ସମାଜ ଡିଜିଟାଲ ଡେସ୍କ: ପୁଲିସ ଆଖି ଆଗରେ ଥାନା ଭିତରୁ ଭ୍ୟାନ ଲୁଟିନେଲେ ଯୁବକ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଫତେପୁରରେ। ରବିବାର ଅପରାହ୍ନ ପ୍ରାୟ ୩ଟାରେ ଥାନା ଅଧିକାରୀ ଏବଂ କର୍ମଚାରୀ ପାଟ୍ରୋଲିଂ ସାରି ଥାନାକୁ ଫେରିଥିଲେ। ଥାନା ଅଧିକାରୀ କାର୍ଯ୍ୟାଳୟ ଭିତରକୁ ଯାଇଥିବାବେଳେ କର୍ମଚାରୀମାନେ ବାହାରେ ଥିଲେ। ଏହି ସମୟରେ ଜଣେ ଯୁବକ ପହଞ୍ଚି ପୁଲିସ ଭ୍ୟାନ ଷ୍ଟାର୍ଟ କରି ଥାନା ଭିତରୁ ଚମ୍ପଟି ମାରିଥିଲେ। ଏହା ଦେଖି ଥାନା କର୍ମଚାରୀମାନେ ତାଜୁବ ହୋଇଯାଇଥିଲେ। ତୁରନ୍ତ ସେମାନେ ବାଇକରେ ଭ୍ୟାନକୁ ପିଛା କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ପିଛା କରିବା ପରେ ଅଭିଯୁକ୍ତକୁ ଧରିଥିଲେ। ତେବେ ଭ୍ୟାନରୁ ଇନ୍ଧନ ସରିଯିବାରୁ ଗାଡ଼ି ରାସ୍ତାରେ ଅଟକି ଯାଇଥିଲା, ଯାହାଫଳରେ ପୁଲିସ ତା’କୁ ଧରିପାରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଜଣେ ମାନସିକ ବିକାରଗସ୍ତ ବୋଲି ଜଣାପଡ଼ିଥିଲା। ହେଲେ ଏହି ଘଟଣା ପୁଲିସର ନିଦ ହଜାଇ ଦେଇଥିବାବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Popular Categories



