ସହସ୍ରାବ୍ଦୀର ଦାନବୀର, ଦରିଦ୍ରଙ୍କ ତ୍ରାଣକର୍ତ୍ତା କଲ୍ୟାଣ ସୁନ୍ଦରମ୍‌

ସବୁ ଦେଇ ବଞ୍ଚୁଛନ୍ତି ଫୁଟପାଥ୍‌ର ଜୀବନ

ଚେନ୍ନଇ : ବିଶ୍ୱର ସବୁଠାରୁ ବଦାନ୍ୟ ବ୍ୟକ୍ତିଙ୍କ ତାଲିବାରେ ବିଲ୍‍ ଗେଟ୍‍ସଙ୍କ ନାମ ସର୍ବାଗ୍ରେ ଆସେ। ତାଙ୍କ ସହିତ ୱିପ୍ରୋର ଅଜିମ୍‍ ପ୍ରେମଜୀଙ୍କ ଠାରୁ ନେଇ କର୍ପୋରେଟ ଜଗତର ଅନେକ ବ୍ୟକ୍ତି ସାମାଜିକ କାରଣ ନିମନ୍ତେ ବିପୁଳ ଅର୍ଥ ଦାନ କରିଆସୁଛନ୍ତି। କିନ୍ତୁ ଭାରତରେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଧନୀ ନୁହନ୍ତି, କିନ୍ତୁ ନିଜ ଜୀବନର ସମସ୍ତ ଆୟକୁ ସାମାଜିକ କାରଣ ନିମନ୍ତେ ଦାନ କରିଦେଇଛନ୍ତି। ଏପରିକି ତାଙ୍କର କାର୍ଯ୍ୟ ପାଇଁ ମିଳିଥିବା ପୁରସ୍କାର ରାଶିକୁ ମଧ୍ୟ ପ୍ରଦାନ କରିଦେଇଛନ୍ତି। ତାଙ୍କର ଏଭଳି ଅନନ୍ୟ ମଣିଷପଣିଆ ପାଇଁ ତାଙ୍କୁ ଜାତିସଂଘ ପକ୍ଷରୁ ବିଂଶ ଶତାବ୍ଦୀର ଜଣେ ମହାନ୍‍ ବ୍ୟକ୍ତିତ୍ୱ ଭାବରେ ସମ୍ବର୍ଦ୍ଧିତ କରାଯାଇଛି। ଆମେରିକା ଏକ ସଂଗଠନ ତାଙ୍କୁ ‘ସହସ୍ରାବବ୍ଦୀର ବ୍ୟକ୍ତିତ୍ୱ’ ଭାବରେ ସମ୍ମାନିତ କରିବା ସହିତ ଏ ବାବଦରେ ୩୦ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲା। ତାହାକୁ ମଧ୍ୟ ସେ ସାମାଜିକ କାରଣ ନିମନ୍ତେ ଦାନ କରିଦେଇଛନ୍ତି। ଏଭଳି ଜଣେ ବିରଳ ମଣିଷପଣିଆର ଅଧିକାରୀ ହେଉଛନ୍ତି କଲ୍ୟାଣସୁନ୍ଦରମ୍‍। ତାଙ୍କ ଭଳି ମଣିଷପଣିଆ, ବିନମ୍ର ଓ ସରଳ ସ୍ୱଭାବର ବ୍ୟକ୍ତି ତଥା ଜଣେ ପ୍ରତିଷ୍ଠିତ ଅଭିନେତା ରଜନିକାନ୍ତ କଲ୍ୟାଣସୁନ୍ଦରମ୍‍ଙ୍କୁ ତାଙ୍କର ପିତା ଭାବରେ ଗ୍ରହଣ କରିଛନ୍ତି।
କଲ୍ୟାଣସୁନ୍ଦରମ୍‍ଙ୍କୁ ଏବେ ୭୩ ବର୍ଷ। ନିଜ ଚାକିରୀକାଳ ମଧ୍ୟରେ ୩୦ ବର୍ଷର ବେତନକୁ ସେ ଦୀନ ଦରିଦ୍ରଙ୍କ ନିମନ୍ତେ ଦାନ କରିଦେଇଛନ୍ତି। ରାସ୍ତା କଡରେ ରହୁଥିବା ବାସହୀନଙ୍କ ଦୁଃଖ ଦୁର୍ଦ୍ଦଶାକୁ ନିଜେ ଅନୁଭବ କରିବାକୁ କଲ୍ୟାଣସୁନ୍ଦରମ୍‍ ମଧ୍ୟ ରାସ୍ତା କଡ ଫୁଟପାଥ୍‍ରେ ଶୋଇଛନ୍ତି। ଯାହା ମିଳିଲା ଖାଇଛନ୍ତି, ନହେଲେ ନାହିଁ। ତାମିଲନାଡୁର ତିରୁନେଲଭେଲି ଜିଲା