ଏଇମାତ୍ର ଆମ ରାଜ୍ୟର ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆଲୋଚନା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗଣତନ୍ତ୍ରର ମହାକୁମ୍ଭ କୁହାଯାଉଥିବା ଗ୍ରାମୀଣ ଓଡ଼ିଶାର ଜନ ସାଧାରଣଙ୍କ ରାୟକୁ ନେଇ ଯେତେ ପ୍ରକାର ଆଲୋଚନା ବା ସଂକେତ କଥା ଆମ ରାଜ୍ୟର ରାଜନେତା, ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ଆଲୋଚନା କରୁଥିଲେ ମଧ୍ୟ ଗୋଟିଏ ବିଶେଷ ଦିଗ ବା ବାର୍ତ୍ତା ବା ସଂକେତ ପ୍ରାୟ ସମସ୍ତଙ୍କର ଦୃଷ୍ଟିରୁ ଟିକେ ଆଢୁଆଳ ମଧ୍ୟରେ ରହିଯାଇଛି।
ପାଠକେ, ଆପଣମାନଙ୍କର ସମସ୍ତଙ୍କର ମନେଥିବ କୋରାପୁଟ ଜିଲା ପଟାଙ୍ଗି ବ୍ଲକର କୋଟିଆର କଥା। ‘କୋଟିଆ’ କେବଳ ଆମ ରାଜ୍ୟ ଓଡ଼ିଶା ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆଲୋଚନା ବିଷୟବସ୍ତୁ ନଥିଲା; ବରଂ ସମଗ୍ର ଦେଶରେ ଆଲୋଡ଼ନ ମଧ୍ୟ ସୃଷ୍ଟି କରିଥିଲା। ଉଚ୍ଚ ନ୍ୟାୟାଳୟଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ କୋଟିଆ ପ୍ରସଙ୍ଗ ସବୁ ଦିନେ ଦେଶବାସୀଙ୍କର ଆଲୋଚନାର ବିଷୟ ପାଲଟିଥିଲା। ଏବେ ମଧ୍ୟ ସେହି କୋଟିଆରୁ ନୂଆ ବାର୍ତ୍ତା ବା ସଂକେତ ଆସିଛି। ଏହି ବାର୍ତ୍ତା ବା ସଂକେତକୁ ନିରିଖେଇ ଦେଖିଲେ ଏହା ବହୁତ ଗୁରୁତ୍ୱ ବହନ କରୁଛି।
ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲାର ଏକ ଅନୁନ୍ନତ ଅଞ୍ଚଳ ‘କୋଟିଆ’, ଯେଉଁଠି ବିକାଶ ନାମକ ଶବ୍ଦକୁ ନେଇ କେବେ ମଧ୍ୟ ଆଲୋଚନା ହୁଏ ନାହିଁ। ସେହି ଅଞ୍ଚଳ ଆଜି ଆମକୁ ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ନୂଆ ବାର୍ତ୍ତା ପ୍ରଦାନ କରୁଛି। ସଦ୍ୟ ପ୍ରକାଶିତ ପଞ୍ଚାୟତ ନିର୍ବାଚନ ଫଳାଫଳରେ କୋରାପୁଟ ଜିଲା ପଟାଙ୍ଗି ବ୍ଲକର କୋଟିଆ ଜିଲା ପରିଷଦ ଜୋନରୁ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ ହୋଇଛନ୍ତି। ସେ ତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବୀ ଥିବା ମିଳିତ ପ୍ରାର୍ଥୀ ଅର୍ଥାତ ବିଜେପି, ବିଜେଡି ଏବଂ କଂେଗ୍ରସ ପ୍ରାର୍ଥୀଙ୍କୁ ବହୁତ ଭୋଟରେ ପରାସ୍ତ କରିଛନ୍ତି। ଟିକାଇ ଗେମେଲଙ୍କ ବୟସ ହେଉଛି ମାତ୍ର ୩୦ ବର୍ଷ। ତାଙ୍କର ପରିଚୟ, ତାଙ୍କ ଆଈମା ଚନ୍ଦ୍ରମା ସନ୍ତା ପୂର୍ବରୁ ୨ ଥର ବିଧାୟକ ଓ ୨ ଥର ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି। ଆଉ ତାଙ୍କ ଅଜା