ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ଆନ୍ତର୍ଜାତୀକ ହକି ଖେଳାଳି ପିଟର ତିର୍କୀ ଏବଂ ରାଜ୍ୟର ଜଣାଶୁଣା ପ୍ରଶିକ୍ଷକ ତଥା କ୍ରୀଡ଼ା ସଂଗଠକ ଡ. ହରିପ୍ରସାଦ ପଟ୍ଟନାୟକ ୨୦୨୦-୨୧ ବର୍ଷ ଲାଗି କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପିଟର ଜୀବନବ୍ୟାପୀ ସାଧନା ଓ ଡ. ହରିପ୍ରସାଦ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
ଜୀବନବ୍ୟାପୀ ସାଧନା ପୁରସ୍କାର ପାଇବାକୁ ମନୋନୀତ ପିଟର ୧୯୮୨ରେ ମାଲେସିଆରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପରେ ଭାରତୀୟ ଦଳରୁ ଖେଳି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହକି ଖେଳାଳି ହେବାର ଗୌରବ ଲାଭ କରିଥିଲେ। ୧୯୮୪ ଲସ୍ ଏଞ୍ଜେଲ୍ସ୍ ଅଲିମ୍ପିକ୍ସ ଶିବିରରେ ମଧ୍ୟ ସାମିଲ ଥିଲେ। ରାଉରକେଲା ସେଲ୍ ଏକାଡ଼େମୀ ସହ ଏବେ ବି ଜଡ଼ିତ ଥିବା ପିଟର ଖେଳାଳି ଜୀବନ ପରେ ପ୍ରଶିକ୍ଷକ ଭାବେ ବି ସକ୍ରିୟ ଅଛନ୍ତି। ସେହିପରି କରାଟେ ସହ ବନ୍ଧୁକ ଚାଳନା, ଶକ୍ତି ଉତ୍ତୋଳନ, ଭାରୋତ୍ତୋଳନ ଭଳି ଏକାଧିକ କ୍ରୀଡ଼ାର ପ୍ରସାରରେ ସମର୍ପିତ କ୍ରୀଡ଼ା ବ୍ୟକ୍ତିତ୍ୱ ହେଉଛନ୍ତି ଡ. ହରିପ୍ରସାଦ ପଟ୍ଟନାୟକ। ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସୃଷ୍ଟି କରିଥିବା ଡ. ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଁ ମନୋନୟନ କରାଯାଇଛି। ସହିଦ୍ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଏହି ଦୁଇ ସଫଳ ବ୍ୟକ୍ତିତ୍ୱଙ୍କୁ ୨୦୨୦-୨୧ ବର୍ଷ ପାଇଁ ମନୋନୟନ କରାଯାଇଥିଲା। ମନୋନୟନ କମିଟିର ସମ୍ପାଦକଙ୍କ ସହ ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି, ସୁରେଶ ସ୍ୱାଇଁ, ସମୀକ୍ଷା ପଟ୍ଟନାୟକ, ତପନ ସ୍ୱାଇଁ, ସମୀର ରାଉତ, ନିରଞ୍ଜନ ରେଡ୍ଡି, ସଞ୍ଜୀବ ବିଶ୍ୱାଳ, ଶକ୍ତିପ୍ରସାଦ ନନ୍ଦ, ସମ୍ବିତ ମହାପାତ୍ର ଏବଂ ମାରୁତି ଇଷ୍ଟେଟ୍ ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ସାମିଲ ଥିଲେ। ନିକଟରେ କ୍ଲବ ପରିସରରେ ଆୟୋଜିତ ହେବାକୁ ଥିବା ବିଶେଷ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପରଲୋକଗତ ବିଶିଷ୍ଟ କ୍ରିକେଟ ପ୍ରଶିକ୍ଷକ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ସହିଦ୍ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ୨୦୧୨ରୁ ଏହି ସମ୍ମାନଜନକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି।
ପିଟର, ହରିପ୍ରସାଦ ପାଇବେ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର
Popular Categories



