କୋଚି : ଦେଶର ବିଭିନ୍ନ ସ୍ଥାନରେ ଡ଼୍ରୋନ ଉଡିବା ଘଟଣା ସେନା ଓ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଜମ୍ମୁ କାଶ୍ମୀରର ଆଉ ୩ଟି ସ୍ଥାନରେ ଗୁରୁବାର ରାତିରେ ଡ୍ରୋନ ଉଡୁଥିବା ଠାବ କରାଯାଇଥିଲା। ସାମ୍ବା ଜିଲାରେ ଏହି ଡ୍ରୋନଗୁଡିକୁ ଗୁରୁବାର ରାତି ପ୍ରାୟ ୮.୩୦ରେ ଠାବ କରା ଯାଇଥିଲା। ମୋଟ ୩ଟି ଡ୍ରୋନ ବାରି-ବ୍ରାହ୍ମଣ, ଚିଲାଦ୍ୟା ଏବଂ ଗଗୱାଲ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ତେବେ ସଜାଗ ଥିବା ସୀମା ସୁରକ୍ଷା ବାହିନୀ ଯବାନମାନେ ଚିଲାଦ୍ୟା ଅଞ୍ଚଳରେ ଡ୍ରୋନକୁ ଲକ୍ଷ୍ୟକରି ଏକାଧିକ ରାଉଣ୍ଡ ଗୁଳି ଚଳାଇବା ପରେ ତାହା ପାକିସ୍ତାନ ସୀମା ମଧ୍ୟକୁ ପଳାଇ ଯାଇଥିଲା। ସେହିପରି କେରଳର କୋଚିରେ ନୌସେନା ଏକ ଡ୍ରୋନ୍ ଜବତ କରି ପୁଲିସକୁ ହସ୍ତାନ୍ତର କରିଛି। ଏହା ଏକ ବ୍ରିଜ ଉପରେ ଉଡୁଥିଲା। ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ନୌସେନା ଅନୁଯାୟୀ ଏହି ଡ୍ରୋନକୁ ଏକ ୨୬ ବର୍ଷ ବୟସ୍କ ଯୁବକ ଉଡାଉଥିଲେ। ସେ ନିଜକୁ କୋଚିର ଭଦୁଥାଲା ଅଞ୍ଚଳର ବାସିନ୍ଦା ବୋଲି କହିଛନ୍ତି। ପୁରୁଣା ଥୋପୁପିଡି ଅଞ୍ଚଳରେ ଥିବା ଏକ ବ୍ରିଜ ଉପରେ ଏହା ଉଡୁଥିବା ଦେଖିବାକୁ ମିଳିଥିଲା । ଡ୍ରୋନ୍ ଉଡ଼ାଉଥିବା ଯୁବକ କହିଛନ୍ତି ଯେ ସେ ତାଙ୍କର ଟ୍ରାଭେଲ୍ ବ୍ଲଗ୍ ଏବଂ ୟୁଟ୍ୟୁବ୍ ପାଇଁ ଏହି ଡ୍ରୋନ୍ ଉଡାଉଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଲୋକସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଏହି ଯୁବକ ଜଣକ ଓଏଲଏକ୍ସ ୱେବସାଇଟ୍ ଜରିଆରେ ଡ୍ରୋନକୁ ଅନ୍ୟ ଜଣଙ୍କଠାରୁ ଏକ ଲକ୍ଷ ଟଙ୍କାରେ କିଣିଥିଲେ, ତେଣୁ ସେ ତାଙ୍କର ବିଲ୍ ଇତ୍ୟାଦି ଦାଖଲ କରିପାରିବେ ନାହିଁ | ପୁଲିସ ଏହି ଡ୍ରୋନକୁ ଜବତ କରିଛି ଏବଂ ଆଇପିସିର ଧାରା ୧୫୧ ଏବଂ ସିଆରପିସିର ଧାରା ୧୦୨ ଅନୁଯାୟୀ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।


