ସିବନୀ: ମଧ୍ୟପ୍ରଦେଶର ସିବନୀ ଜିଲାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ନାଗିନ ଡ୍ୟାନ୍ସ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଦୁରୁ ଚରଣ ଠାକୁର । ବ୍ରେନ୍ ହାମ୍ରେଜରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଗଣେଶ ବିସର୍ଜନର ଶୋଭାଯାତ୍ରାରେ ଯାଉଥିବା ଦୁରୁ ଚରଣ ଠାକୁର ନାଗିନ ଗୀତରେ ଡ୍ୟାନ୍ସ କରି ମଜା ନେଉଥିଲେ । ଏଥିରେ ତାଙ୍କ ସାଙ୍ଗ ମହିଳା ବେଶରେ ତାଙ୍କ ସହ ଡ୍ୟାନ୍ସ କରିଥିଲେ । ଡ୍ୟାନ୍ସ କରିବା ସମୟରେ ଦୁରୁ ଚରଣ ପ୍ରଥମେ ତଳେ ପଡି ଯାଇଥିଲେ । ପରେ ସେ ତଳୁ ଉଠି ପୁଣି ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ଅଳ୍ପ ଡ୍ୟାନ୍ସ ପରେ ପୁଣି ଦ୍ବିତୀୟ ଥର ମଧ୍ୟ ସେ ତଳେ ପଡି ଯାଇଥିଲେ । ହେଲେ ଏଥର ଦୁରୁ ଚରଣ କୌଣସି ପ୍ରତିକ୍ରିୟା ଦେଇନଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ କିଛି ସମୟ ପାଇଁ ସୁସ୍ଥ ଅନୁଭବ କରିଥିଲେ କିନ୍ତୁ ପରେ ତାଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଜଣେ ଭିଡିଓଗ୍ରାଫରଙ୍କ କ୍ୟାମେରାରେ ଏହି ଘଟଣାର ସମସ୍ତ ଦୃଶ୍ୟ କଏଦ ହୋଇଥିଲା ।
ଏସମ୍ପର୍କରେ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।



