ଡେସ୍କ: ରାଜସ୍ଥାନରେ ଅଲ୍ଲୀ ମହମ୍ମଦଙ୍କ ପୁଅ ୩୫ ବର୍ଷିୟ ରେହମାନଙ୍କୁ ତାଙ୍କ ପତ୍ନୀଙ୍କୁ ଫୋନରେ ତିନି ତଲାକ ଦେବା ଅଭିଯୋଗରେ ଗିରଫ କରାଯାଇଛି। ଅଗଷ୍ଟ ୧୨ ତାରିଖରେ ସେ ଭାରତରେ ଅବତରଣ କରିବା ମାତ୍ରେ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ରେହମାନ କୁଏତରୁ ଫୋନ ଯୋଗେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ମେହବିଶ ନାମକ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିଲେ। ସାମାଜିକ ଗଣମାଧ୍ୟମରେ ମେହବିଶଙ୍କୁ ଭେଟି ସାଉଦି ଆରବରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ଗତ ମାସରେ ପର୍ଯ୍ୟଟକ ଭିସାରେ ରାଜସ୍ଥାନର ଚୁରୁ ଆସିଥିଲେ, ଯେଉଁଠାରେ ତାଙ୍କୁ ତାଙ୍କ ପରିବାର ଲୋକ ଉତ୍ସାହର ସହ ସ୍ୱାଗତ କରିଥିଲେ ଏବଂ ତାଙ୍କ ପିତାମାତାଙ୍କ ସହିତ ରହିବା ଆରମ୍ଭ କରିଥିଲେ।
ଜୁଲାଇ ୨୭ ତାରିଖରେ ହନୁମାନଗଡ଼ଭଦ୍ରରେ ରହୁଥିବା ରେହମାନଙ୍କ ୨୯ ବର୍ଷୀୟା ପତ୍ନୀ ଫରିଦା ବାନୋ ତାଙ୍କ ବାପାଙ୍କ ସହ ଫୋନରେ ତିନି ତଲାକ୍ ଦେଇଥିବାରୁ ରେହମାନଙ୍କ ବିରୋଧରେ ଏତଲା ଦେଇଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରେହମାନ ଏବଂ ତାଙ୍କ ପରିବାର ତାଙ୍କୁ ଯୌତୁକ ପାଇଁ ହଇରାଣ କରିବା ସହ ଆକ୍ରମଣ କରିଥିଲେ। ସେମାନେ ବାରମ୍ବାର ଟଙ୍କା ଓ ବାଇକ୍ ପାଇଁ ଦାବି କରୁଥିଲେ। ଏପରିକି ରେହମାନ ତାଙ୍କୁ କହିଥିଲେ ଯେ ସେ ତାଙ୍କ ସହ ଅଧିକ ଦିନ ରହିବେ ନାହିଁ। ଫଳରେ ସେ ସେହି ସମୟରେ କୁଏତରେ ଥିବାରୁ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା।
ଜୟପୁର ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ହନୁମାନଗଡ଼ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ପଚରାଉଚରା କରିବା ପରେ ଥାନାକୁ ଅଣାଯାଇ ପରଦିନ ଗିରଫ ପ୍ରକ୍ରିୟା ଆରମ୍ଭ କରିଥିଲେ। ରେହମାନ ଏବଂ ଫରିଦା ବାନୋ ୧୭ ମାର୍ଚ୍ଚ ୨୦୧୧ରେ ବିବାହ କରିଥିଲେ ଏବଂ ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ କୁଏତରେ ପରିବହନ କ୍ଷେତ୍ରରେ କାମ କରୁଥିଲେ। ଯେତେବେଳେ ସେ ମେହବିଶଙ୍କୁ ଚୁରୁକୁ ନେଇଯାଇଥିଲେ ସେତେବେଳେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
ହନୁମାନଗଡ଼ ସର୍କଲ ଅଫିସର ରଣବୀର ସିଂହ କହିଛନ୍ତି ଯେ ରେହମାନ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଥମ ପତ୍ନୀ ହନୁମାନଗଡ଼ ଜିଲ୍ଲାର ଭଦ୍ରା ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମେହବିଶ ଜଣେ ପାକିସ୍ତାନୀ ଗୁପ୍ତଚର ହୋଇପାରନ୍ତି ଏବଂ ତାଙ୍କର ତଦନ୍ତ ହେବା ଉଚିତ ବୋଲି ମଧ୍ୟ ସେ ସଙ୍କେତ ଦେଇଥିଲେ। ହନୁମାନଗଡ଼ ଡିଏସପି (ଅନୁସୂଚିତ ଜାତି-ଜନଜାତି ସେଲ୍) ରଣବୀର ସିଂହ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ତାଙ୍କ ପିତାମାତାଙ୍କ ସହ ରହୁଥିବା ଫରିଦା ବାନୋ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମୋଦି ସରକାର ଏକ ଆଇନ ପ୍ରଣୟନ କରି କହିଥିଲେ ଯେ ତିନି ଥର ‘ତଲାକ୍’ ଶବ୍ଦର ପୁନରାବୃତ୍ତି କରି ଛାଡ଼ପତ୍ର ଦିଆଯାଇପାରିବ ନାହିଁ। ରେହମାନ ଓ ତାଙ୍କ ପ୍ରଥମ ପତ୍ନୀ ଫରିଦା ବାନୋଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା ଏବଂ ମାମଲାର ଅଧିକ ତଦନ୍ତ ହେଲେ ଅତିରିକ୍ତ ତଥ୍ୟ ମିଳିପାରିବ ବୋଲି ପୁଲିସ କହିଛି। ମେହବିଶଙ୍କ ପାଖରେ ଭାରତ ପାଇଁ ୪୫ ଦିନିଆ ଟୁରିଷ୍ଟ ଭିସା ବୈଧ ରହିଛି। ଏହି ଆଇନ ଲାଗୁ ହେବା ପରଠାରୁ ତିନି ତଲାକର ଶିକାର ହୋଇଥିବା ଅନେକ ମହିଳାଙ୍କୁ ନ୍ୟାୟ ମିଳିଛି। ପୂର୍ବରୁ ମୁସଲମାନ ପୁରୁଷମାନେ ତିନି ତଲାକ୍ ଜରିଆରେ ଛାଡ଼ପତ୍ର ଆବେଦନ ନକରି ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାରେ ସକ୍ଷମ ହେଉଥିଲେ।



