ଲଣ୍ଡନ : ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ବକପ୍ରେ ଆହତ ସମସ୍ୟା ଭାରତୀୟ ଦଳର ପିଛା ଛାଡୁ ନାହିଁ। ଗୋଇଠିରେ ଆହତ ଯୋଗୁଁ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର । ବିଜୟଙ୍କ ଗୋଇଠିର ହାଡ଼ ଭାଙ୍ଗି ଯାଇଥିବାରୁ ସେ ବିଶ୍ବକପ୍ରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍ଙ୍କୁ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି । ଚଳିତ ସପ୍ତାହ ସୁଦ୍ଧା ମୟଙ୍କ ଭାରତୀୟ ଦଳ ସହ ଯୋଗ ଦେବେ । ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଆହୁରି ୨ଟି ମ୍ୟାଚ୍ ଖେଳିବ । ଦଳ ମଙ୍ଗଳବାର ବାଂଲାଦେଶ ଓ ଆସନ୍ତା ୬ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ।
ବିସିସିଆଇ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ବିଜୟ ଶଙ୍କରଙ୍କ ବାମ ଗୋଇଠିରେ ମାଡ଼ ହୋଇଥିଲା। ପରୀକ୍ଷା ବେଳେ ଗୋଟିଏ ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା । ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ବିଜୟ ଶଙ୍କରଙ୍କୁ ଅତିକମ୍ରେ ୩ ସପ୍ତାହ ଲାଗିବ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଭାରତୀୟ ବିଶ୍ବକପ୍ ଦଳରୁ ବାଦ୍ ଦିଆଯାଇଛି। ସୂଚନା ଯୋଗ୍ଥାୟ ଯେ,ନେଟ୍ସରେ ବିଜୟ ଶଙ୍କର ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କ ଏକ ୟର୍କର ତାଙ୍କ ଗୋଇଠିରେ ମାଡ଼ ହୋଇଥିଲା । ପ୍ରଥମେ ଆଘାତ ଏତେଟା ଗୁରୁତର ଜଣାପଡ଼ିନଥିଲା। ବିଜୟ ଶଙ୍କର ସେହି ଅବସ୍ଥାରେ ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ। ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ର ଦୁଇଦିନ ପୂର୍ବରୁ ଗୋଇଠିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ବିଜୟ ଶଙ୍କର ସେହି ମ୍ୟାଚ୍ରେ ଖେଳିପାରିନଥିଲେ। ବିଜୟ ଶଙ୍କରଙ୍କ ସ୍ଥାନରେ ଯୁବ ବ୍ୟାଟସମ୍ୟାନ୍ ଋଷଭ ପନ୍ତ୍ ନିଜ କ୍ୟାରିୟରର ପ୍ରଥମ ବିଶ୍ବକପ୍ ମ୍ୟାଚ୍ ଖେଳିଥିଲେ।
ବିଜୟ ଶଙ୍କର ଆହତ ହୋଇ ବିଶ୍ବକପ୍ରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ବିଶ୍ବକପ୍ ନିମନ୍ତେ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ବ୍ୟାଟସମ୍ୟାନ୍ ଅମ୍ବାତି ରାୟୁଡୁ ଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳି ନାହିଁ । ବିଶ୍ବକପ୍ ନିମନ୍ତେ ଭାରତୀୟ ଓପନିଂକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମୟଙ୍କଙ୍କୁ ଦଳରେ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି । ଭାରତୀୟ ଦଳରେ ଅନ୍ୟତମ ଓପନର୍ କେଏଲ୍ ରାହୁଲ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ କ୍ୟାଚ୍ ଧରିବା ପ୍ରୟାସ କରୁଥିବା ବେଳେ ତାଙ୍କ ପିଠିରେ ଆଘାତ ଲାଗିଥିଲା। ସେ ଦୀର୍ଘ ସମୟ ଧରି ପଡ଼ିଆ ବାହାରେ ରହିିଥିଲେ। ପରବର୍ତ୍ତୀ ସମୟରେ ସେ ଭାରତ ତରଫରୁ ବ୍ୟାଟିଂ ଓପନ୍ କରି କୌଣସି ରନ୍ ସଂଗ୍ରହ କରିବା ପୂର୍ବରୁ ଆଉଟ୍ ହୋଇଥିଲେ।
ମୟଙ୍କ ଅଗ୍ରୱାଲ୍ ଗତବର୍ଷ ଡିସେମ୍ବରରେ ଭାରତ ତରଫରୁ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। କର୍ଣ୍ଣାଟକ ତରଫରୁ ଘରୋଇ କ୍ରିକେଟ୍ ଖେଳୁଥିବା ମୟଙ୍କ ୭୫ଟି ଇନିଂସରୁ ୩୬୦୫ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୧୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ରହିଛି । ଗତବର୍ଷ ଭାରତ ଏ’ ଦଳରେ ସାମିଲ ହୋଇ ମୟଙ୍କ ଇଂଲଣ୍ଡ ଗସ୍ତରେ ଯାଇ ୪ଟି ଦିନିକିଆରୁ ୨୮୭ ରନ୍ ସଂଗ୍ରହ କରିଥିଲେ।
ପିଛା ଛାଡୁନି ଆହତ ସମସ୍ୟା : ବିଜୟ ଶଙ୍କର ବାଦ୍, ମୟଙ୍କ ସାମିଲ
Popular Categories



