ବଢ଼ିଲା ସଙ୍କଟ : ମହାରାଷ୍ଟ୍ର ସ୍ଥିତି ଅଣାୟତ୍ତ

ନୂଆଦିଲ୍ଲୀ: ବୈଶ୍ବିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଓ ତତ୍ଜନିତ ମୃତ୍ୟୁସଂଖ୍ୟା ଏବେ ସମୁଚ୍ଚୟ ବିଶ୍ବକୁ ଦୋହଲାଇ ଦେଇଛି। ବିଶ୍ବବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୧୪ ଲକ୍ଷ ଅତିକ୍ରମ କରିଛି ଓ ମୃତ୍ୟୁସଂଖ୍ୟା ୮୧ ହଜାର ଟପିଛି। ଦିନକରେ ୬,୪୦୦ ଲୋକଙ୍କ ମୃତ୍ୟୁ ଘଟିଛି ଓ ୬୩ ହଜାରରୁ ଅଧିକ ନୂଆ କରୋନୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଭାରତ ଏବେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ସ୍ଥିତିରେ ରହିଥିଲେ ମଧ୍ୟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୩୧୧ ଛୁଇଁଛି।
ଅନୁରୂପ ଭାବେ ମୃତ୍ୟୁସଂଖ୍ୟା ମଧ୍ୟ ୧୨୪କୁ ଛୁଇଁଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୨୯ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଓ ୧୨ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୫୩ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ବେସରକାରୀ ଭାବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫,୩୧୧ ଥିବାବେଳେ ମୃତ୍ୟୁସଂଖ୍ୟା ୧୫୦ ଛୁଇଁଥିବା ଦର୍ଶାଯାଇଛି।
ଦିନକରେ ୫୩୩ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ଦେଶବ୍ୟାପୀ ଲାଗୁ କରିଥିବା ଲକ୍ଡାଉନ୍(ତାଲାବନ୍ଦ)ମଙ୍ଗଳବାର ସୁଦ୍ଧା ୧୪ ଦିନ ପୂରଣ କରିଛି। ଆଗାମୀ ସପ୍ତାହ ସଂକ୍ରମଣର ଗୁରୁତ୍ବପୂର୍ଣ୍ଣ ସମୟ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏନେଇ କଟକଣାକୁ ଅଧିକ କଡାକଡି କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, କରୋନା ଦ୍ବାରା ସର୍ବାଧିକ ସଂକ୍ରମିତ ହୋଇଛି ମହାରାଷ୍ଟ୍ର। ସ୍ଥିତି ଏଠାରେ ଏକପ୍ରକାର ଅଣାୟତ୍ତ ହୋଇପଡିଛି। ରାଜ୍ୟରେ ଇତିମଧ୍ୟରେ ୬୪ ଜଣଙ୍କ ମୃତ୍ୟୁ ଘଟିସାରିଛି ଓ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ଟି ନୂଆ ରୋଗୀଙ୍କଠାରେ କରୋନା ଭୂତାଣୁ ଥିବା ରିପୋର୍ଟ ଆସିଥିବାବେଳେ ୧୨ ଜଣଙ୍କର ମୃତ୍ୟୁ ଘଟିଛି।
