ମୋହନା ; ସାରା ଦୁନିଆରେ କରୋନା ଭୁତାଣୁ ଆତଙ୍କ ଖେଳାଇଥିବା ବେଳେ ଏହାକୁ ରୋକିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ଥାନୀୟ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମୋହନା ବ୍ଳକରେ ରହିଥିବା ୩୯ଟି ପଂଚାୟତର ବହୁ ଦୁର୍ଗମ ଗ୍ରାମକୁ ଯାଇ ଗ୍ରାମାଚଂଳର ସାଧାରଣ ଲୋକଙ୍କୁ କରୋନା ଭୁତାଣୁ ସମ୍ପର୍କରେ ସଚେତନତା କରାଇ ବିଭିନ୍ନ ନିୟମକୁ ପାଳନ କରିବା ପାଇଁ କହିଥିଲେ। ପଦା ଗାଲମାରେ ଆଦିବାସୀ ଲୋକଙ୍କୁ ସଚେତନତା କରିବା ସହ ଗ୍ରାମରେ ଜଣେ ଲୋକଙ୍କ ଘରପ୍ରତିଷ୍ଠା ଭୋଜି ଲାଗିଥିବା ବେଳେ ସେମାନଙ୍କୁ ଭୋଜି ଭାତ ନକରିବା ପାଇଁ କହିଥିଲେ ତତସହିତ ସାମାଜିକ ଦୂରତା ରକ୍ଷା କରି ଚଳିବା ପାଇଁ ବୁଝାଇଥିଲେ। ଅପରପକ୍ଷେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ମୋହନା, ଚନ୍ଦ୍ରଗିରି, ଚାନ୍ଦିପୁଟ, ଲୁହାଗୁଡି ଆଦି ଗ୍ରାମାଚଂଳ ବୁଲି ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବା, ମାସ୍କ କିମ୍ବା ରୁମାଲ ବାନ୍ଧି ଘରେ ରହିବା, ବାହାରୁ ଯେ କୌଣସି ବ୍ୟକ୍ତି ଘରକୁ ଆସିଲେ ସାନିଟାଇଜର କିମ୍ବା ସାବୁନରେ ହାତ ସଫା କରିବା ଏବଂ ପରିବା ଦୋକାନୀ, କିରାଣୀ ଦୋକାନୀ, ମାଛ, ମାଂସ ଓ ଅଣ୍ଡା ଦୋକାନୀ ଗୁଡିକ ଏକ ମିଟର ଦୂରତାରେ ଚକ୍ରକାର ବୃତ କରି ଛିଡା ହୋଇ ସଉଦା ନେବା ପାଇଁ କହିଥିଲେ। ଚାନ୍ଦିପୁଟ ଗ୍ରାମର ସାହି ଗୁଡିକରେ ଲୋକମାନେ କାଠ ପକାଇ ବାଡ ଦେଇ ରାସ୍ତା ଅବରୋଧ କରିଥିବା ବେଳେ ଲିଲିଗଡରେ ଗ୍ରାମର ମୁଖ୍ୟ ରାସ୍ତାରେ ରସିବାନ୍ଧୀ ଗ୍ରାମ ମୁହଁରେ ସାନିଟାଇଜର ଓ ସାବୁନ ରଖି ଲୋକମାନଙ୍କୁ ହାତଧୋଇ ଘର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସେହିପରି ୩୯ଟି ପଂଚାୟତ ମଧ୍ୟରୁ ପ୍ରଥମ କରି ଅଡବା ବିଦ୍ୟାଳୟରେ କରୋନା ଭୁତାଣୁ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ଅନ୍ୟ ପଂଚାୟତ ଗୁଡିକରେ ଦୁଇ ଦିନ ମଧ୍ୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ ବୋଲି ବିଡିଓ ବଂଶିଧର ଖୋସଲା କହିଛନ୍ତି । ଦୁର୍ଗମ ଅଂଚଳରେ ଲୋକମାନେ କରୋନା ଭୁତାଣୁକୁ ଗ୍ରାମରେ ପ୍ରବେଶ ନକରାଇବା ପାଇଁ ଘରେ ରହି ସମସ୍ତ ସଚେତନତାକୁ ପାଳନ କରୁଥିବା ବେଳେ ଅପରପକ୍ଷେ ମୋହନା ସହରର କିଛି ସାହି ବାସିନ୍ଦା ଖୋଲମ ଖୋଲା ବାହାରେ ବୁଲିବା ସହ ନିୟମକୁ ଉଲଂଘନ କରୁଥିବା ଦେଖିବାକୁ ମିଳୁଛି ।



