ନବରଙ୍ଗପୁର: ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଘରୋଇ ନିଯୁକ୍ତି ପାଇଁ ଜିଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କର ପତ୍ରସଂଖ୍ୟା – ୧୦୫୦୫, ତା୨୧, ୧୨,୨୦୧୯ ସୁରକ୍ଷାକର୍ମୀ ୯୩ ଜଣ ଓ ସଫେଇ କର୍ମଚାରୀ ୫୩ ଜଣ, ଇଲେକ୍ଟ୍ରିସିିଆନ ଜଣେ, ପ୍ଲମର ଜଣେ, ବଗିଚାପାଇ ନିିତିଜଣି ମାଳି ଓ ସୁପର ଭାଇଜର ୪ଟି ମିଶି ମୋଟ ୧୫୩ଜଣ କର୍ମଚାରୀଙ୍କୁ ‘ନିର୍ମଳ’ଯୋଜନାରେ ମୁଖ୍ୟ ଚିକିତ୍ସାଳୟ ସମେତ ୧୧ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯାଇଛି। ଜିଲାର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ରୋଗୀଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ଭୂବନେଶ୍ୱରର ଏକ ଆଉଟସୋର୍ସିଂ ସଂସ୍ଥା ‘ଏଲଏଣ୍ଡକେ’ ସହିତ ଜିଲା ସ୍ୱାସ୍ଥ୍ୟ ବିଭାଗ ସହିତ ଚୁକ୍ତି ହୋଇଥିଲା। ଗତ ୩୦.୯.୨୦୧୯ରେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯାଇଛି। ସରକାରୀ ଭାବେ ସୁପରଭାଇଜରଙ୍କର ମାସିକ ଦରମା ୧୩,୬୦୦ ଥିବାବେଳେ ନବରଙ୍ଗପୁର ଓ ଉମରକୋଟ ଡାକ୍ତରଖାନରେ କାର୍ଯ୍ୟରତ ସୁପରଭାଇଜରଙ୍କୁ ମାସିକ ଦରମା ୯୫୦୦ ଦିଆଯାଉଛି। ୧୧ଟି ଗୋଷ୍ଠିି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ସୁପରଭାଇଜରଙ୍କୁ ୮ହଜାରରୁ ୮୫୦୦ ଟଙ୍କା ଦିଆଯାଉଛି।
ସୁରକ୍ଷା କର୍ମଚାରୀଙ୍କର ମୂଳ ଦରମା ୧୧,୬୦୦ଥିବାବେଳେ ନବରଙ୍ଗପୁର ଓ ଉମରକୋଟ ଡାକ୍ତରଖାନାର ସୁରକ୍ଷାକର୍ମୀଙ୍କୁ ମାସିକ ଦରମା ୮ ହଜାରରୁ ୮୫୦୦ ଦିଆଯାଉଛି। ଗୋଷ୍ଠି ସ୍ୱାସ୍ଥ୍ର୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ୬ ହଜାରରୁ ୬୫୦୦ ଟଙ୍କା ଦିଆଯାଉଛି। ସଫେଇ କର୍ମଚାରୀଙ୍କୁ ନବରଙ୍ଗପୁର ଓ ଉମରକୋଟରେ ୭୦୦୦ ମିଳୁଥିବାବେଳେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସଫେଇ କର୍ମଚାରୀଙ୍କୁ ୬ ହଜାରରୁ ୬୫୦୦ ଟଙ୍କା ଦିଆଯାଉଛି। ଏହିପରି ପାତରଅନ୍ତରରେ ଦରମା ଦିଆଯାଉଥିବା ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ମୁହଁ ଖୋଲିଲେ ଚାକିରୀରୁ ବାହାର କରିଦେବାର ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ନନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କର ବାବଦକୁ ଦରମା ବାବଦକୁ ଗତ ଅକ୍ଟୋବର ମାସ, ୨୦୧୯ରେ ମୋଟ ୮୪ହଜାର ୮୬୧ ଟଙ୍କାର ବିଲ୍ କରାଯାଇଥିବା ବେଳେ ସଂପୃକ୍ତ ସଂସ୍ଥା ସବୁ ଟଙ୍କା ହଟପ କରିଥିବା ଅଭିଯୋଗ ହୋଇଛି। ଏଠାରେ କାର୍ଯ୍ୟରତ ୬ଜଣ କର୍ମଚାରୀ ଏହି ଦରମା ମିଳୁନଥିବା ନେଇ ଗତ ୧.