ବଲାଙ୍ଗୀର: ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସମୃଦ୍ଧ। ପ୍ରକୃତିର ବରଦାନ ଯୋଗୁଁ ଏଠାରେ ଅନେକ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳ ରହିଛି। ସେସବୁର ବିକାଶ, ପୁନରୁ୍ଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରି ଆସୁଛନ୍ତି। ଏହା ସାକାର ହେଲେ ପୂର୍ବ ଭାରତ ସହିତ ଓଡ଼ିଶା ସମ୍ପର୍କରେ ଉନ୍ନତି ଘଟିବ। ରୋଜଗାର ବୃଦ୍ଧି ପାଇବ। କିନ୍ତୁ ପୂର୍ବର କେନ୍ଦ୍ର ସରକାର ଏ ଦିଗରେ ଉଦାସୀନ ଥିଲେ। ବଲାଙ୍ଗୀର ପଥରଚେପାଠାରେ ଦଳୀୟ କର୍ମୀ ଓ ଜନସମାବେଶକୁ ଏଭଳି ଢଙ୍ଗରେ ସମ୍ବୋଧିତ କରିବା ସହିତ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପଶ୍ଚିମ ଓଡ଼ିଶାର ଦେବାଦେବୀଙ୍କୁ ଭକ୍ତିପୂତ ପ୍ରଣାମ, ବରପୁତ୍ରଙ୍କୁ ସ୍ମରଣ ଓ ନକ୍ସଲ ଗୁଳିରେ ସହିଦ ଅଚ୍ୟୁତାନନ୍ଦ ସାହୁଙ୍କ ଦେଶଭକ୍ତିର ପ୍ରଶଂସାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ମୋଦୀଙ୍କ ସମ୍ବୋଧନର ଅର୍ଦ୍ଧାଧିକ ସମୟ ସମର୍ପିତ ଥିଲା ଓଡ଼ିଶାର ସଂସ୍କୃତି ଓ ବିକାଶ ପ୍ରସଙ୍ଗରେ।
ପ୍ରଥମେ ତାଙ୍କ ବକ୍ତବ୍ୟରେ ସ୍ଥାନ ପାଇଥିଲା କୋଣାର୍କ। ଶାମ୍ବ ଦଶମୀ ଅବ୍ୟବହିତ ପୂର୍ବରୁ ମୋଦୀ ଓଡ଼ିଶାବାସୀଙ୍କୁ ଉଦ୍ଦେଶ୍ୟରେ କହିଲେ ଯେ ଓଡ଼ିଶା ହେଉଛି ସୂର୍ଯ୍ୟଦେବଙ୍କ ଭୂମି। କୋଣାର୍କରୁ ସୃଷ୍ଟ ରଶ୍ମୀ ସମଗ୍ର ଜଗତକୁ ଆଲୋକିତ କରୁଛି। ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥଳ, ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳିର ନାମ ଉଚ୍ଚାରଣ କରି ମୋଦୀ କହିଲେ ଯେ ଏହିସବୁ ସ୍ଥାନ କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶର ଉଜ୍ଜ୍ୱଳ ଓ ସମୃଦ୍ଧ ପରମ୍ପରା, ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଓଡ଼ିଶାର ଭାଷା, ସାହିତ୍ୟ, ଇତିହାସ ଓ ଚିନ୍ତନ ଅନୁପମ ଓ ଅତୁଳନୀୟ। ପୂର୍ବର କେନ୍ଦ୍ର ସରକାରଙ୍କ ଉଦାସୀନତା ଓ ଆନ୍ତରିକତାର ଅଭାବ ଯୋଗୁଁ ଏହି ଗୌରବ ଓ ବିଭବଶାଳୀ କଳିଙ୍ଗ ଉପରେ ଧୂଳି ଜମି ଯାଇଥିଲା। କେନ୍ଦ୍ରର ବିଜେପି ସରକାର ସେହି ପ୍ରାଚୀନ ସଂସ୍କୃତି ଓ ସଭ୍ୟତାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ନୂତନ ଜ୍ଞାନକୌଶଳକୁ ଯୋଡ଼ିବା ପାଇଁ ସଂକଳ୍ପବଦ୍ଧ। କେବଳ ସେତିକି ନୁହେଁ ବିଦେଶୀମାନେ ଭାରତର ଯେଉଁ ସମୃଦ୍ଧ ଓ ଗୌରବମୟ ଜ୍ଞାନକୌଶଳକୁ ଧ୍ୱଂସ କରିବାକୁ ଉଦ୍ୟମ କରିଥିଲେ ସେଗୁଡ଼ିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଚୋରି ହୋଇଥିବା ପୁରୁଣା ମୂର୍ତ୍ତିକୁ ଭାରତକୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି। ଅତୀତର ସରକାରଙ୍କ ପାଖରେ ଏହି ସୁଯୋଗ ଥିଲା, କିନ୍ତୁ ସେମାନଙ୍କର ଏଥିପ୍ରତି ଆନ୍ତରିକତା ନଥିଲା। ଉଦ୍ବେଗର କାରଣ ହେଉଛି ସେମାନେ ବର୍ତ୍ତମାନ ସରକାରଙ୍କ ଉଦ୍ୟମରୁ କିଛି ଶିଖିପାରୁନାହାନ୍ତି। ପର୍ଯ୍ୟଟନ ଶିଳ୍ପର ଶକ୍ତି ସମ୍ପର୍କରେ ସେମାନଙ୍କ ଜ୍ଞାନ ନାହିଁ। ଏପରିକି ପର୍ଯ୍ୟଟନକୁ ସେମାନେ ବିରୋଧ କରୁଛନ୍ତି। ଷ୍ଟାଚ୍ୟୁ ଅଫ୍ ୟୁନିଟି ଦ୍ୱାରା ସ୍ଥାନୀୟ ଅଞ୍ଚଳର ରାଜସ୍ୱ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। କିନ୍ତୁ ବିରୋଧୀ ଷ୍ଟାଚ୍ୟୁ ଅଫ୍ ୟୁନିଟି, ଛତ୍ରପତି ଶିବାଜୀ ପ୍ରତିମୂର୍ତ୍ତି, ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଆଣ୍ଡାମାନ ଦ୍ୱୀପର ନାମକରଣ ନେତାଜୀଙ୍କ ନାମରେ ନାମିତ ହେବା ନିଷ୍ପତ୍ତିକୁ ମଧ୍ୟ ବିରୋଧ କରୁଛନ୍ତି। ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ଯୋଗ ବିଦ୍ୟାକୁ ମଧ୍ୟ ସେମାନେ ବିରୋଧ କରୁଛନ୍ତି।
ଜନସାଧାରଣଙ୍କୁ ପ୍ରଶ୍ନର ଉତ୍ତରରେ ଛଳରେ ମୋଦୀ କହିଲେ ଯେ ଜ୍ଞାନବିଜ୍ଞାନ ଦୃଷ୍ଟିରୁ ଭାରତ ବିଶ୍ୱର ସର୍ବଶ୍ରେଷ୍ଠ। ଏହାକୁ ଶୀର୍ଷରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏଥିପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରି ମୋଦୀ କହିଲେ ଯେ ପୂର୍ବ ସରକାରଙ୍କ ଉଦାସୀନତା ଯୋଗୁଁ ଦେଶର ପ୍ରାକୃତିକ ସମ୍ବଳ ଓ ଜ୍ଞାନର ବିକାଶ ସାଧିତ ହୋଇପାରିନାହିଁ। ଏ ସବୁର ବିକାଶ ବଦଳରେ ବିରୋଧୀମାନେ କେବଳ ସେମାନଙ୍କ ସାମ୍ରାଜ୍ୟ ରକ୍ଷା ପାଇଁ ଉଦ୍ୟମ କରୁଛନ୍ତି।
ବିକାଶ ସମ୍ପର୍କରେ ମୋଦୀ କହିଲେ ଯେ ଓଡ଼ିଶାର ବିକାଶ ପାଇଁ ଗତ ଦୁଇ ମାସ ଭିତରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି। ଏହାଦ୍ୱାରା ଶିକ୍ଷା, ପର୍ଯ୍ୟଟନ, ବାଣିଜ୍ୟ ଓ କୃଷିର ବିକାଶ ସହିତ ଓଡ଼ିଶାର ଜନସାଧାରଣଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ପୂର୍ବ ସରକାରଙ୍କୁ ଏହି କାମ ପାଇଁ ୨୫ ବର୍ଷ ଲାଗିଯାଇଥାନ୍ତା।
ଜନକଲ୍ୟାଣ ଦିଗରେ ବାଟମାରଣାକୁ ସବୁଠାରୁ ବଡ଼ ବାଧକ ବୋଲି ବର୍ଣ୍ଣନା କରି ମୋଦୀ କହିଲେ ଯେ ଗରିବ ଲୋକମାନେ ଯେପରି ଓପାସରେ ନ ରହିବେ ସେଥିପାଇଁ କେନ୍ଦ୍ର ସରକାର କେଜି ପିଛା ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। କିନ୍ତୁ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବାଟମାରଣା କରି ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ବିଗତ ଚାରିବର୍ଷ ମଧ୍ୟରେ ସେଭଳି ୬ କୋଟି ଦୁର୍ନୀତିଖୋରଙ୍କୁ ଖୋଜି ବାହାର କରାଯାଇଛି। ଏହି କାରଣରୁ ସେମାନେ ମୋ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ମୋତେ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି। ଆପଣମାନଙ୍କର ପ୍ରଧାନସେବକଙ୍କ ଶତ୍ରୁ ହୋଇଯାଇଛନ୍ତି। ଆପଣମାନଙ୍କ ଅପାର ଆଶୀର୍ବାଦ ଯୋଗୁଁ ସେମାନଙ୍କ ଷଡ଼ଯନ୍ତ୍ର ବିଫଳ ହେବ। କିନ୍ତୁ ଶ୍ରୀଜଗନ୍ନାଥଙ୍କ ମାଟିରୁ ମୁଁ ଏହି ଘୋଷଣା କରୁଛି ଯେ ସେହି ଦୁର୍ନୀତି ଖୋରଙ୍କୁ ଜେଲ୍ ନ ପଠାଇ ମୁଁ ଅଟକିବି ନାହିଁ। ଏହି ଯୁଗ ଆମର, ଦୌଡ଼ ଆମର। ବାସ୍ ଏକ ଦୁର୍ନୀତିମୁକ୍ତ ଆଭିମୁଖ୍ୟ ରହିଲେ ଭବ୍ୟ ଓଡ଼ିଶା ଓ ଭବ୍ୟ ଭାରତ ଗଠନ ସମ୍ଭବ। କେନ୍ଦ୍ର ସରକାର ଶିକ୍ଷା, ରୋଜଗାର, ସ୍ୱାସ୍ଥ୍ୟ, ଜଳସେଚନ ଓ ନ୍ୟାୟ ଆଧାରିତ ପଞ୍ଚଧାରାରେ କାମ କରୁଛି।
ସାଧାରଣ ବର୍ଗର ଗରିବଙ୍କୁ ୧୦ % ସଂରକ୍ଷଣ ପ୍ରସଙ୍ଗରେ ମୋଦୀ କହିଲେ ଯେ ଏହାଦ୍ୱାରା ଓଡ଼ିଶାବାସୀ ଉପକୃତ ହେବେ। ଅନୁସୂଚିତ ଜାତି ଓ ଜନଜାତିର ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ ନ କରି ହିଁ ଏହି ଯୋଜନା ଲାଗୁ କରାଯାଇଛି।
ଦେଶର କ୍ରୀଡ଼ା କ୍ଷେତ୍ରକୁ ରାଜ୍ୟର ଅବଦାନ ବିଷୟରେ ବର୍ଣ୍ଣନା କରି ମୋଦୀ କହିଲେ ଯେ କ୍ରୀଡ଼ା ବିକାଶ ପାଇଁ ଆଦିବାସୀ ବହୁଳ ପ୍ରତିିଜିଲ୍ଲାକୁ ୫ କୋଟି ଟଙ୍କା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ଓଡ଼ିଶା ସରକାରଙ୍କୁ ସମାଲୋଚନା
ବକ୍ତବ୍ୟ ମଝିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବାକୁ ଭୁଲି ନଥିଲେ। ଅନୁସୂଚିତ ଜାତି ଓ ଜନଜାତିର ବିକାଶ ପ୍ରସଙ୍ଗ ଉଠାଇ ମୋଦୀ କହିଲେ ଯେ ପୂର୍ବରୁ ଖଣିଜ ଅଞ୍ଚଳର ଜନସାଧାରଣଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉନଥିଲା। କିନ୍ତୁ ବର୍ତ୍ତମାନର ବିଜେପି ସରକାରଙ୍କ ଉଦ୍ୟମ ଯୋଗୁଁ ଖଣିଜ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ବିକାଶ ପାଇଁ ପାଣ୍ଠି ସୃଷ୍ଟି କରାଯାଇଛି। ଏହାର ସର୍ବାଧିକ ଲାଭ ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ମିଳିବା କଥା। କିନ୍ତୁ ଓଡ଼ିଶା ସରକାର ଶୋଇ ରହଛନ୍ତି। ପ୍ରାୟ ୪ ହଜାର କୋଟି ଟଙ୍କାର ପାଣ୍ଠି ଥିବା ସତ୍ତେ୍ୱ ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାର ଓ ବିକାଶ ପାଇଁ ରାଜ୍ୟ ସରକାର ଉକ୍ତ ପାଣ୍ଠି ଖର୍ଚ୍ଚ କରି ନ ପାରିବା ପରିତାପର ବିଷୟ। ନିର୍ବାଚନ ଆସିବ ଓ ଯିବ। କିନ୍ତୁ ଗରିବ ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ଲାଗି ଖର୍ଚ୍ଚ ହେବା ଆବଶ୍ୟକ।
ଓଡ଼ିଶା ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପ୍ରତୀକ: ମୋଦୀ
Popular Categories



