ସମାଜ ଡିଜିଟାଲ ଡେସ୍କ: ଅପହୃତଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସ ଏଏସଆଇଙ୍କ ସମେତ ଅପହୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ମାଉଗଞ୍ଜ ଜିଲାରେ ଉତ୍ତ୍ୟକ୍ତ ଆଦିବାସୀମାନେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ମାଉଗଞ୍ଜ ଜିଲାର ଗାଡ୍ରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। କୋଲ ଆଦିବାସୀଙ୍କ ଏକ ଗୋଷ୍ଠୀ ଅପରପକ୍ଷର ସନ୍ନି ଦ୍ବିବେଦୀ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିନେଇଥିଲେ। ଅଶୋକ କୁମାର ନାମକ ଅନ୍ୟ ଜଣେ ଆଦିବାସୀଙ୍କ ହତ୍ୟା କରିଥିବା ସନ୍ଦେହରେ କୋଲ ଆଦିବାସୀମାନେ ସନ୍ନିଙ୍କୁ ଅପହରଣ କରିଥିଲେ। କିନ୍ତୁ ଅଶୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଲିସ କହିଥିଲା। ସନ୍ନିଙ୍କ ଅପହରଣ ସମ୍ପର୍କରେ ପୁଲିସ ଖବର ପାଇବା ପରେ ଏସଡିପିଓ ଅଙ୍କିତା ସୁଲ୍ୟାଙ୍କ ନେତୃତ୍ଵରେ ଏକ ଟିମ୍ ତାଙ୍କୁ ଉଦ୍ଧାର କରିବାକୁ ଗାଡ୍ରା ଗ୍ରାମକୁ ଯାଇଥିଲା। ହେଲେ ସେଠାରେ ଉତ୍ତ୍ୟକ୍ତ ଆଦିବାସୀମାନେ ପୁଲିସ ଟିମ ଉପରକୁ ଆକ୍ରମଣ କରିଥିଲେ। ପୁଲିସ ପହଞ୍ଚିବା ବେଳକୁ ସନ୍ନିଙ୍କୁ ଅପହର୍ତ୍ତାମାନେ ଏକ ରୁମରେ ପିଟି ପିଟି ହତ୍ୟା କରିସାରିଥିଲେ। ପୁଲିସକୁ ଆକ୍ରମର ଯୋଗୁ ଜଣେ ଏଏସଆଇଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ଆକ୍ରମଣରେ ଅନ୍ୟ କିଛି ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ୧୬୩ ଧାରା ଲାଗୁ କରାଯିବା ସହିତ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।



