭାଇରେ ଗୋଟିଏ ଭଉଣୀ ବୟସ ୨୦। ସେବାକୁ ନିଜ ଜୀବନର ବ୍ରତ ଭାବେ ଉତ୍ସର୍ଗୀକୃତ କରିବା ପାଇଁ ଗାଁରେ ନିଜର ପ୍ରାଥମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ପୂଜା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ +୨ ବିଜ୍ଞାନରେ କୃତକାର୍ଯ୍ୟ ହୁଅନ୍ତି। ଏହା ପରେ ପୂଜା ଚାଲିଯାଆନ୍ତି ଭୁବନେଶ୍ବର। ସେଠାରେ ପୂଜା ନିଜର ନର୍ସିଂ ପାଠ ପଢା ଆରମ୍ଭ କରନ୍ତି ବିଶ୍ବାସ ନର୍ସିଂ କଲେଜରେ। ଏବେ ସେ ବିଏସସି ନର୍ସିଂ ଶେଷ ବର୍ଷର ଛାତ୍ରୀ। ପାଠ ପଢ଼ା ସହ ମଡେଲିଂ ମଧ୍ୟ କରୁଥିଲେ। ଆଉ ଏବେ ସେହି ମଡେଲିଂ ପାଇଁ ସେ ହୋଇଛନ୍ତି ମିସ୍ ଓଡିଶା ବିୟୁଟି ପିଜାଣ୍ଟ ୨୦୨୧ରେ ରନର୍ସଅପ୍।

ନିଜର ସୁନ୍ଦର ଚାଲି ପାଇଁ ସେ ଏହି ପୁରସ୍କାର ପାଇଛନ୍ତି ଆଉ ଗୌରବାନ୍ୱିତ କରିଛନ୍ତି ନବରଙ୍ଗପୁର ଜିଲ୍ଲାକୁ। ଏଥି ପାଇଁ ପୂଜା ପ୍ରଥମେ ଗତ ଜୁଲାଇ ମାସରେ ଅନଲାଇନରେ ରେଜିଷ୍ଟ୍ରେସନ୍ କରିଥିଲେ। କିନ୍ତୁ କରୋନା ପାଇଁ କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ତରଫରୁ ହେଉଥିବା ଏହି ପ୍ରତିଯୋଗୀତା ସେତେବେଳ ବନ୍ଦ ହୋଇ ଯାଇଥିଲା। ତେବେ କରୋନା ପ୍ରକୋପ ସାମାନ୍ୟ କମିବା ପରେ ଏଥି ପାଇଁ ପୁଣି ଥରେ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଥିଲା ଏବଂ ପୂଜା ପୁଣି ଥରେ ରେଜିଷ୍ଟ୍ରେସନ୍ କରି ଥିଲେ। ପର୍ଯ୍ୟାୟ ପରେ ପର୍ଯ୍ୟାୟ ଶେଷ ହେବା ପରେ ଶେଷରେ ସମଗ୍ର ଓଡିଶାରୁ ବଛା ବଛା ୬ ଜଣଙ୍କ ମଧ୍ୟରେ ଫାଇନାଲରେ ସ୍ଥାନ ପାଇଥିଲେ ପୂଜା। ୧୯ ତାରିଖ ଦିନ ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ଫାଇନାଲ୍ ପ୍ରତିଯୋଗୀତା ରେ ନିଜର ସୁନ୍ଦର ରାମ୍ପ ଚାଲି ପାଇଁ ସେ ପାଇଛନ୍ତି ପ୍ରଥମ ରନର୍ସଅପ୍ ଟାଇଟଲ। ଏହି ପ୍ରତିଯୋଗୀତାରେ ରାଉରକେଲାର ସାନିଆ ପ୍ରଥମ ସ୍ଥାନ ଅଧିକାରୀଣି ହୋଇ ମିସ୍ ଓଡ଼ିଶା ୨୦୨୧ର ମୁକୁଟ ହାସଲ କରିଥିବା ବେଳେ ପୂଜା ପ୍ରଥମ ରନର୍ସଅପ୍ ଏବଂ ସ୍ନେହା ଦ୍ଵିତୀୟ ରନର୍ସଅପ୍ ହୋଇଛନ୍ତି।

ଆଜି ଉମରକୋଟ ପହଂଚି ନିଜ ଗ୍ରାମ ଅଧିକାରୀଗୁଡାରେ ପହଂଚିବା ପରେ ପୂଜାଙ୍କୁ ସାଙ୍ଗ ସାଥି ଗ୍ରାମବାସୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଥିଲେ। ଘରେ ତାଙ୍କର ଖୁସିର ଲହରି ଖେଳିଯାଇଛି। ଭବିଷ୍ୟତରେ ପୂଜା ଜଣେ ଭଲ ନର୍ସ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ମଡେଲିଂରେ ମଧ୍ୟ ଆଗକୁ ନିଜର କ୍ୟାରିୟର୍ କରିବେ ବୋଲି କହିଛନ୍ତି ତେବେ ନିଜର ସଫଳତା ନେଇ ପୂଜା କହିଛନ୍ତି, ଉମରକୋଟ ଭଳି ଉପାନ୍ତ ଅଞ୍ଚଳରୁ ଯାଇ ମିସ୍ ଓଡ଼ିଶା ରନର୍ସଅପ୍ ହେବା ନିଶ୍ଚିତ ଭାବେ ଗୌରବର କଥା। କିନ୍ତୁ ଏହା କେବଳ ତାଙ୍କ ପିତାମାତା ଏବଂ ପରିବାର ଲୋକଙ୍କ ପ୍ରେରଣା ପାଇଁ ସମ୍ଭବ ହୋଇ ପାରିଥିବା ସେ କହିଥିବା ବେଳେ ପରିବାରର ସହାୟତା ସହ ନିଜର ଆତ୍ମ ନିର୍ଣ୍ଣୟ କରିପାରିଲେ ଅନ୍ୟମାନେ ମଧ୍ୟ ଆଗକୁ ବଢ଼ି ପାରିବେ ବୋଲି କହିଛନ୍ତି ପୂଜା।

ସେହିପରି ପୂଜାଙ୍କ ପିତା ସପନ ମିସ୍ତ୍ରୀ କହିଛନ୍ତି ଝିଅ ଯାହା ଚାହିଁବ ସେ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଚେଷ୍ଠା କରିବେ ଏବଂ ଆଗାମୀ ଦିନରେ ଝିଅ ଏହା ଠାରୁ ଆହୁରି ବଡ଼ ପ୍ରତିଯୋଗୀତାରେ ଭାଗ ନେଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ସେ ଆହୁରି ଖୁସି ହେବେ ବୋଲି କହିଛନ୍ତି। ସେହିପରି ପୂଜାଙ୍କ ଶିକ୍ଷକ କହିଛନ୍ତି ଯେ, ଅଧିକାରୀଗୁଡା ଭଳି ଏକ ଉପାନ୍ତ ଅଞ୍ଚଳରୁ ଯାଇ ପୂଜା ମିସ୍ ଓଡ଼ିଶାରେ ରନର୍ସଅପ୍ ହୋଇ ଜିଲ୍ଲା ତଥା ବିଦ୍ୟାଳୟକୁ ମଧ୍ୟ ଗୌରବାନ୍ୱିତ କରିଛନ୍ତି ଏଥି ସହ ପୂଜାଙ୍କ ଭବିଷ୍ୟତ ଜୀବନ ପାଇଁ ଆଶୀର୍ବାଦ ଦେଇଛନ୍ତି।

Comments are closed.