ବିଦ୍ୟୁତ୍ ସଟ୍ ସର୍କିଟରୁ ନିଆଁ ଲାଗି ଘର ଭସ୍ମୀଭୁତ, ପରିବାର ସର୍ବସ୍ୱାନ୍ତ

ଲାଞ୍ଜିଗଡ: ବିଦ୍ୟୁତ୍ ସଟ୍ ସର୍କିଟରୁ ନିଆଁ ଲାଗି ଜଣେ ଗରିବ ଓ ଅସହାୟ ମହିଳାଙ୍କ ଝାଟିମାଟିର ଘର ଭସ୍ମୀଭୁତ ହୋଇଯାଇଛି। ବର୍ତ୍ତମାନ ପରିବାର ସର୍ବସ୍ୱାନ୍ତ ହୋଇଯାଇଥିବା ଜଣାପଡିଛି। ସୂଚନାନୁଯାୟୀ, ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର ଗୋମତୀ ହରିଜନ ଗାଁର ଶେଷମୁଣ୍ଡରେ ଗୋଟିଏ ପୁଅ ଓ ଝିଅଙ୍କୁ ନେଇ ଏକ ଝାଟିମାଟି ଘରେ ରହନ୍ତି। ପରିବାର ପ୍ରତିପୋଷଣରେ ସମସ୍ୟା ଦେଖାଦେବାରୁ ଗୋମତୀଙ୍କ ସ୍ୱାମୀ ଦାଦନ ଖଟିବାକୁ କେରଳ ଯାଇଥିବା ବେଳେ ଘରେ ଗୋମତୀ ନିଜ ପୁଅଝିଅଙ୍କୁ ନେଇ ରହୁଥିଲେ।

ଆଜି ବଡିଭୋରରୁ ତାଙ୍କ ଘରେ ଲାଗିଥିବା ବିଦ୍ୟୁତ୍ ତାରରେ ସଟ୍ ସାର୍କିଟ ହୋଇ ନିଆଁ ଲାଗି ଯାଇଥିବା ବେଳେ ଧିରେଧିରେ ଏହା ଭୟଙ୍କର ରୂପ ନେଇଥିଲା। ଏପରିକି ତାଙ୍କ ଦୁଇ ବଖରା ଝାଟିମାଟି ଘର ପୋଡି ଯାଇଥିବା ବେଳେ ଘରେ ଥିବା ଧାନଚାଉଳ, ଆସବାବପତ୍ର, କପଡା ସହିତ ପୁଅଝିଅଙ୍କ ପଢାବହି ପୋଡି ପାଉଁଶ ହୋଇଯାଇଛି। ଘର ପୋଡିଯିବାରୁ ଗୋମତୀଙ୍କ ପରିବାର ସର୍ବସ୍ୱାନ୍ତ ହୋଇ ପଡିଥିବା ବେଳେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

Comments are closed.