ଭୁବନେଶ୍ବର: ଶିଳ୍ପ, ବ୍ୟବସାୟ ଏବଂ ଅନ୍ୟ ଉଦ୍ଦେଶ୍ୟରେ ସରକାରୀ ଜମି ଲିଜ୍ ସୂତ୍ରରେ ଦିଆଯାଉଛି। କିନ୍ତୁ ଦୁର୍ନୀତିଖୋର କର୍ମଚାରୀଙ୍କୁ ହାତବାରିଶି କରି ଅନେକ ଜମିର କିସମ ବଦଳାଇ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ଲିଜ୍ ସୂତ୍ରରେ ଦିଆଯାଇଥିବା ଜମି ରେକର୍ଡରେ କିସମରେ ପଟ୍ଟାଧାର ଉଲ୍ଲେଖ ରହିବା ବଦଳରେ ସ୍ଥିତିବାନ ବୋଲି ଲେଖାଇ ନେଉଛନ୍ତି। ସରକାରୀ ଜମି ଆତ୍ମସାତ କରାଯାଉଛି। ଭୁଲ କରିଥିବା ଲିଜ୍ ଧାରୀ ଅଯଥାରେ ସରକାରଙ୍କୁ ଅଦାଲତି ମାମଲାରେ ଫସାଉଛନ୍ତି। ସାରା ରାଜ୍ୟରେ ଲିଜ୍ ଜମିରେ ଏପରି ଜାଲିଆତି ହୋଇଥିବା ସରକାରଙ୍କ ନଜରକୁ ଆସିଛି। ଏହାକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଯେଉଁ ଲିଜ୍ ଜମିର ପଟ୍ଟାରେ ପଟ୍ଟାଧାର ବଦଳରେ ସ୍ଥିତିବାନ୍ ଉଲ୍ଲେଖ ଥିବା ତାହା ବାତିଲ କରାଯିବ।ଅତିରିକ୍ତ ଜିଲାପାଳଙ୍କ ନେତୃତ୍ବରେ ତହସିଲଦାରମାନେ ତଦନ୍ତ କରି କିସମ ପରିବର୍ତ୍ତନ ଜାଲିଆତି ଉପରୁ ପରଦା ହଟାଇବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି।
ରାଜ୍ୟର ବିଭିନ୍ନ ଜିଲାରେ ସରକାର ଶିଳ୍ପ ସଂସ୍ଥା, ବିଭିନ୍ନ ଅନୁଷ୍ଠାନ, ସଂଗଠନ, କମ୍ପାନୀ, ସରକାରୀ ଉଦ୍ୟୋଗ, ନିଗମକୁ ଜମି ଲିଜ୍ ସୂତ୍ରରେ ପ୍ରଦାନ କରିଥାନ୍ତି। ସରକାରଙ୍କ ନିୟମ ଅନୁସାରେ ଲିଜ୍ ଜମିରେ ପଟ୍ଟାଧାର କିସମ ବୋଲି ଉଲ୍ଲେଖ ରହିବା ଜରୁରୀ। କେବଳ କୃଷି କିମ୍ବା ଆନୁସଙ୍ଗିକ କୃଷି କାମ ପାଇଁ ଜମି ଦିଆଯାଇ ଥିଲେ ପଟ୍ଟାରେ ସ୍ଥିତିବାନ୍ ଅବା ରୟତ ବୋଲି ଉଲ୍ଲେଖ ରହିବ। ଅଣ-ଚାଷ ଉଦ୍ଦେଶ୍ୟରେ ଦିଆଯାଇ ଥିବା ଜମିରେ ସ୍ଥିତିବାନ୍ ସତ୍ତ୍ବ ମିଳେ ନାହିଁ। ଏ ସବୁ ସ୍ଥଳରେ କେବଳ ଲିଜ୍ ଦଲିଲ ସମ୍ପାଦନ କରାଯାଏ। ଏହା ପରେ ଲିଜ୍ ନେଇଥିବା ବ୍ୟକ୍ତି ଅବା ପଟ୍ଟାଦାରଙ୍କ ନାମରେ ସ୍ବତନ୍ତ୍ର ଖାତା ପ୍ରସ୍ତୁତ କରାଯାଇ ସତ୍ତ୍ବ ପଟ୍ଟାଦାର ବୋଲି ଉଲ୍ଲେଖ ରହିଥାଏ ଏବଂ ପଟ୍ଟାର ଅବଧି/ଲିଜ୍ ସମୟ କେତେ ତାହା ସେଠାରେ ଦର୍ଶାଯାଇଥାଏ। ହେଲେ ଯଦି ତାହା ସ୍ଥିତିବାନ୍ ତା ହେଲେ ଜମିର ଦୂରୁପଯୋଗ ହେବା ବେଶ୍ ସହଜ। ଆଉ ତାହା ହିଁ ହୋଇଛି। ଏହା ଜଣା ପଡିବା ପରେ ବିଭାଗ ଏହାକୁ ଗୁରୁତ୍ବର ସହ ନେଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂ ଗୁରୁବାର ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖି କହିଛନ୍ତି ଯେ କିଛି ଅସାଧୁ ଅଧିକାରୀ, କର୍ମଚାରୀଙ୍କ ପାଇଁ ଜମିର କିସମ ପରିବର୍ତ୍ତନ କରାଯାଇଛି।ତେଣୁ ତହସିଲଦାରଙ୍କ ଜରିଆରେ ଏପରି ତ୍ରୁଟିପୂର୍ଣ୍ଣ କିସମ ପରିବର୍ତ୍ତନକୁ ଯାଞ୍ଚ କରାଯାଇ ରେକର୍ଡରେ ସେଗୁଡିକ ସଂଶୋଧନ କରାଯିବ। ଏହି ତଦନ୍ତ ଠିକ୍ ଭାବେ ଚାଲୁଛି କି ନାହିଁ ତାହା ସ୍ଥାନୀୟ ଅତିରିକ୍ତ ଜିଲାପାଳ (ରାଜସ୍ବ) ସୁନିଶ୍ଚିତ କରାଇବେ। କାମ ଶେଷ ହେବା ପରେ ଜିଲାପାଳଙ୍କ ଦସ୍ତଖତ ସମ୍ବଳିତ ରିପୋର୍ଟ ବିଭାଗକୁ ଏକ ମାସ ମଧ୍ୟରେ ପ୍ରଦାନ କରିବା ଜରୁରୀ ବୋଲି ଶ୍ରୀ ସିଂ କହିଛନ୍ତି।
କିସମ ବଦଳାଇ ସରକାରୀ ଜମି ଆତ୍ମସାତ୍
Popular Categories