ଜଣେ ସ୍ୱାଧୀନତା ସଂଗ୍ରାମୀ ଓ କଂଗ୍ରେସ ଦଳର ନେତା ଏବଂ କର୍ମୀ। ଟିକାଇ ମଧ୍ୟ କଂଗ୍ରେସ ଦଳରୁ ଜିଲା ପରିଷଦ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଆବେଦନ ମଧ୍ୟ କରିଥିଲେ। ମାତ୍ର ଓଡ଼ିଶାର ଏହି ଅନୁନ୍ନତ ଅଞ୍ଚଳ ‘କୋଟିଆ’ରୁ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ନିଜର ଅଞ୍ଚଳ ବୋଲି ଦାବି କରି ସେଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ନିଜ ଅଞ୍ଚଳ ବୋଲି ମଧ୍ୟ ଦାବି କରି ଆସୁଛି। ଏ ସଂପର୍କରେ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାର ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇପାରି ନାହିଁ। ଆଇନ ଅଦାଲତରେ ଏ ସଂପର୍କରେ ଯୁଦ୍ଧ ଜାରି ରହିଛି। ଦୁଇ ରାଜ୍ୟର ରାଜନୈତକ ଦଳ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ବହୁ ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ର ସରକାର କୋଟିଆରେ ତାଙ୍କ ରାଜ୍ୟର ପଞ୍ଚାୟତ ନିର୍ବାଚନ କରିବାର ସମସ୍ତ ଚେଷ୍ଟା କରିଛନ୍ତି । ତେଣୁ ଏ ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ଆମ ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ଏଥର ମିଳିତ ଭାବେ ପ୍ରାର୍ଥୀ ଦେଇ ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ କୋଟିଆ ପ୍ରସଙ୍ଗରେ ସବୁ ରାଜନୈତକ ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହୋଇଛନ୍ତି।
ଅର୍ଥବଳ, ବାହୁବଳ, ଶାସକବଳ, ରାଜନୈତକ ପତିଆରା ମାଧ୍ୟମରେ ଯେ କେବଳ ଭୋଟରେ ବିଜୟୀ କରାଯାଇ ପାରିବ, ସେ କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଟିକାଇ ଗେମେଲ। ପଟ୍ଟାଙ୍ଗି ବ୍ଲକର ‘କୋଟିଆ’ ଅଞ୍ଚଳର ୭ଟି ପଞ୍ଚାୟତର ଜନସାଧାରଣ ଚାନ୍ଦା ସଂଗ୍ରହ କରି ଟିକାଇ ଗେମେଲଙ୍କୁ ନିର୍ବାଚନ ପ୍ରଚାରରେ ସହଯୋଗ କଲେ। ଅର୍ଥାତ୍ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଥିବା ଏହି ଜନ ସାଧାରଣ ନିଜର ସ୍ୱଳ୍ପ ଆୟରୁ ଟିକାଇ ନିର୍ବାଚନ ନିମନ୍ତେ ଅର୍ଥ ଦାନ କରି ଏହି ବାର୍ତ୍ତା ଦେଲେ ଯେ ଅର୍ଥବଳରେ ଭୋଟ ଜିଣାଯାଇ ନପାରେ ଏବଂ ଅର୍ଥବଳ ନଥିବା ବ୍ୟକ୍ତି ବିଶେଷ ମଧ୍ୟ ନିର୍ବାଚନ ଜିତିପାରିବେ। ଦ୍ୱିତୀୟତଃ, ଏହି ଜିଲା ପରିଷଦ ନିର୍ବାଚନ ସମୟରେ କୋଟିଆ ବା ପଟାଙ୍ଗି ଅଞ୍ଚଳର