୧୮୦ ଟଙ୍କା ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା

0

ଭଦୋହି: ଉତ୍ତରପ୍ରଦେଶର ଭଦୋହି ଜିଲାର ଔରାଇ ଥାନା ଅନ୍ତର୍ଗତ ମହରାଜଙ୍ଗଜ ବଜାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମାତ୍ର ୧୮୦ ଟଙ୍କାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ସୂଚନାଯୋଗ୍ୟ, ସହସେପୁର ଗାଁର ବାସିନ୍ଦା ବିଶାଲ ଦୁବେ ଗାଡି ଚାଳକ ସୁରଜ ସହ ଜାତୀୟ ରାଜପଥ ନିକଟରେ ଥିବା ସରଦାର ଢାବାରେ ପହଞ୍ଚିଥିଲେ । ସେଠାରେ ଭୋଜନ କରିବା ପରେ ଢାବା ମାଲିକ ତାଙ୍କୁ ୧୮୦ ଟଙ୍କାର ଏକ ବିଲ୍ ଦେଇଥିଲେ । କିନ୍ତୁ ବିଶାଲଙ୍କୁ ଲାଗିଥିଲା  ଯେ ଏହି ବିଲ୍‌ରେ ଅଧିକ ଟଙ୍କା ଲେଖାଯାଇଛି । ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଏବଂ ଚାହୁଁଚାହୁଁ ଏହା ସଂଘର୍ଷର ରୂପ ନେଇଥିଲା। ଢାବା ମାଲିକ ନିଜର କିଛି କର୍ମଚାରୀଙ୍କ ସହ ମିଶି ବିଶାଲ ଓ ସୁରଜଙ୍କୁ ନିସ୍ତୁକ ମାଡ ମାରିଥିଲେ। ବିଶାଲ କୌଣସିମତେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ସୁରଜ କିନ୍ତୁ ସେମାନଙ୍କ କବଳରୁ ବର୍ତ୍ତି ପାରିନଥିଲେ । ଢାବା ମାଲିକ ଏବଂ କର୍ମଚାରୀଙ୍କ ମାଡରେ ସୁରଜଙ୍କ ମୃତ୍ୟୁ ହୋଇଥିଲେ । ଏହି ମାମଲାରେ ପୁଲିସ ଢାବା ମାଲିକକୁ ଅଟକ ରଖିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Leave A Reply