ଇସଲାମାବାଦ/ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଂଗଠନକୁ ବ୍ୟବହାର କରୁଛି ପାକିସ୍ତାନ। ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ ଜୈଶ ଜରିଆରେ ଭାରତରେ ବିସ୍ଫୋରଣ କରାଉଛି। ଏହା ସ୍ବୀକାର କରିଛି ଖୋଦ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫ। ଗୋଟିଏ ପଟେ ନିଜ ମାଟିରେ ବଢ଼ୁଥିବା ଆତଙ୍କବାଦକୁ ଶେଷ କରିବା ଲାଗି ପାକ୍ ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପଡୁଥିବାବେଳେ ମୁଶରଫଙ୍କ ଏଭଳି ବୟାନ ପାକିସ୍ତାନର ଅସଲ ମୁଖାକୁ ପଦାରେ ପକାଇଛି।
ପାକିସ୍ତାନର ନ୍ୟୁଜ ଚ୍ୟାନେ ହମ୍ ଟିଭିକୁ ଏକ ସାକ୍ଷାତକାର ଦେବା ଅବସରରେ ମୁଶରଫ କହିଛନ୍ତି, ସେ ଯେତେବେଳେ କ୍ଷମତାରେ ଥିଲେ ସେତେବେଳେ ତାଙ୍କ ସରକାର ଜୈଶ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। କାରଣ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଜୈଶ ସହ ମିଶି କାମ କରୁଥିଲା। ଆଇଏସଆଇ ମାସୁଦ ଆଝାରଙ୍କ ନେତୃତ୍ଵରେ ଚାଲିଥିବା ଜୈଶକୁ ନିଜର ଏକ ଅଂଶ ଭାବେ କାର୍ଯ୍ୟରେ ଲଗାଇ ଭାରତରେ ଆତ୍ମଘାତୀ ବିସ୍ଫୋରଣ ଘଟାଉଥିଲା। ଆଇଏସଆଇ ଯେହେତୁ ଜୈଶ ସହ କାମ କରୁଥିଲା ତେଣୁ ମୋ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା ବୋଲି ମୁଶରଫ କହିଥିଲେ। ଭାରତ ଏବଂ ପାକିସ୍ତାନ ପରସ୍ପରର ଦେଶରେ ବୋମା ବିସ୍ଫୋରଣ କରୁଥିଲେ। ତେଣୁ ଯେଶାକୁ ତେସା ନୀତିରେ ସେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ।
ମୁଶରଫ ଆହୁରି କହିଥିଲେ ଯେ, ଜୈଶ ସଂଗଠନ ତାଙ୍କୁ ମଧ୍ୟ ହତ୍ୟା କରିବା ଲାଗି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା। ଥରେ ନୁହେଁ, ଦୁଇ ଦୁଇ ଥର ତାଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ତେଣୁ ବର୍ତ୍ତମାନ ଇମ୍ରାନ ଖାନଙ୍କ ସରକାର ଜୈଶ ବିରୋଧରେ ନେଉଥିବା କାର୍ଯ୍ୟାନୁଷ୍ଠାନକୁ ସେ ସ୍ବାଗତ କରୁଛନ୍ତି। ଏହି ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।
ଅନ୍ୟପଟେ ମୁଶରଫ ଦାବି କରିଛନ୍ତି ଯେ, ହଫିଜ ସୟିଦଙ୍କ ଜମାତ-ଉଦ୍-ଦାୱା(ଜେୟୁଡି) ଏବଂ ଲଶ୍କର-ଏ-ତଇବା(ଏଲଇଟି) ସଂଗଠନ ତାଙ୍କ ଦେଶରେ କୌଣସି ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ନ ଥିଲେ। ବରଂ ସେ ପାକିସ୍ତାନର ଶ୍ରେଷ୍ଠ ଏନଜିଓ ଥିଲେ ବୋଲି ସେ କହିଛନ୍ତି।



