ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଲିଟେରାରୀ ଫେଷ୍ଟ – ଜାମ୍ବୋରୀ ଆୟୋଜିତ
ଡେସ୍କ: କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆଜି ଲିଟେରାରୀ ଫେଷ୍ଟ୍ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସିବିଏସଇ ସହୋଦୟ ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକରୁ ୨୦୦ ପ୍ରତିଯୋଗୀ ୨୦ଟି ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା ଗୁଡ଼ିକ ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ମଣ୍ଟେସୋରୀ ବିଭାଗରୁ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ସହ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଏହି ଲିଟେରାରୀ ଫେଷ୍ଟଟି ଦର୍ଶକମାନଙ୍କ ମନ ଜିଣିଥିଲା। ଚିତ୍ରାଙ୍କନ, ସ୍ଵରଚିତ କବିତା ଆବୃତି, ମୋ ଦୃଷ୍ଟିରେ ଭବିଷ୍ୟତ, ବିଜ୍ଞାନ ବିଚିତ୍ରା, ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ, କଳା ନୈପୁଣ୍ୟ, ଗଣିତ ଗରିମା, ବକ୍ତୃତା, ଗଳ୍ପ କଥନ, ବ୍ୟକ୍ତିତ୍ଵ ଉପସ୍ଥାପନ ତଥା ଯୋଗ ଆଦିକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।ଦକ୍ଷ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ନିରପେକ୍ଷ ଭାବରେ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ଭାବରେ ୨୦ ଜଣ ପ୍ରତିଭାବାନ ବ୍ୟକ୍ତିତ୍ଵ ଯୋଗ ଦେଇଥିଲେ।
ଆଜିର ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ଆଇଆଇଟି ଭୁବନେଶ୍ୱରର ଜୁନିଅର ଲାଇବ୍ରେରୀ ଇନଫର୍ମେଶନ ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସାହୁ, ମର୍ଡନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀସୁଖଲତା ଷଡ଼ଙ୍ଗୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଅନୁରାଧା ମିଶ୍ର, ରତ୍ନ ଚିରାର ସମ୍ପାଦିକା ଲେଖିକା ସ୍ନେହଲତା ପୃଷ୍ଟି, ଶିକ୍ଷକ ଜୟଦିପ ଦାସ, କିଟ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ରଞ୍ଜନ କୁମାର ପାଣିଗ୍ରାହୀ, ରୋଟାରୀ କଟକ ବାରବାଟୀର ସମ୍ପାଦକ ରମଣୀ ରଞ୍ଜନ ରାଉତରାଏ, ଆଇଏଚଏମର ଲାଇବ୍ରେରିଆନ ଅବିନାଶ ଦ।ଶ, ନୃତ୍ୟାଙ୍ଗନା ତଥା ନୃତ୍ୟ ନିର୍ଦ୍ଦେଶିକା କେ, ସ୍ନେହା ଆଚାର୍ଯ୍ୟ, ଡିଏନଏ ଜୁନିଅର୍ ପ୍ରି ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ସାଗରିକା ବେହେରା, ମଡେଲ ଅନନ୍ୟା ବିଶ୍ଵାଳ, ଇଂରାଜୀ ଶିକ୍ଷକ ରିକି ନର୍ଥ, ଆଇଆଇଟି ଖଡଗପୁରର ଇଂରାଜୀ ଭାଷା ଶିକ୍ଷା ସହଯୋଗୀ ଯଶୋବନ୍ତ ନାୟକ, ସମାଜସେବୀ ତଥା ଚାଇଲ୍ଡ କାଉନସିଲର କୀର୍ତ୍ତି ଦ୍ରଷ୍ଟା ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଦେବଯାନୀ ଚକ୍ରବର୍ତ୍ତୀ ଓ ସୁମିତ୍ରା ମହାନ୍ତି, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଜିତେନ୍ଦ୍ର କୁମାର ଦାସ, କଗ୍ନିଯାଣ୍ଟର ସିନିୟର୍ ମ୍ୟାନେଜର ମନ୍ମୟ ମିଶ୍ର, ଭେନସ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ସଗ୍ନିକା ମିଶ୍ର ଓ ଯୋଗ ପ୍ରଶିକ୍ଷକ ୱାଇ ଜଗା ରାଓ ଯୋଗ ଦେଇଥିଲେ।
ଆଜିର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା ଓ ବୁଦ୍ଧିମତାର ପ୍ରଦର୍ଶନ ପାଇଁ ସୁଯୋଗ ଆଣି ଦେଇଥିଲା। ପ୍ରତ୍ୟେକ ପ୍ରତିଯୋଗୀ ଆଗ୍ରହ ଓ ଉତ୍ସାହର ସହ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଅକୁଣ୍ଠ ସହଯୋଗ ପାଇଁ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ପୁରସ୍କାର ପ୍ରଦାନ କରିଥିଲେ। ଜାତୀୟ ଶିକ୍ଷାନୀତି ଅନୁସାରେ ଆଜି ଦିନଟି ପିଲାମାନଙ୍କ ପାଇଁ ବହିଖାତା ମୁକ୍ତ ଦିବସ ଭାବେ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଦିଗରେ ବିଶେଷ ଧ୍ୟାନ ଦିଆଯାଇଥିଲା।
Comments are closed.