ନାନଗୁନାରି ତାଲୁକ ଅନ୍ତର୍ଗତ ମେଲାକାରୁଭେଲାଙ୍ଗୁଲାମ୍‍ ଗ୍ରାମରେ ଜନ୍ମିତ କଲ୍ୟାଣସୁନ୍ଦରମ୍‍ଙ୍କ ପିଲାଦିନେ ଗ୍ରାମରେ ମାତ୍ର ୩୦ଟି ଘର ଥିଲା। ରାସ୍ତା, ବସ୍‍, ବିଦ୍ୟାଳୟ, ବିଦ୍ୟୁତ, ଏପରିକି ଛୋଟମୋଟ ଦୋକାନ ମଧ୍ୟ ସ୍ୱପ୍ନ ଥିଲା। ତାଙ୍କୁ ଦଶବର୍ଷ ହେବା ପର୍ଯ୍ୟନ୍ତ ସେ ଡିବିରି ବତି ଜାଳି ପାଠ ପଢ଼ିଥିଲେ। ତାଙ୍କୁ ମାତ୍ର ୧ବର୍ଷ ହୋଇଥିବାବେଳେ ତାଙ୍କ ବାପାଙ୍କର ପରଲୋକ ଘଟିଥିଲା। ବିଦ୍ୟାଳୟ ପାଠ ଶେଷକରି ସେ ତିରୁନେଲଭେଲିରେ ତାମିଲ ଭାଷାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ତାମିଲ ଭାଷାରେ ପଢ଼ୁଥବା ସେ ଜଣେ ମାତ୍ର ଛାତ୍ର ଥିଲେ। ତାହାପରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ଲାଇବ୍ରେରୀ ବିଜ୍ଞାନରେ ନାମ ଲେଖାଇଲେ। ଭାରତ-ଚୀନ ଯୁଦ୍ଧ ସମୟରେ ଦେଶବାଦୀ ଜାତୀୟ ପ୍ରତିରକ୍ଷା ପାଣ୍ଠିକୁ ଦାନ କରିବାକୁ ରେଡିଓରେ ଯେତେବେଳେ ନେହରୁଙ୍କ ନିବେଦନ ଶୁଣିଲେ, ସେତେବେଳେ ଅଗଣିତ ଲୋକଙ୍କ ପ୍ରତି ସହାୟତାର ହାତ ବଢ଼ାଇବାର ପ୍ରଥମ ପ୍ରଚେଷ୍ଟା ତାଙ୍କର ଆରମ୍ଭ ହୋଇଥିଲା। ତତ୍‍କ୍ଷଣାତ ସେ ମୁଖ୍ୟମନ୍ତ୍ରୀ କାମରାଜଙ୍କ ନିକଟକୁ ଯାଇ ନିଜର ସୁନା ଚେନ୍‍ ଦାନ କରିଥିଲେ। ତାଙ୍କ ଦାନ କଥା ଚାରିଆଡେ ପ୍ରଚାରିତ ହେବାକୁ ଲାଗିଲା। ଏହାପରେ ସେ ସାମାଜିକ କାର୍ଯ୍ୟରେ ମନୋନିବେଶ କରି ବସ୍ତି ପିଲାଙ୍କୁ ସହାୟତା କରିବାକୁ ‘ଇଣ୍ଟନ୍ୟାସନାଲ ଚିଲଡ୍ରେନ୍ସ ୱେଲଫେୟାର ଅର୍ଗାନାଇଜେସନ’ ଆରମ୍ଭ କଲେ। ତା’ଭିତରେ ସେ ଟ୍ୟୁଟିକୋରିନ ଠାରେ ଥିବା କୁମାରକାରୁପା ଆର୍ଟସ କଲେଜରେ ଜଣେ ଲାଇବ୍ରେରିଆନ୍‍ ଭାବରେ ଯୋଗଦେଇ ସେଠାରେ ୩୫ ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କ ବେତନର ମୁଖ୍ୟଭାଗ ସାମାଜିକ କାର୍ଯ୍ୟ ନିମନ୍ତେ ଦାନ କରୁଥିଲେ। ଏପରିକି ପୈତୃକ ସମ୍ପତ୍ତି ବିକ୍ରିକରି ସେ ପାଇଥିବା ୧ ଲକ୍ଷ ଟଙ୍କାକୁ ମଧ୍ୟ ଅନାଥ ପିଲାଙ୍କ ପାଇଁ ପ୍ରଦାନ କରିଥିଲେ। ୪୫ ବର୍ଷ କାଳ ଅନାଥ ଏବଂ ଦାରିଦ୍ର୍ୟର କଷାଘାତରେ ଜୀବନ ବିତାଉଥିବା ପିଲାଙ୍କ ପାଇଁ କାର୍ଯ୍ୟ କରିବା ପରେ ସେ ଦାତା ଓ ହିତାଧିକାରୀଙ୍କ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରିବାକୁ ‘ପାଲାମ୍‍’ ନାମରେ ସଂସ୍ଥା ଗଠନ କରିଥିଲେ। ତାଙ୍କ ଅବସରକାଳୀନ ସମସ୍ତ ଅର୍ଥକୁ ସେ ଉକ୍ତ ପାଣ୍ଠିକୁ ଦାନ କରିଦେଇଥିଲେ। ଦେଶରେ ବାତ୍ୟା, ଭୂକମ୍ପ ଭଳି ବିପର୍ଯ୍ୟୟ ସମୟରେ ଉକ୍ତ ପାଣ୍ଠିରୁ ସେ ସହାୟତା ଦେଉଥିଲେ। ଏପରିକି ଦରିଦ୍ର ପିଲାଙ୍କ ଉଚ୍ଚଶିକ୍ଷା, ଡାକ୍ତରୀ ଖର୍ଚ୍ଚ, ରକ୍ତଦାନ, ବେକାରଙ୍କୁ ଥଇଥାନ ଆଦି ଉଦ୍ଦେଶ୍ୟରେ ଉକ୍ତ ଅର୍ଥ ଖର୍ଚ୍ଚ କରାଯାଉଥିଲା। କେବଳ ସେତିକି ନୁହେଁ, ନିଜର ପେନ୍‍ସନ ଅର୍ଥକୁ ମଧ୍ୟ ସେ ଉକ୍ତ ପାଣ୍ଠିକୁ ଦାନ କରିଦେଇଛନ୍ତି। ଅବିବାହିତ ରହିଥିବା କଲ୍ୟାଣସୁନ୍ଦରମ୍‍ ତାଙ୍କ ଜୀବନର ସୀମିତ ଆବଶ୍ୟକତା ପୂରଣ ପାଇଁ ହୋଟେଲ, ଲଣ୍ଡ୍ରି ଆଦିରେ ଛୋଟମୋଟ କାମ କରୁଛନ୍ତି। ତାଙ୍କର ନିଜର ବୋଲି କିଛି ନରହୁ, ଏଥିରେ ଦୃଢ ସଂକଳ୍ପବଦ୍ଧ ରହିଛନ୍ତି କଲ୍ୟାଣସୁନ୍ଦରମ୍‍। ତାଙ୍କ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ ଥିଲା ଆମେରିକାର ଏକ ସଂଗଠନ ତାଙ୍କୁ ‘ସହସ୍ରାବ୍ଦୀର ବ୍ୟକ୍ତିତ୍ୱ’ ଭାବରେ ସମ୍ମାନିତ କରି ତାଙ୍କୁ ୩୦ କୋଟି ଟଙ୍କା ପ୍ରଦାନ କରିବା। ଉକ୍ତ ଅର୍ଥକୁ ସେ ତତ୍‍କ୍ଷଣାତ ‘ପାଲାମ୍‍’ ପାଣ୍ଠିକୁ ଦାନ କରିଦେଇଥିଲେ। ତାଙ୍କର ଏଭଳି ବିରଳ ସେବା ପାଇଁ ଜାତିସଂଘ ସଂଗଠନ ତାଙ୍କୁ ‘ବିଂଶ ଶତାବ୍ଦୀର ମହାନ୍‍ ବ୍ୟକ୍ତିତ୍ୱ’ ଭାବରେ ସମ୍ବର୍ଦ୍ଧିତ କରିଛି। କଲ୍ୟାଣସୁନ୍ଦରମ୍‍ଙ୍କ କହିବା ଅନୁଯାୟୀ “ଆମେ ଯଦି ସମାଜକୁ କୌଣସି ନା କୌଣସି ଉପାୟରେ ନିଜର ଅବଦାନ ନରଖିବା, ତେବେ ଆମେ ନିଜକୁ ସମାଜରେ ତିଷ୍ଠି ରଖିପାରିବା ନାହିଁ। ମୋର ଦୃଢ ବିଶ୍ୱାସ ଯେ ଯଦି ଜଣେ ମାତ୍ର ବ୍ୟକ୍ତି ମଧ୍ୟ ସମାଜର କଲ୍ୟାଣ ଦିଗରେ ନିଜର ଅବଦାନ ରଖନ୍ତି, ତେବେ କିଛି ନା କିଛି ପରିବର୍ତ୍ତନ ଆସିବ।”

kalyan agarbati

Comments are closed.