କଲମପୁର: ଗୁରୁବାର ୨୬ ଜଣ ଛାତ୍ରୀ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇ ସୁସ୍ଥ ହୋଇଥିବା ବେଳେ ପୁଣି ୧୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅନୁପମା ପୁଝାରୀ, ସାବିତ୍ରୀ ମାଝୀ, ବୃନ୍ଦାବତୀ ମାଝୀ, କୁମୁଦିନୀ ନାଏକ, ଦେବକୀ ମାଝୀ, ମୁକ୍ତା ପୁଝାରୀ, ରୁକମଣୀ ଗଦବା, ଇପସିତା ନାକେ, ମନୀଷା ନାଏକ, ବାଳିକା ଶବର, ନନ୍ଦିନୀ ନାଏକ, ସତ୍ୟଭାମା ମାଝୀ ପ୍ରମୁଖ୧୨ ଜଣ ଛାତ୍ରୀ ଝାଡା ବାନ୍ତି ରୋଗର ଶିକାର ହେଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ବ୍ଲକ ପ୍ରଶାସନ ତରଫରୁ ବି.ଡି.ଓ ପ୍ରସନ୍ନ କୁମାର ପଟେଲ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମଧ୍ୟ ବିଦ୍ୟାଳୟକୁ ଯାଇ ଛାତ୍ରୀ ମାନଙ୍କ ଶାରିରୀକ ଅବସ୍ଥା ଅନୁଧ୍ୟାନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଶୁକ୍ରବାର ଅପରାହ୍ନରେ ଧର୍ମଗଡ ଉପଜିଲ୍ଲାପାଳ ପାୱାର ସଚୀନ ପ୍ରକାଶ, ବି.ଡି.ଓ ଶ୍ରୀ ପଟେଲ, ତହସିଲଦାର କରିଶ୍ମା ବେଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ପିଡିତ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ।
ଏହାପରେ ସମସ୍ତ ଅଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶଲିବାଶିଷ ସ୍ୱାଇଁ, ଡାକ୍ତର ଜ୍ୟୋତିକ୍ରିଷ୍ଣା ମାଝୀ ଙ୍କ ସମେତ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହାପରେ ଉପଜିଲ୍ଲାପାଳ, ବି.ଡି.ଓ ଏବଂ ତହସିଲଦାର ଦୁଲକିବନ୍ଧ ବିଦ୍ୟାଳୟକୁ ଯାଇ ସେଠାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ପ୍ରଧଆନ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର ଅବସ୍ଥା ବୁଲି ଦେଖିଥିଲେ । ୩୫୮ ଜଣ ଅନ୍ତେବାସୀ ରହୁଥିଲେ ମଧ୍ୟ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ବ୍ୟବସ୍ଥା ନଥିବା ବେଳେ ଖାଦ୍ୟରେ ମଧ୍ୟ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ସରପଂଚ ବାଳକୃଷ୍ଣ ମାଝୀ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ବିଦ୍ୟାଳୟରୁ ସ୍ୱାସ୍ଥ୍ୟବିଭାଗର ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ବ୍ୟବହାର ହେଉଥିବା ସମସ୍ତ ପାଣି ଓ ରନ୍ଧନ ଖାଦ୍ୟର ନମୂନା ସଂଗ୍ରହ କରି ନିଆଯାଇଛି । ଯାହା ପରୀକ୍ଷା ପରେ ଜଣା ପଡିବ । ବିଶେଷ କରି ଦୂଷିତ ପାନୀୟ ଜଳ ବ୍ୟବହାର ପାଇଁ ଏଭଳି ସମସ୍ୟା ଦେଖା ଦେଇଥିବା ସାଧାରଣରେ ସନ୍ଦେହ କରାଯାଉଛି । ଏହି ନମୁନା ପରୀକ୍ଷା ପରେ ଘଟଣା ଜଣା ପଡିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।



