ମୁରିବାହାଲ : ମୁରିବାହାଲ ଥାନା ଲଖନା ଗ୍ରାମର ବିମଲ ମାଝୀଙ୍କ ଝିଅ କସ୍ତୁରୀ ମାଝୀ(୧୫) ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କସ୍ତୁରୀ ଗାଁ ପୋଖରୀକୁ ଗାଧୋଇବାପାଇଁ ଯାଇଥିଲେ। ନାବାଳିକା ଜଣଙ୍କର ମାନସିକ ସ୍ଥିତି ଠିକ ନଥିବା ପରିବାର ଲୋକ କହିଛନ୍ତି। ପୋଷାକ ଓ ବାଲଟି ପୋଖରୀ ପାଖରେ ଥିବା ଦେଖିବାକୁ ପାଇ ଗ୍ରାମବାସୀ ସନ୍ଦେହ କରି ମୁରିବାହାଲ ଦମକଳ ବିଭାଗ ଏବଂ ମୁରିବାହାଲ ଥାନାକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ପୋଖରୀ ଭିତରକୁ ପଶି ଅନେକ ସମୟ ଖୋଜାଖୋଜି କଲା ପରେ ନାବାଳିକାର ମୃତଦେହକୁ ଉଦ୍ଧାର କରିଥିଲେ।ମୁରିବାହାଲ ଏଏସଆଇ ଦେବାର୍ଚ୍ଚନ ବରିହା ଓ କନେଷ୍ଟବଳ ରବୀନ୍ଦ୍ର ମାଝୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତକରି ଡାକ୍ତରୀ ମାଇନା ପାଇଁ କଣ୍ଟାବାଞ୍ଜି ପଠାଇବା ଜଣାପଡିଛି। ଅଗ୍ନିଶମ ବିଭାଗ କର୍ମଚାରୀ ଓଆଇସି ରଞ୍ଜିତ କେରକେଟା, ଡିକେ.ଏଫଏମ ସୁରେନ୍ଦ୍ର ପ୍ରଧାନ, ଏଫ.ଏମ ନରେନ୍ଦ୍ର ସିରଦାର, ମୀନକେତନ ନାୟକ, ସୌମ୍ୟରଂଜନ ବୁଏ, ବିକ୍ରମ ନାୟକ ପ୍ରମୁଖ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।
Popular Categories



