ବିସ୍କେକ୍: କିର୍ଗିଜସ୍ତାନର ରାଜଧାନୀ ବିସ୍କେକରେ ଗୁରୁବାରଠାରୁ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମଳନୀ ଆରମ୍ଭ ହୋଇଛି। ଏଥିରେ ଭାରତ, ପାକିସ୍ତାନ, ଚୀନ, ରୁଷ ସମେତ ବିଭିନ୍ନ ରାଷ୍ଟ୍ରର ନେତାମାନେ ଯୋଗଦେଇଛନ୍ତି। ତେବେ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକା ସମୟରେ ପହଞ୍ଚିଥିଲେ। କିନ୍ତୁ ମୋଦୀ ଇମ୍ରାନଙ୍କ ସହିତ ହାତ ମିଳାଇ ନ ଥିଲେ କି କଥା ବି ହୋଇ ନ ଥିଲେ। ସେହିପରି ସମ୍ମିଳନୀ ଚାଲିଥିବାବେଳେ ଇମ୍ରାନ ଏକ କୋଣରେ ବସିରହିଥିବା ଦେଖାଯାଇଥିଲା। ପ୍ରଥମ ଦିନ ସମ୍ମିଳନୀ ଆରମ୍ଭ ହେବାଠାରୁ ଶେଷ ପର୍ଯ୍ୟନ୍ତ ମୋଦୀ ତାଙ୍କ ସହିତ ଆଦୌ କଥାବାର୍ତ୍ତା ହୋଇ ନ ଥିଲେ।
ମୋଦୀ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଶ୍ଵର ଅନ୍ୟ ନେତାମାନଙ୍କୁ ସ୍ବାଗତ କରିବା ସହ ହାତ ମିଳାଇଥିଳେ। କିନ୍ତୁ ଇମ୍ରାନଙ୍କୁ ଅଣଦେଖା କରି ମୋଦୀ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ, ଯେକୌଣସି ମଞ୍ଚ ହେଉ, ଆତଙ୍କବାଦକୁ ଶେଷ ନ କରିବା ଯାଏ ପାକିସ୍ତାନ ପ୍ରତି ତାଙ୍କର ବ୍ୟବହାର ବଦଳିବ ନାହିଁ।
ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବା ସହିତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ଏହି ଅବସରରେ ମୋଦୀ କହିଥିଲେ ଯେ, ପାକିସ୍ତାନ ଭାରତ ସହିତ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଆତଙ୍କବାଦ ବିରୋଧରେ ଦୃଢ଼ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।



