ଦନ୍ତାହାତୀ ଆକ୍ରମଣରେ ନିୟମଗିରି ଡଙ୍ଗରିଆ ଯୁବକ ମୃତ
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଓ ମୁନିଗୁଡା ବ୍ଲକ ଶିବପଦର ପଞ୍ଚାୟତର ନିୟମଗିରି ପାହାଡ ସୀମାନ୍ତରେ ଦନ୍ତାହାତୀ ଆକ୍ରମଣରେ ଡଙ୍ଗରିଆ ଯୁବକ ଭଅଁରା କୁଟ୍ରୃକାଙ୍କ (୧୮) ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ନିୟମଗିରି ପାହାଡରେ ହାତୀ ଥିବା ଜାଣି ନ ପାରି ଭଅଁରା ହାତୀର ନିକଟତର ହୋଇଯାଇଥିଲେ। ଫଳରେ ହାତୀ ତାଙ୍କୁ କଚାଡି ଦେଇଥିଲା। ଭଅଁରା ଗୁରୁତର ଆହତ ହୋଇ ପ୍ରାଣ ଭୟରେ ପାଟି କରିଥିଲେ। ପାଟି ଶୁଣି ନିକଟରେ କାମ କରୁଥିବା ନିୟମଗିରି ଆବାହକ ଲଦ ସିକକା, ଦଧି ଜାକେସିକା ଓ ବଦ ଜାକେସିକା ତାଙ୍କୁ ପ୍ରାୟ ୧ କିମି ଦୂରରେ କରିଥିବା କୁଡ଼ିଆକୁ ଆଣିଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା ।
କଲ୍ୟାଣସିଂହପୁର ଓ ମୁନିଗୁଡା ରେଞ୍ଜର ଖବର ପାଇ ନିୟମଗିରି ପାହାଡକୁ ଯାଇ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ମୁନିଗୁଡା ରେଞ୍ଜରେ ରହିଥିବାରୁ ମୃତ ଶରୀର ଉକ୍ତ ଅଞ୍ଚଳ ନେଇ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ। ଏଥିରେ କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗ, ମୁନିଗୁଡା ରେଞ୍ଜର ଅନୀଲ କୁମାର ବଳ, ବନପାଳ ପ୍ରମୋଦିନି ମାଣ୍ଡାଙ୍ଗି ,ବନରଖି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ତେଜସ୍ୱିନୀ ସାହୁ, ଅକ୍ଷୟ ମିଶ୍ର, ରାନିତ ମହାରଣା, ପାରାଗାର୍ଡ ସମେତ ପାର୍ଶାଲି ପୂର୍ବତନ ସରପଞ୍ଚ ବାମ କାଡ୍ରାକା, ସମିତି ସଭ୍ୟ ବିକାଶ ବାଗ, ବନପାଳ ପ୍ରଦୀପ କୁମାର ଜେନା, ମୁନିଗୁଡାର ବିଜେପି ଦଳର ଓବିସି ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା ,ବିଜେପି ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡୃକା ଉପସ୍ଥିତ ରହି ମୃତ ପରିବାରକୁ କିପରି କ୍ଷତିପୂରଣ ମିଳିପାରିବ ସେ ବିଷୟରେ ଆଲୋଚନା କରିଥିଲେ।
Comments are closed.