ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ୨୪ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ମାଲାକ୍କା ସମୁଦ୍ର ସନ୍ଧି ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ।
ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହୋଇପାରେ। ସମ୍ଭାବ୍ୟ ଅବପାତ ପ୍ରଭାବ କେତେ ଦୂର ଓଡ଼ିଶା ଉପରେ ପଡ଼ିବ, କେଉଁଆଡ଼କୁ ତାହା ମୁହଁାଇବ, ଓଡ଼ିଶାର କେଉଁ ଜିଲାରେ କେତେ ପରିମାଣ ବର୍ଷା ହେବ ତାକୁ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।



