ଭୁବନେଶ୍ୱର: ଅଲ୍ ଓଡ଼ିଶା ମିଲର୍ସ ଆସୋସିଏସନ୍ ପକ୍ଷରୁ ସୋମବାର ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜିଲ୍ଲା ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମିଲର୍ସଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଧାନ କିଣା ଓ ଚାଉଳ ସଂଗ୍ରହ କରିବାରେ ମିଲର୍ଙ୍କୁ ସହଯୋଗ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ରବି ଋତୁ ଧାନକିଣା ପୂର୍ବରୁ ମିଲିଂ ଦର ବଢ଼ାଇବାକୁ ସରକାର ଘୋଷଣା କରିଥିଲେ। ହେଲେ ଏଯାଏଁ ଟଙ୍କାଟିଏ ମଧ୍ୟ ଦେଲେ ନାହିଁ। ସେହିପରି ସରକାର ଧାନ କିଣିବା ପରେ ମିଲର୍ସଙ୍କ ପାଖରେ ଗଚ୍ଛିତ ରଖୁଛନ୍ତି। ଏହାର ରକ୍ଷଣାବେକ୍ଷଣ ବାବଦକୁ ହେଉଥିବା ଖର୍ଚ୍ଚ ମଧ୍ୟ ଦେଉ ନାହାନ୍ତି। ୨୦୨୩-୨୪ ବର୍ଷର ରକ୍ଷଣାବେକ୍ଷଣ ବାବଦ ଟଙ୍କା ଦେବାକୁ ଘୋଷଣା କରି ଦେଇ ନ ଥିବାବେଳେ ୨୦୨୪-୨୫ ବର୍ଷରେ ଘୋଷଣା ମଧ୍ୟ କରିନାହାନ୍ତି। ସରକାର ଧାର୍ଯ୍ୟ ସମୟରେ ଉତ୍ପାଦିତ ସମସ୍ତ ଚାଉଳ ନେଉନାହାନ୍ତି। ଫଳରେ ମିଲର୍ସମାନେ ବଳକା ଚାଉଳକୁ ଏଫ୍ସିଆଇକୁ ଦେବା ପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି । ହେଲେ ଏଫ୍ସିଆଇ ଅଧିକାରୀମାନେ ବିଭିନ୍ନ ହଇରାଣ ହରକତ କରୁଛନ୍ତି। ଚାଉଳ ଦେବା ପରେ ଏଫ୍ସିଆଇ ଗୋଦାମ୍ରେ ୩ମାସ ପର୍ଯ୍ୟନ୍ତ ଚାଉଳ ରହିବା ପରେ ଚାଉଳ ଖରାପ କହି ଅଧିକାରୀମାନେ ବିଭିନ୍ନ ପ୍ରକାର ଚାପ ପକାଉଛନ୍ତି। ଚାଉଳ ଦେବା ପରେ ରକ୍ଷଣାବେକ୍ଷଣ ଦାୟିତ୍ୱ ଏଫ୍ସିଆଇର ହୋଇଥିବାବେଳେ ମିଲର୍ସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ସରକାର ଓ ବିଭାଗକୁ ଏ ନେଇ ବାରମ୍ବାର ଅବଗତ କଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଫଳରେ ମିଲ୍ ଚଳାଇବା ମିଲର୍ସଙ୍କ ପକ୍ଷରେ କଷ୍ଟକର ହୋଇପଡ଼ୁଛି। ଧାନ କିଣା ଓ ଚାଉଳ ଯୋଗାଣକୁ ବ୍ୟବସ୍ଥିତ କରିବାକୁ ହେଲେ ମିଲ୍ଗୁଡ଼ିକୁ ଚଳାଇବା ଅପରିହାର୍ଯ୍ୟ। ଏଣୁ ସରକାର ମିଲିଂ ଫି’ ବଢ଼ାଇବାକୁ ସଂଘ ପକ୍ଷରୁ ଦାବି କରାଯିବା ସହ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ ତୁରନ୍ତ ପ୍ରଦାନ କରିବାକୁ ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ଅନ୍ୟଥା ଚାଉଳ ଯୋଗାଣରେ ବିଭ୍ରାଟ ହେବା ସହ ସଂକଟଜନକ ସ୍ଥିତି ଉପୁଜିବାର ଆଶଙ୍କା ରହିଛି ବୋଲି କୁହାଯାଇଛି।
ସଂଘର ସଭାପତି ମହେଶ କୁମାର ବଂଶଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ଦୀପକ ରଞ୍ଜନ ଦାସ, ମୁଖ୍ୟ ଉପଦେଷ୍ଟା ସନ୍ତୋଷ କୁମାର ଅଗ୍ରୱାଲ, ଉପସଭାପତି ନିତେଶ କୁମାର ବଂଶଲଙ୍କ ସମେତ ସମସ୍ତ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।



