ମୁଖୀଗୁଡା: ଶଲ୍ୟ ପ୍ରସବ ଓ ଜନ୍ମନିୟନ୍ତ୍ରଣ ଅପେରସନ ପରେ ଏବେ ଅହଲ୍ୟାଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି ହୋଇଛି। ଏବେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ସରକାରୀ ସହାୟତା ତାଙ୍କ ପାଇଁ ଜରୁରୀ ହୋଇ ପଡିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ୍ଧପଡା ବାସିନ୍ଦା ଅହଲ୍ୟା ରାଉତ (୨୪)ଙ୍କର ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଶଲ୍ୟ ପ୍ରସବରେ ଏକ କନ୍ୟା ସନ୍ତାନ ଜନ୍ମ ସହ ଜନ୍ମନିୟନ୍ତ୍ରଣ ଅପରେସନ ଗତ ମାର୍ଚ୍ଚ୨୮ ତାରିଖରେ କରାଯାଇଥିଲା। ସେଠାରେ ସେ ଆଠ ଦିନ ରହିବା ପରେ ଘରକୁ ଫେରି ଥିଲେ। ହେଲେ ତାଙ୍କର ନୂଆ ସମସ୍ୟା ଦେଖା ଗଲା। ପରିଶ୍ରା ନିଜ ନିୟନ୍ତ୍ରଣରେ ରହିଲା ନାହିଁ।
ଏଥିପାଇଁ ପୁଣି ବିଷମକଟକ ଯାଇ ଚିକିତ୍ସା କଲେ ହେଲେ କେବଳ ଟଙ୍କା ଖର୍ଚ୍ଚ ହେଲା କିଛି ସୁଫଳ ମିଳିଲା ନାହିଁ। ଶେଷରେ ସେଠାରେ ପରାମର୍ଶ ଦିଆଗଲା ବିଶାଖାପାଟଣା କିମ୍ବା ଭୁବନେଶ୍ୱର ନେବା ପାଇଁ। ମିସ୍ତ୍ରୀ କାମ କରୁଥିବା ସ୍ୱାମୀ ବିରଞ୍ଚି ରାଉତଙ୍କ ପାଖରେ ଯାହା ଟଙ୍କା ଥିଲା ଛଅ ମାସ ହେଲା ସବୁ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିଦେଇଥିବା ବେଳେ କୁଳି ମଜୁରୀ କାମ କରୁଥିବା ଅହଲ୍ୟା ମଧ୍ୟ ବେରୋଜଗାର ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ତାଙ୍କ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ ମଧ୍ୟ କାମ କରୁ ନାହିଁ। ଏବେ ଅହଲ୍ୟାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଅହଲ୍ୟାଙ୍କ ଚିକିତ୍ସା ଜରୁରୀ ହୋଇ ପଡିଛି ଓ ସେଥିପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।