ସେହିଭଳି ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ଭିତରେ ୨୫ ନୂଆ ରୋଗୀଙ୍କୁ ଚିହ୍ନଟ କରାଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନୁରୂପ ଭାବେ ତାମିଲନାଡୁରେ ୨୪ ଘଣ୍ଟାରେ ୬୯ ଜଣ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଓ ସେଥିମଧ୍ୟରୁ ୬୩ ଜଣ ଦିଲ୍ଲୀର ନିଜାମୁଦ୍ଦିନ୍ ତବଲିଗୀ ଜମାତ୍ରୁ ଆସିଥିବା ଜଣାପଡିଛି। ଅଦ୍ୟାବଧି କରୋନା ଭୂତାଣୁ ଦ୍ବାରା ଗୁଜରାଟରେ ୧୬୫ ସଂକ୍ରମିତ ଓ ୧୪ ମୃତ, ମଧ୍ୟପ୍ରଦେଶରେ ୨୨୯ ସଂକ୍ରମିତ ଓ ୧୩ ମୃତ, ତେଳେଙ୍ଗାନାରେ ୯ଜଣଙ୍କ ମୃତ୍ୟୁ ସହ ୩୬୪ ସଂକ୍ରମିତ, କେରଳରେ ୩୨୭ ସଂକ୍ରମିତ ଓ ୩ ମୃତ, ଦିଲ୍ଲୀରେ ୫୭୬ ଆକ୍ରାନ୍ତ ଓ ୯ ମୃତ, ପଞ୍ଜାବ ୯୧ ଜଣ ସଂକ୍ରମିତ ଓ ୭ ଜଣ ମୃତ, ଓ ତାମିଲନାଡୁରେ ୬୨୧ ସଂକ୍ରମିତ ଓ ୫ ଜଣଙ୍କ ମୃତ୍ୟୁ, ପଶ୍ଚିମବଙ୍ଗରେ ୯୧ ଆକ୍ରାନ୍ତ ଓ ୫ ଜଣଙ୍କ ମୃତ୍ୟୁ, ଉତ୍ତରପ୍ରଦେଶରେ ୩୦୫ ସଂକ୍ରମିତ ଓ ୩ ମୃତ, କର୍ଣ୍ଣାଟକରେ ୧୭୫ ଜଣ ସଂକ୍ରମିତ ଥିବାବେଳେ ୪ ଜଣଙ୍କ ମୃତ୍ୟୁ ଇତିମଧ୍ୟରେ ଘଟିଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କରୋନା ମୁକାବିଲା ଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଲକ୍ ଡାଉନ୍ ସମୟ ବଢାଯିବା ନେଇ ଚାଲିଥିବା ଗୁଜବକୁ ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଛି। ତେବେ ଦେଶକୁ ଏକ ଲମ୍ବା ଲଢେଇ ଲାଗି ପ୍ରସ୍ତୁତ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସୂଚନା ଦେଇଛନ୍ତି। ଇତିମଧ୍ୟରେ ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରେରଣ ଓ ରୋଗୀସେବାକୁ ତ୍ବରାନ୍ବିତ କରିବା ଲାଗି ରେଳବାଇଠାରୁ ଆରମ୍ଭ କରି ବାୟୁସେନା ଓ ନୌସେନା ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। କାର୍ଗୋ ବିମାନ ଜରିଆରେ ହସ୍ପିଟାଲ ସାମଗ୍ରୀ ଓ ଔଷଧ ପତ୍ର ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଉଛି। ରେଳବାଇ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଉଛି। ଦେଶରେ ୧୩୬ଟି ସରକାରୀ ପରୀକ୍ଷାଗାର ଓ ୫୯ଟି ଘରୋଇ ଲ୍ୟାବରେ କରୋନା ସଂକ୍ରମିତଙ୍କ ସ୍ବାବ୍ ପରୀକ୍ଷା ବ୍ୟବସ୍ଥା କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି।
କରୋନା ଇତିମଧ୍ୟରେ ୨୦୯ଟି ରାଷ୍ଟ୍ରକୁ ସଂକ୍ରମିତ ହୋଇଛି। କରୋନା ଭୂତାଣୁ ଏକପ୍ରକାର ଆମେରିକା, ଇଟାଲୀ, ସ୍ପେନ୍, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ଇରାନ ଭଳି ସମୃଦ୍ଧ ରାଷ୍ଟ୍ରଠାରୁ ଆରମ୍ଭ କରି ବେଲ୍ଜିୟମ, ସୁଇଜରଲାଣ୍ଡ, ନେଦରଲାଣ୍ଡ ଭଳି ଛୋଟ ଛୋଟ ରାଷ୍ଟ୍ରଙ୍କୁ ଦୋହଲାଇ ଦେଇଛି। ଚୀନ୍ରୁ ସୃଷ୍ଟ ଏହି ଭୂତାଣୁକୁ ସେଠାକାର ସରକାର ଏବେ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିବାବେଳେ କରୋନା ବିପର୍ଯ୍ୟୟର ସବୁଠୁ ଗୁରୁତର ମୁକାବିଲା କରୁଛି ଆମେରିକା। ପରିସ୍ଥିତିକୁ ରୋକିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଆସନ୍ତା ଗୁରୁବାର (୯ ତାରିଖ) ଡାକିଛନ୍ତି। ପୂର୍ବରୁ ରୁଷ୍ ଓ ଦକ୍ଷିଣ ଆଫ୍ରିକାର ସମର୍ଥନରେ ଚୀନ୍ ଏହି ବୈଠକକୁ ବାତିଲ କରିଦେଇଥିଲା। ଏକ୍ଷେତ୍ରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ୍ ପକ୍ଷ ନେଇ ମହାମାରୀ ସଂପର୍କରେ ତଥ୍ୟ ଲୁଚାଇଥିବା ଆମେରିକା ଅଭିଯୋଗ କରିଥିଲା। ଟ୍ରମ୍ପ୍ଙ୍କ ବୈଠକ ଡାକରାକୁ ସମସ୍ତ ୧୦ଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି। ଜାପାନ ଭଳି ରାଷ୍ଟ୍ର ଏବେ ଦେଶରେ କରୋନା କାୟାରେ ସ୍ବାସ୍ଥ୍ୟ ସଂକଟଜନିତ ଜରୁରୀ ପରିସ୍ଥିତି ଜାରି କରିଛି। ସଂକ୍ରମଣରେ ଆମେରିକା ବିଶ୍ବ ରେକର୍ଡ କରିଛି। ଏଠାରେ ୩ ଲକ୍ଷ ୮୦ ହଜାରରୁ ଅଧିକ ସଂକ୍ରମିତ ଓ ୧୨ ହଜାରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଦିନକରେ ଆଜି ୧୪ ହଜାର ସଂକ୍ରମିତ ଓ ୧୩୭୧ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲୀ ସ୍ଥିତି ମଧ୍ୟ ଭୟାବହ ହୋଇପଡିଛି। ସଂକ୍ରମିତଙ୍କ ସଂଖ୍ୟା ୧,୩୬,୦୦୦ ପହଞ୍ଚିବା ସହ ସର୍ବାଧିକ ୧୭,୧୨୭ ଜଣଙ୍କ ମୃତ୍ୟୁ ଘଟିଛି। ଦିନକରେ ୩ ହଜାରୁ ଅଧିକ ସଂକ୍ରମିତ ଓ ୬୦୪ ଜଣ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ ଦିନକରେ ୧୪୧୭ ଜଣ ପ୍ରାଣ ହରାଇଛନ୍ତି। ଆଜି ୧୧ ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଛି।
ସେହିଭଳି ସ୍ପେନ୍ରେ ଦିନକରେ ୪ ହଜାର ସଂକ୍ରମିତ ଓ ୫୫୬ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା ୧୪ ହଜାର ଓ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୧ ହଜାର ଛୁଇଁଛି। ବ୍ରିଟେନ୍ରେ ଖୋଦ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି। ଏଠାରେ ଆଜି ଦିନକରେ ୮୦୦ ଲୋକଙ୍କ ମୃତ୍ୟୁ ଘଟିଛି ଓ ୪ ହଜାର ପାଖାପାଖି ସଂକ୍ରମିତ ହୋଇଛନ୍ତି। ବ୍ରିଟେନ୍ରେ ମୋଟ ସଂକ୍ରମିତ ୫୫ ହଜାର ଓ ମୃତ୍ୟୁସଂଖ୍ୟା ୬ ହଜାରୁ ଅଧିକ ରହିଛି। ଏଠାରେ ଅନ୍ୟରାଷ୍ଟ୍ର ଅପେକ୍ଷା ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁସଂଖ୍ୟା ବଢୁଛି। ବେଲଜିୟମ୍ରେ ଦିନକରେ ୧୩୦୦ ସଂକ୍ରମିତ ଓ ୪୦୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ନେଦରଲାଣ୍ଡରେ ଦିନକରେ ୭୭୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟାରେ ୨୩୪ ଜଣଙ୍କ ଜୀବନ ଯାଇଛି। ସେହିଭଳି ପଡୋଶୀ ପାକିସ୍ତାନରେ ୪ ହଜାରୁ ଅଧିକ ଆକ୍ରାନ୍ତ ଥିବାବେଳେ ୫୫ ଜଣଙ୍କ ମୃତ୍ୟୁ ଘଟିଛି।
Comments are closed.