ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ପାଇଁ ମନୋନୟନ କମିଟିର ପଞ୍ଚମ ସଦସ୍ୟ ଭାବେ ଜଣେ ବରିଷ୍ଠ ଆଇନ ବିଶାରଦ ରହିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ସ୍ଥାନୀୟ ଅତିଥିଭବନରେ ପଞ୍ଚମ ସଦସ୍ୟଙ୍କ ମନୋନୟନ ନେଇ ବସିଥିବା ଚାରିଜଣିଆ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କମିଟି ପଞ୍ଚମ ସଦସ୍ୟଙ୍କ ନାମ ସୁପାରିସ କରିଛି। ସୁପାରିସ କରାଯାଇଥିବା ବରିଷ୍ଠ ଆଇନ ବିଶାରଦଙ୍କ ନାମ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ପ୍ରଦୀପକୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ. ଜାଭେରୀ ଉପସ୍ଥିତ ଥିଲେ।
ବୈଠକ ଶେଷରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ପାଞ୍ଚ ଜଣିଆ ମନୋନୟନ କମିଟି ସର୍ଚ୍ଚ କମିଟି ଗଠନ କରିବ। ସର୍ଚ୍ଚ କମିଟିରେ ପାଞ୍ଚ ଜଣ ସଦସ୍ୟ ରହିବେ। ସେମାନେ ମନୋନୟନ କମିଟିକୁ ଲୋକାୟୁକ୍ତ ନିଯୁକ୍ତି ନେଇ ଉପଯୁକ୍ତ ବ୍ୟକ୍ତିଙ୍କ ତାଲିକା ଦେବେ। ମନୋନୟନ କମିଟି ସେହି ତାଲିକାରୁ କିମ୍ବା ତାଲିକା ବାହାରୁ ଲୋକାୟୁକ୍ତ ପଦ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ବାଛିପାରିବେ।
ବରିଷ୍ଠ ଆଇନ ବିଶାରଦ ରହିବେ ପଞ୍ଚମ ସଦସ୍ୟ
Popular Categories



