ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ବିୟୋଗରେ ଶୋକ
ନବରଙ୍ଗପୁର: ନବରଙ୍ଗପୁର ମେଡିକାଲରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡାକ୍ତର ଅରୁପା ନନ୍ଦ କରଙ୍କ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ କାମଳ ରୋଗରେ ପୀଡିତ ଥିଲେ। ବୁଧବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଯାଉଥିବା ସମୟରେ ସ୍ୱାସ୍ଥ୍ୟବସ୍ଥା ଅତି ଗମ୍ଭୀର ହେବାରୁ ତାଙ୍କୁ ତୁରନ୍ତ କୋରାପୁଟ ସହିଦ ଲକ୍ଷଣ ନାୟକ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ରକ୍ତଚାପ କମିବା ସହ ରକ୍ତ ବାନ୍ତି ହୋଇଥିଲା। ସକାଳ ୯.୪୫ ସମୟରେ ଅରୁପା ନନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତାଙ୍କ ନିଜ ଘର ନିଶ୍ଚିନ୍ତକୋଇଲି।
୨୦୧୧ରେ ଡାକ୍ତରୀ ପାସ କରି ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାରେ ଯୋଗ ଦେଇଥିଲେ। ୨୦୧୨ରେ ସ୍ତ୍ରୀ ରୋଗ ବିଶେଷଜ୍ଞ ପିଜି ପାଠ ପଡ଼ିବାକୁ ଯାଇଥିଲେ। ୨୦୧୫ରେ ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାରେ ପୁଣି ଥରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ। ତାଙ୍କର ୫ ବର୍ଷର ଗୋଟିଏ ପୁଅ ଓ ୧୧ ମାସର ଗୋଟିଏ ଝିଅ ରହିଛି। ପ୍ରଶାସନ ପକ୍ଷରୁ କୋରାପୁଟରୁ ମୃତ ଦେହ ତାଙ୍କ ଗ୍ରାମକୁ ପଠାଯାଇଛି। ଏନେଇ ଶୋକ ସନ୍ତପ୍ତ ପରିବାରକୁ ନବରଙ୍ଗପୁର ସ୍ୱାସ୍ଥ୍ୟ ବିଭାଗ ସମବେଦନା ଜଣାଇଛନ୍ତି।
Comments are closed.