www.samajalive.in
Sunday, December 7, 2025
23.1 C
Bhubaneswar

ଆଇନଜ୍ଞ ମଧୁସୂଦନ ଦାସ

ମଧୁସୂଦନ ଦାସ ଯଦିଓ ପ୍ରକୃତରେ ବାରିଷ୍ଟର ହୋଇ ନଥିଲେ; କିନ୍ତୁ ତାଙ୍କୁ ଜନସାଧାରଣ ବାରିଷ୍ଟର ବୋଲି ସମ୍ବୋଧନ କରୁଥିଲେ। ଆଗରୁ ଘରେ ଘରେ ସବୁ କହୁଥିଲେ ପାଠ ପଢିବି, ଓକିଲ ହେବି, କାଳିଆ ଘୋଡ଼ାରେ ଚଢିବି, ମଧୁ ବାରିଷ୍ଟର ସଙ୍ଗେ ଲଢିବି। ଏହା ପୁରପଲ୍ଲୀରେ ପିଲାମାନଙ୍କ ତୁଣ୍ଡରୁ ଶୁଣିବାକୁ ମିଳୁଥିଲା। ତା’ର କାରଣ ହେଲା ମଧୁବାବୁଙ୍କ କାର୍ଯ୍ୟର ପରିସୀମା ଏତେ ବ୍ୟାପକ ଥିଲା ଯେ ତାଙ୍କୁ ଉତ୍କଳ ବାସୀ ଛୋଟ ପରିସୀମା ଭିତରେ ଦେଖି ପାରୁନଥିଲେ।
ମଧୁବାବୁ ଉତ୍କଳ ଜନ ଜାଗରଣର ପ୍ରେରଣାଦାତା ଓ ନବ ଓଡ଼ିଶା ଗଠନର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଉତ୍କଳ ସମ୍ମିଳନୀ ଗଠନ କରି ଖଣ୍ଡ ବିଖଣ୍ଡିତ ଉତ୍କଳକୁ ଏକ ନୂତନ ଓଡ଼ିଶା ପ୍ରଦେଶ ଗଠନ କରିବାରେ ତାଙ୍କର ଭୂମିକାକୁ ଓଡ଼ିଶାବାସୀ ଚିରଦିନ ମନେ ରଖିବେ। ଏହି ବିଶାଳ କାର୍ଯ୍ୟକୁ ଛାଡି ସେ ସମାଜର ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ସେ ତାଙ୍କ ଚିହ୍ନ ଛାଡ଼ି ଯାଇ ନାହାନ୍ତି। ଆଇନ କ୍ଷେତ୍ରରୁ ଆରମ୍ଭ କରି ସମବାୟ ଆନ୍ଦୋଳନ,କୁଟୀର ଶିଳ୍ପ,ତାରକସି କାର୍ଯ୍ୟ, ଚମଡା ଶିଳ୍ପ, ଶିକ୍ଷା, ପୌରସଂସ୍ଥାର ଉନ୍ନତି, ଛାତ୍ର ଜାଗରଣ,ନାରୀ ଜାଗରଣ ଏହିପରି ସବୁ କ୍ଷେତ୍ରରେ ସେ ଥିଲେ ଆମର ପଥ ପ୍ରଦର୍ଶକ। ସେ ଓଡ଼ିଶା ସ୍ବାଭିମାନର ପ୍ରତୀକ ଓ ଜଗନ୍ନାଥ ସଂସ୍କୃତିର ରକ୍ଷକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଗନ୍ନାଥ ମନ୍ଦିରରେ ଠାକୁର ରାଜାଙ୍କ ସ୍ବତ୍ବ ଉପରେ ହୋଇଥିବା ମୋକଦ୍ଦମାରେ କଟକ ଜଜ୍ କୋର୍ଟରେ ରାଜା ହାରି ଯାଇ ଥିଲେ ଓ ଜଜ୍ ରାଜାଙ୍କ ସ୍ଥାନରେ ମନ୍ଦିର ସମ୍ପତ୍ତିର ରକ୍ଷଣାବେକ୍ଷଣ ନିମନ୍ତେ ରିସିଭର୍ ନିଯୁକ୍ତ କରିଥିଲେ। ଏହା ପୁରୀ ରାଜା ତଥା ଉତ୍କଳବାସୀଙ୍କ ସମ୍ମାନକୁ ବଡ଼ ଆଘାତ ଲାଗି ଥିଲା। ତେଣୁ ମଧୁବାବୁ ବହୁତ ପରିଶ୍ରମ କରି କଲିକତା ଯାଇ ବାରିଷ୍ଟର ଙ୍କ ସହିତ ବିଚାର ବିମର୍ଶ କରି ହାଇକୋର୍ଟରେ ଅପିଲ ଦାଏର କରିଥିଲେ। ବାରିଷ୍ଟରଙ୍କର ଏହି କେଶ୍ ପାଇଁ ବିଶେଷ ଆଗ୍ରହ ନଥିଲେ ମଧ୍ୟ ମଧୁବାବୁଙ୍କ ଦ୍ବାରା ପ୍ରସ୍ତୁତ ନୋଟ୍ ଅନୁସାରେ ସେମାନେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଓ ବିଜୟ ଲାଭ କରି ଥିଲେ। ଶୁଣାଣି ଶେଷ ହେବା ପରେ ଜଜ୍‌ମାନେ ପୁରୀ ରାଜାଙ୍କ ଓକିଲଙ୍କୁ ଧନ୍ୟବାଦ ଦେଲାବେଳେ ବାରିଷ୍ଟର କହିଥିଲେ ଧନ୍ୟବାଦର ପ୍ରକୃତ ଅଧିକାରୀ ମଧୁସୁଦନ ଦାସ, କଟକର ଜଣେ ଯୁବ ଆଇନଜୀବୀ। ଏହା ଶୁଣିବାପରେ ଜଜ୍ ମାନେ ମଧୁବାବୁଙ୍କୁ କୋର୍ଟରେ ଭୂୟସୀ ପ୍ରଶଂସା କରିଥିଲେ। ଏହା ଓଡ଼ିଶାର ପୁରପଲ୍ଲୀରେ ପ୍ରଚାରିତ ହୋଇଗଲା। ଫଳରେ ମଧୁବାବୁ ଘରେଘରେ ପରିଚିତ ହୋଇଗଲେ ଓ ଲୋକମାନେ ତାଙ୍କୁ ମଧୁ ବାରିଷ୍ଟର ବୋଲି କହିଲେ। ଭାରତର ଆଇନ କ୍ଷେତ୍ରରେ ମଧୁବାବୁ ଏକ ବିରାଟ ବିପ୍ଳବ ଆଣିଥିଲେ। ଏହା ଉଲ୍ଲେଖ କରିବା ବାହୁଲ୍ୟ ଯେ ମଧୁବାବୁ ଓଡ଼ିଆମାନଙ୍କ ଭିତରେ ବହୁ କ୍ଷେତ୍ରରେ ପ୍ରଥମ ଥିଲେ। ସେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଏମ.ଏ., ପ୍ରଥମ ଏଲଏଲବି ଓ ପ୍ରଥମ ଓଡ଼ିଆ ଆଇନଜୀବୀ ଥିଲେ। ସେ ମଧ୍ୟ ପ୍ରଥମ ପ୍ରୋଭିନସିଆଲ ଲେଜିସଲେଟିଭ କାଉନସିଲରେ ଓଡ଼ିଶାର ସଦସ୍ୟ ଥିଲେ ଓ ପ୍ରଥମ ଓଡ଼ିଆ ମନ୍ତ୍ରୀ ମଧ୍ୟ ହୋଇଥିଲେ। ବିହାର ଓଡ଼ିଶା ପ୍ରଦେଶର ମଧୁବାବୁ ହେଉଛନ୍ତି ପ୍ରଥମ ମନ୍ତ୍ରୀ ଯିଏକି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଓଡ଼ିଶାକୁ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆମ ରାଜ୍ୟ ଓ ରାଜ୍ୟବାସୀଙ୍କୁ ଗୌରବାନ୍ବିତ କରି ପାରିଛନ୍ତି। ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହଯାଏ। ଅବଶ୍ୟ ଦୁଃଖର କଥା ଓଡ଼ିଶା ରାଜ୍ୟ ଗଠନ ହେବାର ସରକାରୀ ସ୍ବୀକୃତି ପ୍ରଦାନର ଖବର ସେ ଜାଣିପାରିଲେ ନାହିଁ। ତାହା ପୂର୍ବରୁ ସେ ଇହଧାମ ତ୍ୟାଗ କରିଥିଲେ ୧୯୩୪, ଫେବୃଆରୀ ୨ରେ। କିନ୍ତୁ ତାଙ୍କ ବହୁମୁଖୀ ପ୍ରତିଭା, କାର୍ଯ୍ୟ, ଆଦର୍ଶ ଓ ସ୍ଵାଭିମାନ ଓଡ଼ିଶାବାସୀଙ୍କୁ ସର୍ବଦା ପ୍ରେରଣା ଦେଉଥିବ। ଏହି ବିରାଟ ବ୍ୟକ୍ତି ଓ ବିଜ୍ଞ ଆଇନଜୀବୀଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଆମ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଆଇନଜୀବୀ ପରିଷଦ ତାଙ୍କ ଜନ୍ମ ଦିବସ ଏପ୍ରିଲ୍ ୨୮ତାରିଖକୁ ଆଇନଜୀବୀ ଦିବସ ଭାବେ ପାଳନ କରିଆସୁଛନ୍ତି।

କେ ଏନ୍ ଦାସ, ଅଧିବକ୍ତା, ଭୁବନେଶ୍ବର

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories