ସମାଜ ପୋର୍ଟାଲ ଡେସ୍କ: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ-ଉନଙ୍କ ସ୍ୱତନ୍ତ୍ର ଟ୍ରେନ ୱୋନସାନର ରିସର୍ଟ ଟାଉନରେ ଦେଖିବାକୁ ମିଳିଛି। କିମଙ୍କ ସ୍ୱାସ୍ଥ୍ୟ, ସେ କେଉଁଠାରେ ଅଛନ୍ତି ଓ ସେ ଜୀବିତ ଅଛନ୍ତି କି ନାହିଁ ସେ ସମ୍ପର୍କରେ ପରସ୍ପର ବିରୋଧୀ ଖବର ଆସୁଥିବା ବେଳେ, ୱାଶିଂଟନ୍ ସ୍ଥିତ ଏକ ପ୍ରୋଜେକ୍ଟ ୩୮ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ମିଳିଥିବା ଉପଗ୍ରହ ଚିତ୍ରରୁ ଏହି ଟ୍ରେନ୍ ଦେଖିବାକୁ ମିଳିଛି।

ଏହି ଉପଗ୍ରହ ଚିତ୍ର ଅନୁଯାୟୀ, ଏପ୍ରିଲ୍ ୨୧ ଏବଂ ଏପ୍ରିଲ୍ ୨୩ରେ ୱୋନସାନର ‘ଲିଡରସିପ ଷ୍ଟେସନ୍’ରେ କିମ ଜୋଙ୍ଗ-ଉନଙ୍କ ସ୍ୱତନ୍ତ୍ର ଟ୍ରେନ୍ ଛିଡା ହୋଇଥିବା ଦେଖାଯାଇଛି। ସେହି ଷ୍ଟେସନ୍ କେବଳ କିମ୍ ପରିବାରର ସଦସ୍ୟଙ୍କ ପାଇଁ ସଂରକ୍ଷିତ। ଉତ୍ତର କୋରିଆ ପୂର୍ବ ଉପକୂଳର ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ସେହି ଟ୍ରେନର ଉପସ୍ଥିତି ଉତ୍ତର କୋରିଆ ସର୍ବୋଚ୍ଚ ନେତାଙ୍କ ଉପସ୍ଥିତି ପ୍ରମାଣ କରୁ ନାହିଁ କିମ୍ବା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ସୂଚନା ଦେଉ ନାହିଁ। ଯଦିଓ ପ୍ରୋଜେକ୍ଟ ୩୮ ନିରୀକ୍ଷଣ କେନ୍ଦ୍ର ଦାବି କରିଛି ଯେ ଏହା କିମଙ୍କ ଟ୍ରେନ୍ କିନ୍ତୁ ଆନ୍ତର୍ଜାତୀୟ ସମ୍ବାଦ ଏଜେନ୍ସି ରଏଟର୍ସ କହିଛି ଯେ ସେମାନେ ଏହି ସମ୍ବାଦର ନିରପେକ୍ଷତା ନିଶ୍ଚିତ କରିବାରେ ସକ୍ଷମ ହୋଇ ନାହାଁନ୍ତି।

କିମ ଜୋଙ୍ଗ ଉନ ମୃତ୍ୟୁ ଖବର ନେଇ ଗତ ସନ୍ଧ୍ୟା ପରେ ବିଶ୍ୱ ସ୍ଥରରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ସାମାଜିକ ଗଣମାଧ୍ୟମଗୁଡିକ ପରସ୍ପର ବିରୋଧୀ ସମ୍ବାଦ ପରିବେଷଣ କରୁଥିବା ବେଳେ ଏ ପର୍ଯ୍ୟନ୍ତ କିମଙ୍କ ମୃତ୍ୟୁ ନେଇ କୌଣସି ସଠିକ ପ୍ରମାଣ ମିଳିପାରିନାହିଁ। ଚଳିତ ଏପରଲ ୧୫ରେ ସେ ତାଙ୍କ ଜେଜେବାପାଙ୍କ ଜନ୍ମ ବାର୍ଷିକୀରେ ଯୋଗ ନ ଦେବା ପରେ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ପୂର୍ବରୁ ତାଙ୍କର ହୃତପିଣ୍ଡରେ ଅପରେସନ ହୋଇଥିବା ଓ ଅବସ୍ଥା ସଙ୍କଟାପନ୍ନ ଥିବା ଖବର ଆସିଥିଲା। ସେହିପରି ସେ ଉତ୍ତର କୋରିଆର ସେନା ପ୍ରତିଷ୍ଠା ଦିବସ ଉତ୍ସବରେ ଅନୁପସ୍ଥିତ ଥିବାରୁ ତାଙ୍କ ଅସୁସ୍ଥତା ବିଷୟରେ ଅନେକ ଖବର ପ୍ରକାଶ ପାଇଥିଲା।
ନ୍ୟୁଜ୍ ୱିକ୍ ସମେତ ବିଶ୍ୱର ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଦ୍ୱାରା ଅନୁମାନ କରାଯାଉଛି ଯେ ସେପରି ସମ୍ଭ୍ରାନ୍ତ ଅଂଚଳରେ କିମଙ୍କ ସ୍ୱତନ୍ତ୍ର ଟ୍ରେନ ରହିଥିବାରୁ ସେ ସେଠାରେ ରହି ଚିକିତ୍ସିତ ହେଉଥାଇ ପାରନ୍ତି। ଶେଷ ଥରପାଇଁ କିମ ଜୋଙ୍ଗ ଉନ ଗତ ଏପ୍ରିଲ ୧୧ରେ ଏକ ସଭାରେ ଯୋଗଦେବାବେଳେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ।



