www.samajalive.in
Sunday, December 7, 2025
26.1 C
Bhubaneswar

ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ : ଆଘୋ କର ଥଇଥାନ, ତାର୍ ପରେ ଡେମ୍ କାମ୍

ବଲାଙ୍ଗିର : ଗତ ବୁଧୁବାର ଦିନ ଜଳସଂପଦ ବିଭାଗ ସହ ଥଇଥାନ, ପୁନର୍ବାସ ଓ କ୍ଷତିପୂରଣ ବିଭାଗର ବରିଷ୍ଠ ଅଧିକାରୀମାନେ ବଲାଙ୍ଗିର ଗସ୍ତରେ ଆସିଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ ନେଇ ବଲାଙ୍ଗିର ଗସ୍ତରେ ଆସିଥିବା ଅଧିକାରୀମାନେ ଆଲୋଚନା କରିଥିଲେ। ଏହାପରେ ପ୍ରକଳ୍ପ ଅଞ୍ଚଳକୁ ଯାଇଥିଲେ ଟିମ୍। ଆଉ ଘର ପଶିଲା ବେଳକୁ ଯେମିତି ଚାଳ ବାଜିଲେ ଅଶୁଭ କୁହାଯାଏ ଠିକ୍ ସେମିତି ପ୍ରକଳ୍ପ ସ୍ଥଳରେ ବିରୋଧର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ ଗାଁ ଲୋକେ ଏକତ୍ରିତ ହୋଇ ନାରା ଦେଇଥିଲେ ‘ଆଘୋ କର ଥଇଥାନ, ତାର୍ ପରେ ଡେମ୍ କାମ୍’। ଲୋକଙ୍କ ନାରାବାଜି ଓ ବିରୋଧ ଭିତରେ ବେଶୀ ସମୟ ସେଠାରେ ରହିବା ଠିକ୍ ଭାବି ନଥିଲେ ଅଧିକାରୀମାନେ। ତରବରିଆ ଭାବେ ଫେରି ଆସିଥିଲେ ସେଠାରୁ। ବଲାଙ୍ଗିର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ କାମ ଅଢେଇ ବର୍ଷ ହେଲା ବନ୍ଦ ରହିଥିବା ବେଳେ ଏବେ ଏହାକୁ ଆଗେଇ ନେବା ପାଇଁ ଆରମ୍ଭ ହୋଇଛି ରଣନୀତି। ବିଭିନ୍ନ ପର୍ଯ୍ୟାୟରେ ବିରୋଧର ସମ୍ମୁଖୀନ ହୋଇଥିବା ପଦାଧିକାରୀମାନେ ଆଗକୁ ଖସଡ଼ା ପ୍ରସ୍ତୁତ କରି ପ୍ରକଳ୍ପକୁ କେମିତି ଆରମ୍ଭ କରିବେ ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ କରୁଥିବା ଜଣାପଡିଛି। ଆଉ ଏହାରି ଭିତରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପ ନିର୍ମାଣ କାମରେ ବାଧା ନଦେବାକୁ ଆହ୍ୱାନ କରିବାକୁ କିଛି ସହଜରେ ଗ୍ରହଣ କରିପାରି ନାହାନ୍ତି।

ଦୁଇ ଦଶନ୍ଧି ବିତିଗଲା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପକୁ। ଦୁଇ ଦୁଇ ଥର ଭିତ୍ତିପ୍ରସ୍ତର ଦେଇଥିଲେ ବି ଜୋରଦାର ବିରୋଧ। ଆଉ ବିରୋଧ ତଥା ଜନମତକୁ ଏଡେଇ ପ୍ରକଳ୍ପ କରିବାକୁ ସାହାସ ଜୁଟାଇ ପାରି ନଥିଲେ ସରକାର। ତେବେ ବିରୋଧୀ ପକ୍ଷ ଦୁର୍ବଳ ହେଉଥିବା ବେଳେ ସୁସ୍ଥ ସବଳ ହୋଇ ସପକ୍ଷବାଦୀମାନେ ମୁଣ୍ଡ ଉଠାଇଥିଲେ। ଆଉ ସରକାର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଥିଲେ। ୨୧୭ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରକଳ୍ପ ପାଇଁ ପ୍ରଥମେ କରାଯାଇଥିଲା। ଏବେ ୨ହଜାର କୋଟିକୁ ଡେଇଁଲାଣି। ବିରୋଧୀ ଓ ସପକ୍ଷବାଦୀଙ୍କ ଟଣା ଓଟରା ଭିତରେ ପୁଲିସ ଲଗାଇ ପ୍ରଶାସନ କାମ ଆରମ୍ଭ କରିଥିଲା। ପ୍ରକଳ୍ପ ଯୋଗୁଁ ଭିଟାମାଟି ହରାଉଥିବା ଲୋକେ ବି ପ୍ରକଳ୍ପ ସପକ୍ଷରେ ରହିଲେ। ହେଲେ ପ୍ରକଳ୍ପ କାମ ସହ ସମାନ୍ତରାଳ ଭାବେ କ୍ଷତିପୂରଣ, ଥଇଥାନ ତଥା ପୁନର୍ବାସ ସୁବିଧା କରିବାକୁ ଦାବି ରଖିଲେ। ହଁ ସବୁ କରାଯିବ ବୋଲି ପ୍ରତିଶ୍ରୁତି ମିଳିଲା। ଓସିସି ସଂସ୍ଥା ପ୍ରକଳ୍ପ କାମ ଜାରି ରଖିଲା। ହେଲେ ଯେଉଁ ହାରରେ ପ୍ରକଳ୍ପ କାମ ଜାରି ରହିଲା ସେହି ଅନୁପାତରେ ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଲା। ୨ ବର୍ଷରୁ ଉର୍ଦ୍ଧ ହେଲାଣି ପ୍ରକଳ୍ପ କାମ ପୂରା ବନ୍ଦ।

