ଜୟପୁର: ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ରହିଛି। ମୁଁ ଗୁଜରାଟରେ କାମ କରୁଥିବାବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ଯେ, ହେ ପ୍ରଭୁ ଜଗନ୍ନାଥ ଯାହା ଓଡ଼ିଶାରେ ଅଛି ସେଥିରୁ ମୁଠିଏ ମୋତେ ଦେଇଦିଅ, ମୁଁ ଗୁଜରାଟକୁ କେଉଁଠାରୁ କେଉଁଠି ନେଇ ପହଞ୍ଚାଇଦେବି ବୋଲି ଭାବୁଥିଲି। ଓଡ଼ିଶାରେ ପ୍ରାଚୀନ ମନ୍ଦିର ଅଛି, ସୁନ୍ଦର ଝରଣା ଅଛି, ଘନ ଜଙ୍ଗଲ ଅଛି, ସମୁଦ୍ର ତଟ ଅଛି, ପର୍ଯ୍ୟଟନର ଅସୀମ ସମ୍ଭାବନା ରହିଛି। ଏହା ଯୁବଗୋଷ୍ଠୀଙ୍କୁ ରୋଜଗାର ଦେଇପାରିବ। ଓଡ଼ିଶା ପ୍ରାକୃତିକ ସମ୍ପର୍କରେ ପ୍ରଚୁର ଧୀନ, କିନ୍ତୁ ଏଠାକାର ଲୋକ ଗରିବ ବୋଲି ମୋଦୀ ଜୟପୁର ସଭାରେ କହିଚନ୍ତି। ଏହା କଂଗ୍ରେସ ଏବଂ ବିଜେଡି ସରକାରର ବିଫଳତାର ଜ୍ଵଳନ୍ତ ଉଦାହରଣ ବୋଲି ସେ କହିଛନ୍ତି। ବିଗତ ୬୦ ଦଶନ୍ଧି ଧରି ଯେଉଁମାନେ ଓଡ଼ିଶାକୁ ଶାସନ କରୁଛନ୍ତି ସେମାନେ ଓଡ଼ିଶାବାସୀଙ୍କୁ ଗରିବୀ ଏବଂ ଭୋକ ଉପାସରେ ରଖିବା ଛଡ଼ା ଆଉ କିଛି ଦେଇନାହାନ୍ତି।
ମୋଦୀ ଆହୁରି କହିଥିଲେ ଯେ, ଗରିବ ଏବଂ ଆଦିବାସୀଙ୍କ ନାମରେ ଯୋଜନା ହେଉଛି। କିନ୍ତୁ ଦଲାଲମାନେ ତାହାର ଫାଇଦା ଲୁଟି ନେଉଛନ୍ତି। ପ୍ରକୃତ ଗରିବ ମୁଣ୍ଡରେ ହାତଦେଇ କାନ୍ଦୁଛି। ଏସବୁ ହେଉଛି ରାଜ୍ୟ ସରକାରଙ୍କ ଯୋଜନାର ଅବସ୍ଥା। ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଗାଁର ଅବସ୍ଥା କିପରି ରହିଛି ତାହା ମୋଠାରୁ ଆପଣମାନେ ଅଧିକ ଜାଣିଛନ୍ତି। ଆଦିବାଦୀ ସମ୍ପଦ ଲୁଟୁଥିବା ଏବଂ ଖଣି ମାଫିଆଙ୍କୁ ପ୍ରୋତ୍ସାହନ ଦେଉଥିବା ଲୋକ କ’ଣ ଓଡ଼ିଶାକୁ ମଜଭୁତ କରିପାରିବ ବୋଲି ମୋଦୀ ପ୍ରଶ୍ନ କରିଥିଲେ।



