ନୂଆଦିଲ୍ଲୀ: ଉତ୍ତର ଭାରତର ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ମଧ୍ୟ ପ୍ରଦେଶ ଆଦି ରାଜ୍ୟଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାୱା ବୃଦ୍ଧି ପାଇଛି। ବିଶେଷ କରି ବିଗତ ଦେଢ଼ ବର୍ଷ ମଧ୍ୟରେ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସଠାରୁ ବିଜେପିକୁ ଝଟ୍କା ମିଳିଥିଲା ସେସବୁ ରାଜ୍ୟରେ ମୋଦୀ ହାୱା ବଢ଼ିଛି ବୋଲି ଇଣ୍ଡିଆ ଟୁଡେ କରିଥିବା ଏକ ସର୍ଭେ ପଲିଟିକାଲ ଷ୍ଟକ୍ ଏକ୍ସଚେଞ୍ଜ(ପିଏସଇ)ରୁ ଜଣାପଡ଼ିଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମୋଦୀ ସରକାରଙ୍କ ଲୋକପ୍ରିୟତା ପୂର୍ବାପେକ୍ଷା ଅଧିକ ରହିଛି ବୋଲି ପିଏସଇ ସର୍ଭେରେ ଦର୍ଶାଇଛି। କିନ୍ତୁ ଦକ୍ଷିଣରେ ମୋଦୀ ଲହର ଦୁର୍ବଳ ରହିଛି ଏବଂ ପୂର୍ବରେ ସନ୍ତୋଷଜନକ ଥିବା ଜଣାପଡ଼ିଛି।
ପିଏସଇ ଅଧୀନରେ କରାଯାଇଥିବା ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ ସନ୍ତୁଷ୍ଟି ସୂଚକାଙ୍କରୁ ଏହି ସୂଚନା ମିଳିଛି। ଉତ୍ତର ଭାରତରେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୋଦୀଙ୍କୁ ଭଲ ସମର୍ଥନ ମିଳିଥିବା ଦେଖାଯାଇଛି। ଏହି ସମର୍ଥନ ହିମାଚଳ ପ୍ରଦେଶରେ ସର୍ବାଧିକ। ମୋଟ ୬୮ ପ୍ରତିଶତ ମତଦାତାଙ୍କ ମଧ୍ୟରୁ ୩୬ ପ୍ରତିଶତ ମୋଦୀଙ୍କୁ ସମର୍ଥନ କରିଛନ୍ତି।
ରାଜସ୍ଥାନରେ ଗତବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନ ହୋଇଥିଲା। ଏଠାରେ କଂଗ୍ରେସ ବିଜେପି ସରକାରକୁ ଗାଦିଚ୍ୟୁତ କରିଥିଲା। କିନ୍ତୁ ଏହା ପରଠାରୁ ଉକ୍ତ ରାଜ୍ୟରେ ମୋଦୀ ହାୱା ବୃଦ୍ଧି ପାଇଛି। ରାଜସ୍ଥାନରେ ମୋଦୀଙ୍କ ସନ୍ତୁଷ୍ଟି ସୂଚକାଙ୍କ ୩୨ ପ୍ରତିଶତ ରହିଛି। ମଧ୍ୟପ୍ରଦେଶରେ କଂଗ୍ରେସ ବିଜେପିକୁ ହଟାଇ ସରକାର ଗଢ଼ିଥିଲେ ମଧ୍ୟ ଏଠାରେ ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି ବୋଲି ସର୍ଭେରେ ଦର୍ଶାଯାଇଛି। ଛତିଶଗଡ଼ରେ ମୋଦୀଙ୍କ ଲୋକପ୍ରିୟତା ସେତେ ନାହିଁ। ଏଠାରେ ମୋଦୀଙ୍କ ସନ୍ତୁଷ୍ଟି ସୂଚକାଙ୍କ ମାତ୍ର ୧୪ ପ୍ରତିଶତ ରହିଛି।
ଉତ୍ତର ପ୍ରଦେଶରେ ମୋଦୀ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି। ଏଠାରେ ମୋଦୀଙ୍କ ସନ୍ତୁଷ୍ଟି ସୂଚକାଙ୍କ ୨୬ ପ୍ରତିଶତ ଥିଲାବେଳେ ହରିୟାଣାରେ ବି ସମାନ ସ୍ଥିତି ରହିଛି। ତେବେ ଉତ୍ତର ଭାରତର ପଞ୍ଜାବରେ ମୋଦୀଙ୍କ ସ୍ଥିତି ଭଲ ନାହିଁ। ଏଠାରେ ଅଧିକାଂଶ ମତଦାତା ମୋଦୀଙ୍କୁ ଘୃଣାତ୍ମକ ସୂଚକାଙ୍କରେ ରଖିଛନ୍ତି। ମାତ୍ର ୧୦ ପ୍ରତିଶତ ମତଦାତା ମୋଦୀଙ୍କ ସନ୍ତୁଷ୍ଟି ସୂଚକାଙ୍କରେ ରହିଛନ୍ତି।
ପୂର୍ବ ଭାରତରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଦୁଇଟି ମୁଖ୍ୟ ରାଜ୍ୟ। ଏହି ଦୁଇ ରାଜ୍ୟରେ ମୋଦୀଙ୍କ ଲୋକପ୍ରିୟତା ସନ୍ତୋଷଜନକ ରହିଥିବା ସର୍ଭେରୁ ଜଣାପଡ଼ିଛି। ଓଡ଼ିଶାରେ ମୋଦୀଙ୍କ ସନ୍ତୁଷ୍ଟି ସୂଚକାଙ୍କ ୩୪ ପ୍ରତିଶତ ଥିବାବେଳେ ପଶ୍ଚିମବଙ୍ଗରେ ୧୮ ପ୍ରତିଶତ ଥିବା ଦର୍ଶାଯାଇଛି।
ଅନ୍ୟପଟେ ଦେଶର ଦକ୍ଷିଣ ରାଜ୍ୟଗୁଡ଼ିକରେ ମୋଦୀଙ୍କ ଲୋକପ୍ରିୟତା ବହୁତ କମ୍ ରହିଛି। କେରଳରେ ସ୍ଥିତି ସବୁଠାରୁ ଖରାପ। ଏଠାରେ ମୋଦୀଙ୍କ ସନ୍ତୁଷ୍ଟି ସୂଚକାଙ୍କ ବିଯୁକ୍ତ ୪୪ ପ୍ରତିଶତ(-୪୪%) ରହିଛି। ସର୍ଭେ ସମୟରେ ଏଠାରେ ଯେଉଁସବୁ ଲୋକଙ୍କ ମତାମତ ନିଆଯାଇଥିଲା ସେମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ମୋଦୀଙ୍କ ଉପରେ ଅସନ୍ତୁଷ୍ଟ ଥିବା କହିଥିଲେ। ସେହିପରି ତାମିଲନାଡୁରେ ମୋଦୀଙ୍କ କାର୍ଯ୍ୟ ଉପରେ ୬୮ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଥିବା କହିଛନ୍ତି। ତେବେ ତେଲେଙ୍ଗାନାରେ ୪୯ ପ୍ରତିଶତ ମୋଦୀଙ୍କୁ ସମର୍ଥନ କରୁଥିବାବେଳେ ୫୧ ପ୍ରତିଶତ ଅସନ୍ତୁଷ୍ଟ ରହିଛନ୍ତି।