ଚାଷୀ ମୂଲିଆଠୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି, ଦୋରା ସମାଜ କମାର ସମାଜ, ରଣା ସମାଜ ଏବଂ ବିଭିନ୍ନ ସଂଗଠନର ସଦସ୍ୟ ରାତି ଦିନ ଗାଁ ଗାଁ ବୁଲି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ନିମନ୍ତେ ପ୍ରଚାର ମଧ୍ୟ କଲେ। ଏହା ତାଙ୍କୁ ଖୁବ୍ ସାହାଯ୍ୟ କଲା। ସମାଜର ସବୁ ଶ୍ରେଣୀର ଲୋକଙ୍କ ଅଂଶଗ୍ରହଣ ପ୍ରମାଣ କରିଦେଲା ଯେ ତୃଣମୂଳ ସ୍ତରରେ ସଂପର୍କ ଥିବା ଲୋକ ହିଁ ନିର୍ବାଚନ ବିଜୟୀ ହୋଇ ପାରିବ। ସବୁ ସମୟରେ ରାଜନୈତିକ ପ୍ରଭାବ କେବଳ ବିଜୟୀ ହେବା ନିମନ୍ତେ ସହାୟକ ହୋଇ ନପାରେ। ଏ କଥା ମଧ୍ୟ କୁହାଯାଇପାରେ ଯେ ସେ ଅଞ୍ଚଳର ସାଧାରଣ ଲୋକଙ୍କ ସହ ଟିକାଇ ଗେମେଲଙ୍କ ପରିବାରର ଯେଉଁ ୫୦ ବର୍ଷର ସଂପର୍କ ରହିଛି ବା ସାଧାରଣ ଜନତାଙ୍କ ତାଙ୍କ ପରିବାର ପ୍ରତି ଯେଉଁ ବିଶ୍ୱାସ ଓ ଭରସା ରହିଛି ତାହା ଅନ୍ୟ ସବୁ ଆଗରେ ଫିକା ପଡ଼ିଗଲା। ସାଧାରଣ ନିରୀହ ଆଦିବାସୀମାନେ ପ୍ରମାଣ କରି ଦେଲେ ଯେ ସେମାନେ ଆଦର୍ଶରେ ବିଶ୍ୱାସ କରନ୍ତି।
ତୃତୀୟତଃ ସବୁଠାରୁ ଉଲ୍ଲେଖନୀୟ ବାର୍ତ୍ତା ହେଉଛି ‘କୋଟିଆ’ ନିମନ୍ତେ ଆମ ରାଜ୍ୟର ପ୍ରମୁଖ ରାଜନୈତିକ ବଳ ଏବଂ ସେମାନଙ୍କର ନେତୃମଣ୍ଡଳୀ ବାରମ୍ବାର ‘କୋଟିଆ’ ଗସ୍ତ କରି ଯେଉଁ ବାର୍ତ୍ତା ଦେଇଛନ୍ତି, ସେ କଥା ଯେ କେବଳ ମିଛ ପ୍ରଚାର ଏବଂ ସାଧାରଣ ଜନତାଙ୍କ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ସେ କଥା ମଧ୍ୟ ପ୍ରମାଣିତ ହୋଇଗଲା। କୋଟିଆବାସୀ ଏ ପର୍ଯ୍ୟନ୍ତ ସେମାନଙ୍କୁ ଗ୍ରହଣ କରିପାରି ନାହାନ୍ତି, ଏ କଥାକୁ ଅସ୍ବୀକାର କରାଯାଇ ପାରିବ କି? ଟଙ୍କା, ବଳ, କୌଶଳ ଓ ସମସ୍ତ ପ୍ରକାର ଚାପ ସତ୍ତ୍ବେ ଏ ଅଞ୍ଚଳର ଜନ ସାଧାରଣ ସେମାନଙ୍କର ସ୍ୱାଧୀନ ମତ ଦେଇ ପ୍ରମାଣ କରି ଦେଲେ ଯେ ରାଜଧାନୀରୁ ଆସୁଥିବା ନେତା ନୁହେଁ; ସେମାନଙ୍କ ଅଞ୍ଚଳର ପ୍ରତିନିଧିକୁ ସେମାନେ ବିଶ୍ୱାସ କରନ୍ତି।
ତେଣୁ କୋଟିଆରୁ ଟିକାଇ ଗେମେଲଙ୍କ ବାର୍ତ୍ତା ବା ସନ୍ଦେଶ ଆମକୁ ନାଗରିକ ହିସାବରେ, ରାଜ୍ୟର ରାଜନୈତିକ ଦଳମାନଙ୍କୁ ଏବଂ ସର୍ବୋପରି ବୁଦ୍ଧିଜୀବୀମାନଙ୍କୁ ଗଭୀର ଭାବରେ ଅନୁଶୀଳନ କରି ଭବିଷ୍ୟତରେ ପଥ ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି- ଏକଥା ଆମ୍ଭେ ଭୁଲି ନଯିବା ଦରକାର।
କମଲଜିତ୍ ଦାସ
ଲେଖକ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ
ଦୂରଭାଷ: ୯୪୩୭୩୩୭୦୦୦



