ଭୁବନେଶ୍ବର: ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଶନିବାର ଦୁଇଟି ମାମଲା ରୁଜୁ ହୋଇଛି । ନୂଆପଡା ଜିଲା ବୋଡେନ ଥାନାରେ ବିଇଓଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଦୁଇଟି ହାଇସ୍କୁଲର ୫ ଜଣ ଶିକ୍ଷକଙ୍କ ନାମରେ ମାମଲା ହୋଇଛି । କରଙ୍ଗାମାଲ ହାଇସ୍କୁଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ ୨ ଜଣ ଇନଭିଜିଲେଟରଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ଲିଟିସର୍ଗି ଗୋପୀନାଥ ହାଇସ୍କୁଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ କ୍ରୀଡା ଶିକ୍ଷକଙ୍କ ନାମରେ ମାମଲା ହୋଇଛି। କିନ୍ତୁ କୋରାପୁଟ ଓ ଢେଙ୍କାନାଳ ଜିଲାରେ ଏଯାବତ୍ ମାମଲା ରୁଜୁ ହୋଇନାହିଁ ।
ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପ୍ରଥମେ ଏହି ଘଟଣାକୁ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅସ୍ବୀକାର କରିଥିଲେ ମଧ୍ୟ ପରେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ କରିବାକୁ ବୋର୍ଡ ପକ୍ଷରୁ ନିର୍ଦେଶ ହୋଇଥିଲା । ଦୁଇଟି ସ୍କୁଲ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନ୍ୟ ଦୁଇଟି ସ୍କୁଲର କର୍ତ୍ତୃପକ୍ଷଙ୍କ ନାମରେ ମାମଲା ରୁଜୁ ହୋଇନାହିଁ ।



