ପୁରୀ : ମଙ୍ଗଳବାରଠାରୁ ଭକ୍ତଙ୍କୁ ମିଳିବ କାଳିଆ ଠାକୁରଙ୍କ ଦର୍ଶନ। ଏଥିପାଇଁ ସଂଶୋଧିତ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ରବିବାର ବ୍ୟତୀତ ଅନ୍ୟଦିନ ଗୁଡ଼ିକରେ ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବେ। ତୁଣ୍ଡି(ମାସ୍କ) ପିନ୍ଧି ନ ଥିଲେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଏହାଛଡ଼ା ଦୁଇଟି କରୋନା ଟିକା ନେଇଥିବା ପ୍ରମାଣପତ୍ର କିମ୍ବା କରୋନାରେ ସଂକ୍ରମିତ ହୋଇ ନଥି ବା ଡାକ୍ତରୀ ଚିଠା ଏବଂ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଦର୍ଶନ ପାଇଁ ଯିବାବେଳେ କରୋନା କଟକଣା କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ। ପୁରୀ ସହରବାସୀ ପଶ୍ଚିମଦ୍ବାର ଏବଂ ଅନ୍ୟମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ସାମାଜିକ ଦୂରତ୍ବ କଟକଣା ପାଳନ କରିବାକୁ କୁହାଯାଇଛି। ଆଗାମୀ ୧୭ତାରିଖ ଦିନ କରୋନା ସଂକ୍ରମଣ ସ୍ଥିତି ଏବଂ ଦର୍ଶନ ବ୍ୟବସ୍ଥାର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପ୍ରକାଶ କରିଛନ୍ତି।
ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ, ପୁଲିସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ ବ୍ୟାରିକେଡ୍ ଦେଇ ଧାଡ଼ିରେ ଦର୍ଶନ ପାଇଁ ଯିବେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସେମାନଙ୍କ କରୋନା ଟିକା ପ୍ରମାଣପତ୍ର ଏବଂ ଆଧାରକାର୍ଡ ଯାଞ୍ଚ କରାଯିବା ସହ ଫଟୋ ଉଠାଯିବ। ଶ୍ରୀଜୀଉଙ୍କୁ ଦର୍ଶନ ପରେ ଭକ୍ତମାନେ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ।
ସିଂହଦ୍ବାର ଏବଂ ପଶ୍ଚିମଦ୍ବାର ସମେତ ଭିତର ବେଢ଼ାରେ ଲୁହାବାଡ଼(ବ୍ୟାରିକେଡ୍) ନିର୍ମାଣ କରାଯାଇଛି। ଗହଳିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ। ଶ୍ରଦ୍ଧାଳୁମାନେ ବାହାରକାଠ ଏବଂ ଭିତରକାଠ ପାଖରେ ଛିଡ଼ାହୋଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ। ୧୮ରୁ ୬୦ବର୍ଷ ବୟସର ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିକାଦାନ ଶିବିର ନୀଳାଦ୍ରି ଭକ୍ତନିବାସରେ ଖୋଲାଯାଇଛି। କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଏବଂ ପୁରୀ ସହରବାସୀଙ୍କ ଅର୍ଥନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦେବା ନିମନ୍ତେ ଗତ ୨୮ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଥିଲା। ତାହାକୁ ଭିତ୍ତିକରି ସୋମବାର ସଂଶୋଧିତ ଦର୍ଶନ ବ୍ୟବସ୍ଥା କରାଯିବା ସହ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି।
ସେହିଭଳି ମା’ ସମଲେଶ୍ବରୀଙ୍କ ସମେତ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ଗୁଡିକ ମଧ୍ୟ କରୋନା କଟକଣା ଭିତରେ ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବାକୁ ଯାଉଛି।
ସକାଳ ୬ରୁ ରାତି ୯ଟା କାଳିଆ ଦର୍ଶନ
Popular Categories



