ସମ୍ବଲପୁର : ଭାରତୀୟ ରେଳବାଇ ଦ୍ୱାରା ହାୱଡା ଭାୟା ସମ୍ବଲପୁର ଦେଇ ଜଗଦଲପୁର ପର୍ଯ୍ୟନ୍ତ ଚଳାଚଳ କରୁଥିବା ୧୮୦୦୫/୧୮୦୦୬ ସମଲେଶ୍ୱରୀ ଏକ୍ସପ୍ରେସରେ ଅତ୍ୟାଧୁନିକ ଏଲଏଚବି ବଗି ସଂଯୋଗ କରାଯିବ । ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ଯାତ୍ରୀ ମାନଙ୍କର ସୁବିଧା ଓ ରେଳ ଆଧୁନିକୀକରଣ ଏବଂ ସୁରକ୍ଷାକୁ ଧ୍ୟାନରେ ରଖାଯାଇ ଏହି ଅତ୍ୟାଧୁନିକ ବଗି ଗୁଡିକ ସମଲେଶ୍ୱରୀ ଏକ୍ସପ୍ରେସରେ ସଂଯୋଗ କରାଯିବ। ଏହା ସହିତ ମଙ୍ଗଳବାରରୁ ୧୮୦୦୫ ହାୱଡା- ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଏହି ନୂତନ ବଗି ଗୁଡିକ ସହିତ ହାୱଡାରୁ ଏବଂ ଆସନ୍ତା ୧୭ ତାରିଖରେ ୧୮୦୦୬ ଜଗଦଲପୁର (ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ) ଚଳାଚଳ କରିବ। ଏଥି ସହ ସମଲେଶ୍ୱରୀ ଏକ୍ସପ୍ରେସର ଚଳାଚଳକୁ ଉଭୟ ଦିଗରୁ ସପ୍ତାହ କୁ ୪ ଦିନରୁ ବୃଦ୍ଧି କରାଯାଇ ପ୍ରତ୍ୟହ କରାଯାଇଛି । ଏବେ ଏହି ଏକ୍ସପ୍ରେସରେ ଗୋଟିଏ ପ୍ରଥମ ଶ୍ରେଣୀ ବାତାନୁକୂଳ, ୨ଟି ଦ୍ୱିତୀୟ ଶ୍ରେଣୀ ବାତାନୁକୂଳ, ୨ଟି ତୃତୀୟ ଶ୍ରେଣୀ ବାତାନୁକୂଳ, ୬ଟି ସ୍ଲିପର, ୨ଟି ସାଧାରଣ ଏବଂ ଗୋଟିଏ ସାଧାରଣ ଲଗେଜ ଓ ଦିବ୍ୟାଙ୍ଗ ଏଲଏଚବି ବଗି ରହିବ । ସୂଚନାଯୋଗ୍ୟ ଯେ, ଏହି ନୂତନ ଅତ୍ୟାଧୁନିକ ବଗି ଗୁଡିକର ଗତି ସର୍ବାଧିକ ୨୦୦ କିମି ପ୍ରତି ଘଣ୍ଟା ରହିଥିବା ବେଳେ ପୁରୁଣା ପାରମ୍ପରିକ ଯାତ୍ରୀବାହୀ ବଗି ଗୁଡିକ ଅପେକ୍ଷା ଏହା ହାଲୁକା। ବଗି ଗୁଡିକରେ ଯାତ୍ରୀ ମାନଙ୍କର ସୁବିଧା ଓ ସୁରକ୍ଷାକୁ ଧ୍ୟାନରେ ରଖାଯାଇ ଅନେକ ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



