ଶ୍ରୀନଗର: ଜାମ୍ମୁ-କାଶ୍ମୀରରୁ ନୂଆଦିଲ୍ଲୀ ଏବଂ ପଞ୍ଜାବ ପର୍ଯ୍ୟନ୍ତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେଟ୍ୱର୍କ ଲମ୍ବିଛି। ଏସବୁ ଅଞ୍ଚଳରେ ଜୈଶ ବହୁମାତ୍ରାରେ ସକ୍ରିୟ ରହିଛି। ୨ଦିନ ତଳେ ଜାମ୍ମୁ-କାଶ୍ମୀରର କଠୁଆରୁ ଧରାପଡ଼ିଥିବା ୩ ଜଣ ଜୈଶ ଆତଙ୍କବାଦୀଙ୍କୁ ପଚରାଉଚରା କରାଯିବା ସମୟରେ ସେମାନେ ଏହି ତଥ୍ୟ ପ୍ରଦାନ କରିଥିବା ସୂଚନା ମିଳିଛି। ପଚରାଉଚରା ସମୟରେ ସେମାନେ କେତେଜଣ ଓଜିଡବ୍ଲ୍ୟୁ ଏବଂ ଆତଙ୍କବାଦୀଙ୍କ ନାମ ପୁଲିସକୁ କହିଛନ୍ତି। ଖୁବ୍ଶୀଘ୍ର ପୁଲିସ ସେମାନଙ୍କୁ ଗିରଫ କରିପାରେ ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି।
ଗିରଫ ୩ ଆତଙ୍କବାଦୀଙ୍କ ଫୋନ୍ କଲ୍ ବିବରଣୀ ପୁଲିସର ହସ୍ତଗତ ହୋଇଛି। କାଶ୍ମୀରରେ ରହିଥିବା ଆତଙ୍କବାଦୀମାନଙ୍କ ସହିତ ଏମାନେ କଥା ହୋଇଥିବା ଜଣାପଡ଼ିଛି। ପଞ୍ଜାବରେ ରହିଥିବା ଆତଙ୍କବାଦୀ ମଧ୍ୟ ଏମାନଙ୍କ ସାଥୀରେ କାମ କରୁଥିବା ସନ୍ଦେହ କରାଯାଉଛି। ଅମୃତସରରେ ନିରଙ୍କାରୀ ଭବନ ଉପରେ ହୋଇଥିବା ଆକ୍ରମଣର ରହସ୍ୟ ମଧ୍ୟ ଏମାନଙ୍କୁ ମିଳିପାରେ ବୋଲି ଜଣାପଡ଼ିଛି।



