ଯୁବ ଉଦ୍ୟୋଗୀଙ୍କ ନିଆରା ପ୍ରୟାସ, ପିଞ୍ଜରାରେ ଅଣ୍ଡା ଦିଆ କୁକୁଡ଼ା ପାଳନ

ନବରଙ୍ଗପୁର: ଯୁବ ଉଦ୍ୟୋଗୀଙ୍କ ନିଆରା ପ୍ରୟାସ। ରାଜ୍ୟ ଯୋଜନା ଅନ୍ତର୍ଗତ ପିଞ୍ଜରାରେ ଅଣ୍ଡା ଦିଆ କୁକୁଡ଼ା ପାଳନ। ଏହି ଭଳି ଏକ ନିଆରା ବ୍ୟବସାୟ କରି ଲୋକ ଲୋଚନକୁ ଆସିଛନ୍ତି ଉମରକୋଟ ଅଞ୍ଚଳର ଚିତରଞ୍ଜନ ପରିଡା। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ଯୁବ ବ୍ୟବସାୟୀ ନୂତନ ବ୍ୟବସାୟିକ ପନ୍ଥାକୁ ବାଛି ନେଇଛନ୍ତି ଯାହାକି ଜିଲ୍ଲାର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ କିଛି ମାତ୍ରାରେ ସହାୟକ ହୋଇ ପାରିବ ଓ କିଛି ଲୋକଙ୍କୁ ରୋଜଗାର ଯୋଗାଇବ ବୋଲି ଆଶା କରାଯାଉଛି।
ଚିତ୍ତରଞ୍ଜନ ପରିଡା ପିଲା ଦିନରୁ ଚାଷ ପ୍ରତି ରୁଚି ରଖନ୍ତି।ସେ ବିଭିନ୍ନ ପ୍ରକାର ଫଳ ପନି ପରିବା, ମକା, ବିରି, କାନ୍ଦୁଲ ଡାଲି ଚାଷ କରନ୍ତି କିନ୍ତୁ ବର୍ତ୍ତମାନ କିଛି ନୂତନ କରିବାକୁ ଚେଷ୍ଟା କରିଛନ୍ତି। ଚିତ୍ତରଞ୍ଜନ କହିଛନ୍ତି, ପ୍ରାଣୀ ଚିକିତ୍ସକ ପ୍ରକାଶ ମହାନ୍ତିଙ୍କ ସହଯୋଗ ପ୍ରତି ଉତ୍ସାହିତ ହୋଇ ଏହା ଆରମ୍ଭ କରିଛନ୍ତି। ସରକାରଙ୍କ ପ୍ରାଣୀ ସମ୍ପଦ ଯୋଜନା ଭିତରୁ ଏହା ଏକ ଯୋଜନା ଯାହାକି ଏବେ ଉମରକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଏହାର ବ୍ୟୟ ଅଟକଳ ୭,୫୯,୨୦୦/- ହୋଇଥିବା ବେଳେ ସରକାରୀ ସହାୟତା ରାଶି ୩,୦୩,୬୦୦ ଟଙ୍କା ମିଳିଥିବା ସୂଚନା ମିଳିଛି। ୧୨୦୦ ବର୍ଗ ମିଟର ପରିମିତ ଜାଗାରେ ଗୋଟିଏ ଘର ତିଆରି କରାଯାଇଛି ଓ ଏହାକୁ ତିଆରି କରିବାକୁ ଭଦ୍ରକରୁ କାରିଗର ଆସି ତିଆରି କରିଛନ୍ତି। ଏହି ଘରେ ବର୍ତମାନ ୧୦୦୦ କୁକୁଡ଼ା ରହୁଛନ୍ତି। ଗୋଟିଏ କୁକୁଡ଼ା ୨ବର୍ଷ ଯାଏଁ ଅଣ୍ଡା ଦିଅନ୍ତି। ଗୋଟିଏ କୁକୁଡ଼ା ଏକ ବର୍ଷରେ ୩୨୦ଟି ଅଣ୍ଡା ଦିଅନ୍ତି। ଏହି କୁକୁଡ଼ା ଗୁଡିକ ହାଇଦ୍ରାବାଦରୁ ଅଣାଯାଇଛି। ପ୍ରତିଦିନ ଗୋଟିଏ କୁକୁଡ଼ା ପିଛା ୩.୧୦ପଇସା ଖର୍ଚ୍ଚ ହେଉଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଭଳି ବ୍ୟବସାୟ ଉମରକୋଟ ଅଞ୍ଚଳରେ ପ୍ରଥମ ହୋଇଥିବା ବେଳେ ଏହା ଦ୍ବାରା ବ୍ୟବସାୟୀ ଓ ଲୋକେ ଏହାର ଭରପୁର ଫାଇଦା ପାଇ ପାରିବେ।
ବର୍ତମାନ ଉମରକୋଟକୁ ପଡୋଶୀ ରାଜ୍ୟରୁ ଅଣ୍ଡା ଆସୁଛି ଯାହାକି ଲୋକଙ୍କ ପାଖକୁ ପହଁଚିଲା ବେଳେକୁ ଅନେକ ଦିନ ଲାଗୁଛି।ବର୍ତ୍ତମାନ ଲୋକେ ତାଜା ଅଣ୍ଡା କମ ମୂଲ୍ୟରେ ପାଇ ପାରିବେ ବୋଲି ଆଶା କରାଯାଉଛି। ଏହି କୁକୁଡ଼ା ପାଳନ କେନ୍ଦ୍ରରୁ ପ୍ରତିଦିନ ୯୦୦ ରୁ ୯୫୦ ଅଣ୍ଡା ବାହାରିବ ବୋଲି ଚିତ୍ତରଞ୍ଜନ ଆଶା ରହିଛନ୍ତି। ଏହି ଅନୁଷ୍ଠାନରେ ବର୍ତମାନ ୩ ରୁ ୪ ଜଣ ରୋଜଗାର ପାଇ ପାରୁଛନ୍ତି। ବ୍ୟବସାୟୀ ନିଜ ହାତ ପାହାନ୍ତାରେ ତାଜା ଅଣ୍ଡା ଓ କମ ମୂଲ୍ୟ ରେ ପାଇ ପାରୁଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି। ସରକାରଙ୍କ ପ୍ରୋତ୍ସାହନରେ ଏହି ଭଳି ଅନେକ ଯୋଜନା ଅଛି ଯଦି ସେଗୁଡିକୁ ସଫଳ କରାଯାଏ ତାହେଲେ ଏହି ଭଳି ଅନେକ ରୋଜଗାରକ୍ଷମ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।
Comments are closed.