ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁକୁ ନେଇ ବିପଦ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ଜିଲାର ଅଧିକାରୀମାନଙ୍କ ସହିତ ବୈଠକ କରି ଏହାର ମୁକାବିଲା ପାଇଁ ଅଣ୍ଡା ଭିଡିଛନ୍ତି। ଦିଲ୍ଲୀର କୌଣସି ସ୍ଥାନରେ ୫୦ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗୁ କରାଯିବା ନେଇ ବୈଠକରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଯେକୌଣସି ପ୍ରକାର ଧାର୍ମିକ, ରାଜନୈତିକ ଅଥବା ସାମାଜିକ କାର୍ଯ୍ୟକ୍ରମ କିମ୍ବା ବିକ୍ଷୋଭ ପ୍ରଦର୍ଶନ ହେଉ ନା କାହିଁକି, କୌଣସି ସ୍ଥାନରେ ୫୦ରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ତେବେ ବୈଠକ ପରେ ଶାହୀନବାଗକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏଠାରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଅନେକ ଦିନ ହେଲାଣି ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଆନ୍ଦୋଳନ ଚଳାଇଆସୁଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଯିବାରେ ସେ କହିଛନ୍ତି, ଯେକୌଣସି ବିକ୍ଷୋଭ ହେଉ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ। ତେବେ ବିବାହ ଉତ୍ସବ ପାଇଁ ଏହି କଟକଣା ଲାଗୁ ହୋଇନାହିଁ। କିନ୍ତୁ ବିବାହ ତାରିଖକୁ ଘୁଞ୍ଚାଇବାକୁ କେଜ୍ରିୱାଲ ଲୋକଙ୍କୁ ନିବେଦନ କରିଛନ୍ତି।
କେଜ୍ରିୱାଲ ଜିଲାପାଳମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି, ସହରର ସମସ୍ତ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ପୋର୍ଟେବୁଲ ହ୍ୟାଣ୍ଡୱାସ୍ ଷ୍ଟେଶନ କରାଯାଉ, ଯେଉଁଠି ଲୋକମାନେ ସହଜରେ ଯେକୌଣସି ସମୟରେ ହାତ ଧୋଇପାରିବେ ଏବଂ ଏହି ଭୂତାଣୁର ବିପଦକୁ ହ୍ରାସ କରିପାରିବେ।



