ଜାଲ୍‌ ନିଯୁକ୍ତିପତ୍ର ଦେଇ ଠକେଇ, ଦମ୍ପତି ଗିରଫ

ବ୍ରହ୍ମପୁର, (ନି.ପ୍ର): ବେକାର ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ରାଜ୍ୟ ତଥା ରାଜ୍ୟ ବାହାର ନାମୀଦାମୀ କମ୍ପାନୀରେ ନିଯୁକ୍ତିଦେବା ନାଁରେ ଜାଲ ନିଯୁକ୍ତିପତ୍ର ଦେଇଥିବା ବ୍ରହ୍ମପୁରର ଏକ ଘରୋଇ ସଂସ୍ଥାରେ ପୁଲିସ ଚଢ଼ଉ କରିଛି। ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଗଳିସ୍ଥିତ କ୍ରିଷ୍ଣାସାଇ ଗ୍ରୁପ ପ୍ରାଇଭେଟ ଲିମିଟେଡ ସଂସ୍ଥାର କାର୍ଯ୍ୟାଳୟରୁ ପୁଲିସ ୧୩ଟି କମ୍ପ୍ୟୁଟର, ୮ଟି ବ୍ୟାଙ୍କ ଖାତା, ବିଭିନ୍ନ ପଦର ନକଲି ପରିଚୟପତ୍ର ଜବତ କରିବା ସହିତ ସଂପୃକ୍ତ ସଂସ୍ଥାର ମାଲିକ ଦମ୍ପତିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ା ଦିନ ତମାମ ଚାଲିଥିବା ଚଢଉରେ ସଂସ୍ଥା ପକ୍ଷରୁ ୩୦ରୁ ଊର୍ଦ୍ଧ୍ବ ଯୁବକଙ୍କୁ ଜାଲ୍‌ ନିଯୁକ୍ତିପତ୍ର ଦିଆଯାଇଥିବା ତଥ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନାପ୍ରକାରେ, ବ୍ରହ୍ମପୁର ବାପୁଜୀନଗର ତୃତୀୟ ଲାଇନର କୃଷ୍ଣଚନ୍ଦ୍ର ସେଠୀ ଓ ତାଙ୍କ ପତ୍ନୀ ସିମ୍ପଲ ସେଠୀ ବ୍ରହ୍ମାନଗର ଦ୍ବିତୀୟ ଗଳିରେ କ୍ରିଷ୍ଣାସାଇ ଗ୍ରୁପ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଖୋଲି ଗଞ୍ଜାମ ସମେତ ଆଖପାଖ ଜିଲାର ବେକାର ଯୁବକଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଥିଲେ ା ବେକାର ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ରାଜସ୍ଥାନର ନିର୍ମାଣକାରୀ ସଂସ୍ଥା ଭୱରିଆଁ ଇନଫ୍ରା ପ୍ରୋଜେକ୍ଟସ ଲିମିଟେଡ ଓ ଟାଟା ପାୱାର ଭଳି ବଡ ବଡ କମ୍ପାନୀରେ ଏରିଆ ମ୍ୟାନେଜର, ସୁପରଭାଇଜର ଭଳି ବିଭିନ୍ନ ପଦରେ ଚାକିରି ଦେବାକୁ ଚୁକ୍ତି କରିଥିଲେ ା ସେହିକ୍ରମରେ ଚୁକ୍ତି କରିଥିବା ଯୁବକଙ୍କୁ ବିଭିନ୍ନ କମ୍ପାନୀର ଲୋଗୋ ଓ ଠିକଣା ଥିବା ନକଲି ନିଯୁକ୍ତିପତ୍ର ଓ ପରିଚୟ ପତ୍ର ଦେଇଥିଲେ ଏହି ଦମ୍ପତି ା ଯୁବକମାନେ ଦମ୍ପତିଙ୍କ ଠାରୁ ପାଇଥିବା ପରିଚୟପତ୍ର ଓ ନିଯୁକ୍ତିପତ୍ରକୁ ଧରି ଚାକିରି କରିବାକୁ ଗଲାପରେ ଏହା ତାଙ୍କ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇନାହିଁ ବୋଲି ଭୱରିଆଁ କମ୍ପାନୀ କର୍ତ୍ତୃପକ୍ଷ ଜଣାଇଥିଲେ ା ଫଳରେ ସଂପୃକ୍ତ ଚାକିରି ଆଶାୟୀମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ା ଏପଟେ ତାଙ୍କ କମ୍ପାନୀ ନାଁରେ ନକଲି ନିଯୁକ୍ତିପତ୍ର ଦେଇ କମ୍ପାନୀକୁ ବଦନାମ କରିଥିବାରୁ ଭୱରିଆଁ କମ୍ପାନୀର ସହକାରୀ ପରିଚାଳକ ବିଜୟକୁମାର ଠାକୁର ଗୋସାଇଁନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ା ସେହିକ୍ରମରେ ପୁଲିସ ଏକ ମାମଲା(କେଶ୍‌ ନଂ ୧୪/୨୨​)ରୁଜୁ କରି କମ୍ପାନୀ ନାଁରେ ନକଲି ନିଯୁକ୍ତିପତ୍ର ଦେଉଥିବା ଅଭିଯୁକ୍ତ ମାଲିକ ଦମ୍ପତିଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା ା ସୋମବାର ଗୋସାଇଁନୂଆଗାଁ ଥାନା ଏବଂ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପକ୍ଷରୁ ମିଳିତ ଭାବେ ବ୍ରହ୍ମାନଗର ଦ୍ବିତୀୟ ଲାଇନ ସ୍ଥିତ ଅଭିଯୁକ୍ତ ମାଲିକ ଦମ୍ପତିଙ୍କ କାର୍ଯ୍ୟାଳୟରେ ଚଢଉ କରାଯାଇଥିଲା ା ପୁଲିସ କାର୍ଯ୍ୟାଳୟ ଭିତରୁ ୧୩ଟି କମ୍ପ୍ୟୁଟର ସେଟ୍, ବିଭିନ୍ନ ବ୍ୟାଙ୍କର ୮ଟି ଖାତା, ଏକାଧିକ ଚେକ୍ ବହି ଜବତ କରି କୃଷ୍ଣଚନ୍ଦ୍ର ଓ ସିମ୍ପଲଙ୍କୁ ସୋମବାର ଗିରଫ କରିଥିଲା। ଏହାସହିତ ଭୱରିଆଁ କମ୍ପାନୀ ସହ ଟାଟା ପାୱାର, ଲାନ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି ଭଳି କମ୍ପାନୀ ନାଁରେ ଚୁକ୍ତି କରିଥିବା ଯୁବକଙ୍କ ନାମରେ ପ୍ରସ୍ତୁତ କରାଯାଇଥିବା ନକଲି ନିଯୁକ୍ତିପତ୍ର ଓ ପରିଚୟପତ୍ର ଜବତ ମଧ୍ୟ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.