ଭୁବନେଶ୍ୱର : ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ଆହୁତ କୃଷି ବଞ୍ଚାଅ-ଗଣତନ୍ତ୍ର ବଞ୍ଚାଅ ଦିବସକୁ ରାଜ୍ୟବ୍ୟାପି ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ ସମନ୍ୱୟ ସମିତି ତରଫରୁ ପାଳନ କରାଯାଇଛି। ସାରା ରାଜ୍ୟରେ ସଟ୍ ଡାଉନ୍ ପରିସ୍ଥିତି ସତ୍ୱେ କୋଭିଡ୍ ନିୟମାବଳୀକୁ ବଜାୟ ରଖି ରାସ୍ତା ପାଶ୍ୱରେ କୃଷକ, ଶ୍ରମିକ, ଯୁବ, ଛାତ୍ର ଏବଂ ମହିଳାମାନେ ଶାନ୍ତିପୂର୍ଣ୍ଣ ଭାବେ ଏହି ପ୍ରତିବାଦ ସଂଗଠିତ କରିଛନ୍ତି। ଆଜି ଅଂଶଗ୍ରହଣ କରିଥିବା ସମସ୍ତ ଆନ୍ଦୋଳନକାରୀଙ୍କୁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଏବଂ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ ସମନ୍ୱୟ ସମିତି ଓଡିଶା ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏ ସଂକ୍ରାନ୍ତରେ ଏକ ବିସ୍ତୃତ ସ୍ମାରକପତ୍ର ମାନନୀୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନନୀୟ ରାଷ୍ଟ୍ରପତିଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ଅନ୍ ଲାଇନ୍ ଯୋଗେ ପ୍ରେରଣ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ୪୬ ତମ ବାର୍ଷିକୀ ଏବଂ ଦିଲ୍ଲୀ ଚଲ୍ଲୋ କୃଷକ ଆନ୍ଦୋଳନର ୭ମାସ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା। ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଦିଆଯାଇଥିବ ଏହି ସ୍ମାରକପତ୍ରରେ ସର୍ବଶ୍ରୀ ପ୍ରଫୁଲ୍ଲ ସାମନ୍ତରା, ଲିଙ୍ଗରାଜ, କ୍ଷୀରୋଦ ସିଂହଦେଓ, ସୁରେଶ ପାଣିଗ୍ରାହୀ, ଅଶୋକ ପ୍ରଧାନ, ରଘୁନାଥ ଦାସ, ଜ୍ୟୋତି ରଞ୍ଜନ ମହାପାତ୍ର, ନରେନ୍ଦ୍ର ମହାନ୍ତି, ଭାଲଚନ୍ଦ୍ର ଷଡଙ୍ଗୀ, ଶ୍ରୀକାନ୍ତ ମହାନ୍ତି, ଶଙ୍କର ସାହୁ ଏବଂ ଦେବ ପ୍ରସାଦ ରାୟ ପ୍ରମୁଖ ଆବାହକମଣ୍ଡଳୀ ସ୍କାରକପତ୍ରରେ ସ୍ୱାକ୍ଷର କରିଛନ୍ତି।
ଆଜିକି ୪୬ ବର୍ଷ ପୂର୍ବେ ଦେଶର ତତ୍କାଳୀନ ଏକଛତ୍ରବାଦି ସରକାର ଜରୁରୀକାଳୀନ ପରିସ୍ଥିତି ଜାରି କରି ଗଣତନ୍ତ୍ରର କଣ୍ଠରୋଧ କରିଥିଲେ। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହା ଏକ କଳା ଅଧ୍ୟାୟ ଥିଲା। ଗଣତନ୍ତ୍ରର ସୁରକ୍ଷା ପାଇଁ ଯଶ୍ୱସୀ ସଂଗ୍ରାମ କରିଥିବା ଭାରତବାସୀ ଆଜି ଅଘୋଷିତ ଭାବେ ଅନୁରୂପ ପରିସ୍ଥିତିକୁ ସମ୍ମୁଖୀନ ହେଉଛନ୍ତି। କୋଭିଡ୍ ମହାମାରି ସମୟରେ ଜୀବନ ଏବଂ ଜୀବିକାର ଅତି ଭୟଙ୍କର ସଂକଟ ସାଙ୍ଗକୁ ୭ ମାସ ବିତିଯାଇଥିବା ଐତିହାସିକ କୃଷକ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ ନକରି ଦମନ ଆଭିମୁଖ୍ୟ ନେଇଛନ୍ତି। ଏହା ସହିତ ୭ ବର୍ଷର ମୋଦିଙ୍କ ଶାସନ ସମୟରେ ଦେଶର ବାକ୍ ସ୍ୱାଧୀନତା ଉପରେ, ଭାଇଚାରା ଉପରେ ଏବଂ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ତୀବ୍ରତର ହୋଇଛି। ଦେଶର ଛାତ୍ର, ଯୁବ, ମହିଳା, ସାମ୍ବାଦିକ, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବିମାନେ ପ୍ରତିବାଦ କଲେ ସେମାନଙ୍କ ଉପରେ ଦେଶଦ୍ରୋହ ମାମଲା ଦାୟର କରାଯାଉଛି। କୃଷକ ବିରୋଧୀ ଆଇନ ଆଣି କୃଷକମାନଙ୍କର ଅଧିକାରକୁ ଛଡାଇ ନେବା ସହିତ ଶ୍ରମିକ କଲ୍ୟାଣ ଆଇନ ଗୁଡିକୁ ପ୍ରତ୍ୟାହାର କରି ଶ୍ରମ କୋଡ ପ୍ରଣୟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ନ ସମସ୍ତ ବିପଦ ବିରୁଦ୍ଧରେ କୃଷି ବ୍ୟବସ୍ଥାର ସୁରକ୍ଷା ପାଇଁ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଐକ୍ୟବଦ୍ଧ ମିଳିତ ସଂଗ୍ରାମ ଗଢି ତୋଳିବାକୁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଏବଂ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ ସମନ୍ୱୟ ସମିତି ତରଫରୁ ନିବେଦନ କରାଯାଇଛି।
ରାଜ୍ୟବ୍ୟାପି କୃଷି ବଞ୍ଚାଅ-ଗଣତନ୍ତ୍ର ବଞ୍ଚାଅ ଦିବସ ପାଳନ, ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ
Popular Categories