୫.୨୦୨୦ ମେଡିକାଲ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ତଥାପି ଏହି ସଂସ୍ଥା କୈାଣସି ପଦକ୍ଷେପ ନନେବାରୁ ସେମାନେ ନବରଙ୍ଗପୁର ଜିଲାପାଳଙ୍କୁ ୧୫.୧୦.୨୦୨୦ରେ ଅଭିଯୋଗ କରିବାରୁ ଜିଲାପାଳଙ୍କର ନିର୍ଦ୍ଦେଶରେ ନନ୍ଦାହାଣ୍ଡିି ବିଡିଓ ତଦନ୍ତ କରି ରିପୋର୍ଟ ଦେଇଥିଲେ। ତଦନ୍ତରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଟଙ୍କା ଦେଇଥିବା ବେଳେ ସଂପୃକ୍ତ ସଂସ୍ଥା ଟଙ୍କା ଉଠାଇ ନେଇ କର୍ମଚାରୀମାନଙ୍କୁ ଦେଇନଥିବା ଜଣାଯାଇଛି।
ଅନ୍ୟପକ୍ଷରେ ଏହି ଅଭିଯୋଗର ନେତୃତ୍ୱ ନେଉଥିବା ସୁପରଭାଇଜର ସାମିଆନ ବେପାରାଙ୍କୁ ସଂସ୍ଥା ପକ୍ଷରୁ ଧମକ ଦେଇ ଗତ ଅକ୍ଟୋବର ମାସରେ ତାଙ୍କୁ ଚାକରୀରୁ ବିଦା କରିଦେଇଛି। ତେବେ ସେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ଚାକିରୀ ହରାଇବାକୁ ପଡିଛି।ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହି ସମସ୍ତ କର୍ମଚାରୀଙ୍କୁ ନିୟମଅନୁସାରେ ଦରମା ପ୍ରଦାନ କରିବା ସହିତ ଏହି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢଦାବି କରାଯାଇଛି। ତେବେ ଏହି ଗରୀବ କର୍ମଚାରୀମାନେ ପାଇବାକୁ ହକଥିବା ଗତ ଅକ୍ଟୋବର ମାସ ୨୦୧୯ର ଦରମା ବାବଦ ୮୪ ହଜାର ଟଙ୍କା ବିଲ୍ କରି ପାଇଥିବା ବେଳେ ସଂସ୍ଥା ପକ୍ଷରୁ ଏହାକୁ କିଭଳି କାମ କରିଥବା କର୍ମଚାରୀଙ୍କୁ ଦିଆଯାଉନି ତାହା ତଦନ୍ତ ସାପେକ୍ଷ। ନଚେତ ଏହି ଟଙ୍କା ସରକାରଙ୍କୁ ଫେରାଯାଉ ବୋଲି ଦାବି କରାଯାଇଛି। ଅନ୍ୟପକ୍ଷରେ ଏହାର ପ୍ରତିକ୍ରିୟା ନେବା ପାଇଁ ‘ନିର୍ମଳ’ ଯୋଜନା ଦାୟୀତ୍ୱରେ ରହିଥିବା ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ କାହ୍ନୁ ପାତ୍ରଙ୍କୁ ତାଙ୍କର ମୋବାଇଲ ନମ୍ବର ୯୪୩୭୨୦୩୫୪୯କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଦିନତମାମ ମୋବାଇଲ ବନ୍ଦ କରିଥିବାରୁ ମତାମତ ନେବା ସମ୍ଭବପର ହୋଇ ପାରିନାହିଁ।



