ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଆଲୋଚନା; ଭାରତକୁ ପ୍ରତ୍ୟର୍ପଣ ହେବେ ଜାକିର ନାଏକ

ନୂଆଦିଲ୍ଲୀ: ବିବାଦୀୟ ମୁସଲିମ ଧର୍ମଗୁରୁ ଜାକିର ନାଏକଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବ ମାଲେସିଆ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦଙ୍କ ମଧ୍ୟରେ ଆଲୋଚନା ହୋଇଛି। ମୋଦୀ ରୁଷର ଭ୍ଲାଦିଭୋସ୍ତକ ଗସ୍ତ କରିଥିବାବେଳେ ସେଠାରେ ଗୁରୁବାର ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ପ୍ରସଙ୍ଗରେ କଥା ହୋଇଥିଲେ। ପ୍ରତ୍ୟର୍ପଣ ନେଇ ଦୁଇ ଦେଶର ଅଧିକାରୀମାନେ ଲାଗାତାର ଆଲୋଚନା ଜାରି ରଖିବେ ବୋଲି ସ୍ଥିର ହୋଇଛି। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ ବିଦେଶ ସଚିବ ବିଜୟ ଗୋଖଲେ ଏହା କହିଛନ୍ତି।

୨୦୧୬ରେ ଜାକିର ନାଏକ ଭାରତରୁ ଲୁଚି ମାଲେସିଆ ଫେରାର ହୋଇଯାଇଥିଲେ। ସେତେବେଳେ ସେଠାକାର ସରକାର ତାଙ୍କୁ ସ୍ଥାୟୀ ଭାବେ ରହିବା ଲାଗି ଅନୁମତି ଦେଇଥିଲେ। ଜାକିର ନାଏକ ବିରୋଧରେ ଭାରତରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା, ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବା ଲାଗି ଯୁବପିଢ଼ିଙ୍କୁ ପ୍ରବର୍ତ୍ତାଇବା ଭଳି ଗୁରୁତର ଅଭିଯୋଗ ରହିଛି। ଏସବୁ ଅଭିଯୋଗ ଆଧାରରେ ସେ ଭାରତରେ ମୋଷ୍ଟ ୱାଣ୍ଟେଡ୍‌ ରହିଛନ୍ତି। ତେବେ ଭାରତ ସରକାରଙ୍କ ପକ୍ଷରୁ ମାଲେସିଆ ସହିତ ଏହି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି। କିନ୍ତୁ ଭାରତକୁ କୌଣସି ସଫଳତା ମିଳିନାହିଁ। ନିକଟରେ ମାଲେସିଆରେ ମଧ୍ୟ ଜାକିର ନାଏକ ବିରୋଧରେ ଧର୍ମ ସମ୍ବନ୍ଧରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗ ଆସିବା ପରେ ସେଠାକାର ସରକାର ତାଙ୍କ ଉପରେ କଟକଣା ଲଗାଇଛନ୍ତି।

Comments are closed.