- Advertisement -

ଗତ ସେପ୍ଟେମ୍ବର ମାସରେ ଉଚ୍ଚସ୍ତରୀୟ ଟିମ୍ ଆସି ଆଲୋଚନା ଓ ପ୍ରକଳ୍ପ ସ୍ଥଳ ଦେଖିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଆସିଥିଲେ ଗତ ବୁଧବାର। ହେଲେ ତାଙ୍କୁ ଗୋଡେ ଗୋଡେ ଜଗିଥିଲେ ବିରୋଧୀ। ଯିଏ ପ୍ରକଳ୍ପ ଅଗ୍ରଗତି ନେଇ ପ୍ରଶ୍ନ କଲା ତାଙ୍କୁ ବିସ୍ଥାପିତଙ୍କ ଓଲଟା ପ୍ରଶ୍ନ ପ୍ରକଳ୍ପ ଅନୁସାରେ ବିସ୍ଥାପିତଙ୍କୁ ଥଇଥାନ, କ୍ଷତିପୂରଣ ଓ ପୁନର୍ବାସ ସୁବିଧା କରିଛ କି? ତା’ପରେ ମୁହଁ ମୋଡି ପିଛେ ମୁଡ୍ ଢଙ୍ଗରେ ଫେରି ଆସୁଥିଲେ ଅଧିକାରୀ। ଗତ ବୁଧବାର ବି ସେମିତି ସ୍ଥିତି ହେଲା। ଏ ସବୁଥିରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟ ଲୋୟର୍ ସୁକତେଲ ବିସ୍ଥାପିତଙ୍କୁ ୨୦୧୩ ବିସ୍ଥାପନ କ୍ଷତିପୂରଣ ନିୟମ ଲାଗୁ ହେବ ନାହିଁ ବୋଲି ଅନ୍ତରୀଣ ନିର୍ଣ୍ଣୟ ଦେଇଛନ୍ତି। ରାଜ୍ୟ ସରକାର ଏକ୍ସଗ୍ରାସିଆ କ୍ଷତିପୂରଣ ଦେବାକୁ ରାଜି ହୋଇଛନ୍ତି। ସୁକତେଲ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହେବାର ବାଟ ଖୋଲୁଛି। ବିସ୍ଥାପିତଙ୍କୁ ସରକାରଙ୍କ ପକ୍ଷରୁ ଏକ୍ସଗ୍ରାସିଆ କ୍ଷତିପୂରଣ ଦିଆଯିବ। ତା’ସହ ପ୍ରକଳ୍ପ ପୁନଃ ନିର୍ମାଣ କାମ ଜାରି ରହିବ। ସେ କହିଛନ୍ତି ଯେ, ପ୍ରକଳ୍ପ ଆରମ୍ଭ ସହ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବା ପାଇଁ ଉଚ୍ଚ ଅଧିକାରୀସ୍ତରରେ କଥାବାର୍ତ୍ତା  ସରିଛି। ନଭେମ୍ବର ମାସରେ ଏହି ପ୍ରକଳ୍ପ କାମ ଆରମ୍ଭ କରିବାକୁ ଯୋଜନା ରହିଛି। ତେଣୁ କାମକୁ କେହି ଆଉ ବିରୋଧ କରନ୍ତୁ ନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି। ହେଲେ ପ୍ରକଳ୍ପ ସପକ୍ଷବାଦୀ ଦର୍ଶାଇ ଆଗୁଆ ପୁନର୍ବାସ, ଥଇଥାନ ଓ କ୍ଷତିପୂରଣ ଦାବି କରୁଥିବା ଲୋକେ ଆଗାମୀ ଦିନରେ କି ପ୍ରକାର ରଣନୀତି ଆପଣାଇବେ ତା’ଉପରେ ସମସ୍ତଙ୍କ ନଜର।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories