ଆଗ୍ରା: ଜଣେ ନାବାଳକ ନିଜ ମା’ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ନାବାଳକ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ମା’ ନିଶାସକ୍ତ ଅବସ୍ଥାରେ ତାଙ୍କୁ ମାରପିଟ୍ କରୁଛନ୍ତି। ଏହି କାରଣରୁ ସେ ଆଈଙ୍କ ଘରେ ରହୁଛନ୍ତି। କିନ୍ତୁ ତାଙ୍କ ମା’ ସେଠାରେ ତାଙ୍କୁ ରହିବାକୁ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନାବାଳକଙ୍କ ମା’ ଓ ବାପା ଅନ୍ୟତ୍ର ବିବାହ କରି ସାରିଛନ୍ତି। ଏହି କାରଣରୁ ନାବାଳକ ଜଣଙ୍କ ନିଜ ଆଈଙ୍କ ଘରେ ରହି ପଢୁଛନ୍ତି। ହେଲେ ତାଙ୍କ ମା’ ତାଙ୍କୁ ସେଠାରେ ଶାନ୍ତିରେ ରଖେଇ ଦେଉନାହାନ୍ତି। ଗତ କିଛି ଦିନ ତଳେ ନାବାଳକଙ୍କ ମା’ ଆସି ତାଙ୍କୁ ନିଜ ସହ ଘରକୁ ନେଇଯାଥିଲେ। ସେଠାକୁ ଅନ୍ୟ କେତେକ ଲୋକମାନେ ମଧ୍ୟ ଆସନ୍ତି। ସେମାନଙ୍କୁ ମଦ ପରଶିବା ପାଇଁ ନାବାଳକଙ୍କୁ ତାଙ୍କ ମା’ ଅନେକ ଥର ବାଧ୍ୟ କରିଛନ୍ତି। ସେ ରାଜି ନହେଲେ ତାଙ୍କ ମା’ ଏବଂ ଘରକୁ ଆସୁଥିବା ଲୋକମାନେ ମିଶି ନାବାଳକଙ୍କୁ ପିଟନ୍ତି। ଏଭଳି ଘଟଣା ଘଟିବା ପରେ ସେ ବାଧ୍ୟ ହୋଇ ପୁଣି ଆଈଙ୍କ ଘରକୁ ଫେରି ଆସିଥିଲେ। ପୁଣି ଗତ ବୁଧବାର ନାବାଳକଙ୍କୁ ନେବା ପାଇଁ ତାଙ୍କ ମା’ ଆସିଥିଲେ। କିନ୍ତୁ ଆଈ ଓ ସ୍ଥାନୀୟଲୋକେ ବିରୋଧ କରିବାରୁ ସେ ଧମକ ଦେଇ ଯାଇଛନ୍ତି ବୋଲି ନାବାଳକ ଜଣଙ୍କ ଥାନରେ ଅଭିଯୋଗ କରିଛନ୍ତି। ତାଙ୍କ ମା’ ବିରୋଧରେ କଡା କାଯ୍ୟାନୁଷ୍ଠାନ ନେବା ପାଇଁ ନାବାଳକ ପୁଲିସକୁ ଅନୁରୋଧ କରିଛନ୍ତି।



