ସୁନ୍ଦରଗଡ଼: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲାରେ ପ୍ରଚାର କରିବା ସମୟରେ କେନ୍ଦ୍ର ସରକାର ଉପରେ ବର୍ଷିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ବିଜେଡିକୁ ସମାଲୋଚନା କରିଛନ୍ତି। ବିଜେଡି ଓଡ଼ିଶାବାସୀଙ୍କ ବିକାଶରେ ବାଧକ ସାଜିଛି। ବିଜେଡି ଏବଂ କଂଗ୍ରେସ ପାଇଁ ଆଦିବାସୀ ଓ ଦଳିତ କେବଳ ଭୋଟ ବ୍ୟାଙ୍କ ବୋଲି ମୋଦୀ କହିଛନ୍ତି।
ସୁନ୍ଦରଗଡ଼ରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ମୋଦୀ ଯୋଗ ଦେଇ କହିଥିଲେ, ଆଦିବାସୀଙ୍କ ବିକାଶ ପାଇଁ ଝାଡ଼ଖଣ୍ଡ, ଛତିଶଗଡ଼ ଗଠନ ହୋଇଥିଲା। ଏବେ ଝାଡ଼ଖଣ୍ଡର ଗାଁ ଗାଁରେ ବିକାଶ ପହଞ୍ଚିଛି। ଝାଡ଼ଖଣ୍ଡର ଯୁବକମାନଙ୍କୁ କାମ ପାଇଁ ବାହାରକୁ ଯିବାକୁ ପଡୁନି। ଓଡ଼ିଶା ଗରିବ ନୁହେଁ, ଓଡ଼ିଶା ଲୋକଙ୍କ ପାଖରେ ସାମର୍ଥ୍ୟ ରହିଛି। ମାତ୍ର ଓଡ଼ିଶାରେ ଉଚିତ ନୀତି ଓ ନିୟତ ନାହିଁ। ଯଦି ବିଜେଡିର ନିୟତ ଠିକ୍ ଥାନ୍ତା କୃଷକଙ୍କୁ ଉଚିତ ମୂଲ୍ୟ ମିଳିଥାନ୍ତା। କୃଷକଙ୍କୁ ସହାୟତା, ସ୍ବାସ୍ଥ୍ୟ ସୁବିଧା ମିଳୁଥାନ୍ତା। ଓଡ଼ିଶାରେ ୮ ଲକ୍ଷ ଲୋକଙ୍କୁ ପକ୍କା ଘର ଦିଆଯାଇଛି। କିନ୍ତୁ ୮ଲକ୍ଷରୁ ବହୁ ଅଧିକ ଗରିବ ପକ୍କା ଘର ପାଇଥାନ୍ତେ। ଖଣିରୁ ମିଳୁଥିବା ଟଙ୍କାରେ ଉନ୍ନତି ହୋଇପାରନ୍ତା। ପ୍ରତି ଆଦିବାସୀ ବହୁଳ ଜିଲାକୁ ୫ କୋଟି ଲେଖାଏଁ ସହାୟତା ମିଳୁଛି। ବିଜେଡି, କଂଗ୍ରେସ ସେମାନଙ୍କ ବିକାଶ ପାଇଁ ବିଶେଷ ଭାବେ ଧ୍ୟାନ ଦେଇନାହାନ୍ତି। ସେଥିପାଇଁ ଓଡ଼ିଶାରେ କଂଗ୍ରେସ ନିଶ୍ଚିହ୍ନ ହେବାକୁ ବସିଛି। ମାଓବାଦୀଙ୍କୁ ହଟାଇବାକୁ ବିଜେପି ଯୋଜନା କରୁଛି। କିନ୍ତୁ କଂଗ୍ରେସ ସେମାନଙ୍କୁ ସମର୍ଥନ କରୁଛି। ବିଜେଡି ଆପଣମାନଙ୍କ ବିକାଶରେ ରୋକ ଲଗାଇ ଦେଇଛି। ଏଭଳି ସରକାରକୁ ବଦଳାଯିବା ଦରକାର କି ନାହିଁ ବୋଲି ମୋଦୀ ପ୍ରଶ୍ନ କରିଥିଲେ। ଏଥିସହ ସେ କହିଥିଲେ, ମହିଳା ଓ ଯୁବତୀମାନଙ୍କ ସୁରକ୍ଷା ପାଇଁ ବିଜେଡି ସରକାରର ଚିନ୍ତା ନାହିଁ। ଦେଶର ସୁରକ୍ଷା ଏବଂ ଓଡ଼ିଶାର ବିକାଶ ପାଇଁ ପଦ୍ମ ଫୁଟାଇବାକୁ ପଡ଼ିବ ବୋଲି ମୋଦୀ ଆହ୍ବାନ ଦେଇଥିଲେ।



