ଝୁମ୍ପୁରା: ଚାଷୀମାନଙ୍କ ଖରିଫ ଚାଷର ରୁଆ ବେଉଷଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ଚାଷୀମାନେ ଚାଷ ଜମିରେ ସାର ପ୍ରୟୋଗ କରିବା ଆରମ୍ଭ କରିଛନ୍ତି। ଚାଷୀ ମାନଙ୍କୁ ସମବାୟ ସମିତି ରିହାତି ମୂଲ୍ୟରେ ସାର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଚଳିତ ବର୍ଷ ଆବଶ୍ୟକ ଠାରୁ କମ ସାର ସମବାୟ ସମିତି ଗୁଡିକୁ ଆସିଥିବାରୁ ଅଧିକାଂଶ ଚାଷୀ ସମବାୟ ସମିତିରୁ ସାର ପାଇବାରୁ ବଞ୍ଚିତ ହୋଇଛନ୍ତି। ଝୁମ୍ପୁରା ବ୍ଲକର ଝୁମ୍ପୁରା ସମବାୟ ସମିତି ଅଧିନରେ ବାଲିବନ୍ଧ ସମବାୟ ସମିତି ରହିଥିବା ବେଳେ ଉଖୁଣ୍ଡା ସମବାୟ ସମିତି ଅଧିନରେ ଚଉଠିଆ ଏବଂ ବାରିଆ ସମବାୟ ସମିତି ରହିଛି। ପ୍ରତିବର୍ଷ ଚାଷୀ ମାନେ ଖରିଫ ଫସଲ ଚାଷ କରିବା ସମୟରେ ସମବାୟ ସମିତିରୁ ଡିଏପି ,ୟୁରିଆ, ପଟାସ , ଶ୍ୟାମଳା ସାର ନେଇଥାନ୍ତି ଧାନ ଚାଷରେ ପ୍ରୟୋଗ କରିଥାନ୍ତି। ଚଳିତ ବର୍ଷ କରୋନା କଟକଣାର ଆଳ ଦେଖାଇ ସମବାୟ ସମିତିର ଅଧିକାରୀ ମାନଙ୍କ ପାଖକୁ ଆବଶ୍ୟକ ଠାରୁ କମ ସାର ଆସିଛି। ଯାହା ଫଳରେ ୬୦ ପ୍ରତିଶତ ଚାଷୀ ମଧ୍ୟ ସାର ପାଇ ନାହାନ୍ତି। ସମବାୟ ସମିତିରୁ ସାର ପାଇବାରୁ ଚାଷୀ ମାନେ ବଞ୍ଚିତ ହୋଇ ଅନୁମତି ପ୍ରାପ୍ତ ସାର ଦୋକାନରୁ ସାର ନେବାକୁ ଆଗ୍ରହ ପ୍ରକାଶ କରୁଥିବାବେଳେ ଅନୁମତି ପ୍ରାପ୍ତ ସାର ଦୋକାନରେ ସାର ଦାମ ଦୁଇଗୁଣା ରହୁଛି; ଯାହା ଫଳରେ ଚାଷୀ ଅନୁମତି ପ୍ରାପ୍ତ ସାର ଦୋକାନରୁ ସାର କିଣି ଶୋଷଣର ଶିକାର ହେଉଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସରକାର ଡିଏପି ୧୮-୪୬-୦ ସାରର ଦାମ ୧୨୦୦ ଟଙ୍କା ରଖିଛନ୍ତି ସେହିପରି ଏନପିକେ୧୦-୨୬-୨୬ ର ଦାମ୧୩୭୫,ଏନପିକେ୧୨-୩୨-୧୬ ର ଦାମ ୧୩୧୦,ଏନପିକେ ୧୯-୧୯-୧୯ ର ଦାମ୧୫୭୫, ଏନପିଏସ୍୨୦-୨୦-୦-୧୩ ର ଦାମ ୧୦୯୦,ଏନପି ୨୮-୨୮-୦ ର ଦାମ୧୪୭୫,ଏନପିକେ ୧୪-୩୫-୧୪ର ଦାମ୧୩୬୫, ୟୁରିଆ ୪୫ କି,ଗ୍ରା ବସ୍ତା ପ୍ରତି ୨୬୬.୫୦ ଟଙ୍କା ଦର ରହିଛି। ଡିଏପି ସାରର ଦାମ ସରକାର ଧାର୍ଯ୍ୟ କରିଥିବା ଦାମ ଠାରୁ ୨୦୦ ରୁ ୨୫୦ ଟଙ୍କା ବସ୍ତା ପିଛା ଅଧିକ ଦାମରେ ଅନୁମତୀ ପ୍ରାପ୍ତ ସାର ଦୋକାନରେ ବିକ୍ରି ହେଉଥିବା ବେଳେ ୟୁରିଆ ସାର ବସ୍ଥା ପିଛା ଧାର୍ଯ୍ୟ ଦାମର ଦୁଇଗଣା ଅଧିକରେ ବିକ୍ରି ହେଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।
ସରକାର ଅଧିକ ଦାମରେ ସାର ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ମୁଖ୍ୟାଳୟର କୃଷି ଅଧିକାରୀ ରହିଛନ୍ତି। ଚାଷୀମାନେ କୃଷି ଅଧିକାରୀ ପାଖରେ ଚଢା ଦାମରେ ସାର ବିକ୍ରୟ ହେଉଥିବା ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କୃଷି ବିଭାଗର ଅଧିକାରୀ ମାନେ ଝୁମ୍ପୁରା ବ୍ଲକ ବିଭିନ୍ନ ସ୍ଥାନରେ ରହିଥିବା ଅନୁମତି ପ୍ରାପ୍ତ ସାର ବ୍ୟବସାୟୀ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ଚାଷୀ ମାନେ ବାଧ୍ୟ ହୋଇ ସାରକୁ ଚଢା ଦାମରେ କିଣି ଶୋଷଣର ଶିକାର ହେଉଛନ୍ତି। ଚଢା ଦାମରେ ସାର ବିକ୍ରୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ମାନଙ୍କ ତରଫରୁ ଦାବି ହେଉଛି।



