କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ଚାଞ୍ଚେର ନିକଟରେ ଆଜି ଅପରାହ୍ନ ୪ଟା ୪୫ରେ ଏକ କାର୍ (ନଂ. ଓଡି-୦୩ ଏସ୍ ୪୧୦୦) ଗଛରେ ପିଟିହେବା ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ଭବାନୀପାଟଣା ଜଗନ୍ନାଥପୁର ଶାଶୂଘରୁ ଆନନ୍ଦିନୀ ମିଶ୍ର (୩୮) ତାଙ୍କ ଦୁଇ ଝିଅ ଏଲି(୧୧) ଓ ରୋଲି (୬) ଓ ପୁତୁରା ବାଦଲ ବିକାଶ ମିଶ୍ରଙ୍କୁ ଧରି ବାପଘର ଟିଟିଲାଗଡ଼ ହାଟପଦାପଡ଼ାକୁ କାର୍ ଯୋଗେ ଆସୁଥିଲେ। କେସିଙ୍ଗା ଚାଞ୍ଚେର ନିକଟରେ କାର୍ଟି ଏକ ତାଳଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଚାଳକ ଅରୁଣ ବିଶି ରାସ୍ତା ଜାଣି ନ ପାରିବାରୁ ଏଭଳି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।
ଦୁର୍ଘଟଣା ସମୟରେ ସେହିପଟୁ କେସିଙ୍ଗା ଅତିରିକ୍ତ ଥାନା ଅଧିକାରୀ ଦୀପାଞ୍ଜଳି ପଧାନ ଅସୁଥିଲେ। ସେ ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଆହତ ଅବସ୍ଥାରେ ୫ଜଣଙ୍କୁ କେସିଙ୍ଗା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଆନନ୍ଦିନୀ ଓ ତାଙ୍କର ଦୁଇ ଝିଅ ଏଲି ଓ ରୋଲିଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଦଲ ଓ ଚାଳକ ଅରୁଣ ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ପଠା ଯାଇଛି।



